ସେ ସତ୍ୟ, ସେ ସୁଖ, ସେ ସୁନ୍ଦର… ସେ ଦୟା, କ୍ଷମା, ନ୍ୟାୟର ଭଣ୍ଡାର । ରାମ ଗୋଟେ ନାମ ନୁହେଁ ଗୋଟେ ବିଶ୍ୱାସର ଡାକ । ରକ୍ତରେ ମିଶିଥିବା ଆଶାର କଣିକା । ରାମ ମର୍ୟ୍ୟାଦା ପୁରୁଷ, ଯୁଗସ୍ରଷ୍ଟା, ନ୍ୟାୟର ନିକିତି ଧରିଥିବା ରାଜା । ରାମଙ୍କ ଜନ୍ମରେ ଆଜି ଖୁସିରେ ଫାଟି ପଡୁଛି ଧରଣୀ । ସବୁଠି ଶୁଭୁଛି ରାମଙ୍କ ଧୂନ । ହେଲେ ନା ରାମଙ୍କୁ ଦେଖି ହେଉଛି ନା ମନ୍ଦିର ଯାଇ ମୁଣ୍ଡିଆ ମାରି ହେଉଛି । ଗତ ଥର ପରି ଏଥର ବି କରୋନା କଟକଣା ପାଇଁ ମନ୍ଦିର ବନ୍ଦ, ଦର୍ଶନ ବନ୍ଦ । ପୂର୍ବବର୍ଷ ପରି ଚଳିତ ବର୍ଷ ବି ଭକ୍ତ ଭଗବାନ ମଝିରେ ପାଚେରୀ ଛିଡା କରିଛି ଭୂତାଣୁ । ସଂକ୍ରମଣ ଟାଣିଛି ଲକ୍ଷ୍ମଣରେଖା । ସେଦିନ ସିନା ଅସୁର କବଳରୁ ବର୍ତ୍ତିବାକୁ ସୀତାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଥିଲେ ରାମଙ୍କ କନିଷ୍ଠ ଭ୍ରାତା । ଏବେ କିନ୍ତୁ ସେମିତି ଏକ ଅଦୃଶ୍ୟ ଅସୁର ପାଖରୁ ବଞ୍ଚିବାକୁ ଲକ୍ଷ୍ମଣରେଖା ଟାଣିଛନ୍ତି ସରକାର । ଆଉ ଏହି କଟକଣା ଭିତରେ ରାମଲଲାଙ୍କୁ ନିଜ ନିଜ ଘରେ ପୂଜା କରୁଛନ୍ତି ଲୋକେ । ଆରାଧନା କରୁଛନ୍ତି ଭକ୍ତ ।
ତେବେ ରାମ ନବମୀ ଉପଲକ୍ଷେ ପବିତ୍ର ଦେବଭୂମି ଅଯୋଧ୍ୟାରେ ଲୋକେ ଘରେ ରହି ରାମ ପୂଜିବେ । କଟକଣା ପାଇଁ ସମସ୍ତ ମନ୍ଦିର ବନ୍ଦ ଥିବାରୁ ରାମଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ମନ୍ଦିର ଖୋଲାଥିଲେ ରାମମୟ ହୋଇ ଉଠିଥାନ୍ତା ପରିବେଶ । ରାମ ନାମରେ କମ୍ପିଥାନ୍ତା ଦେଶ । କିନ୍ତୁ କରୋନା ପାଇଁ ସବୁକିଛି ମାଟିରେ ମିଶିଛି ।
ରାମ ନବମୀର ବିଶେଷତ୍ୱ
ଚୈତ୍ର ଶୁକ୍ଳ ନବମୀକୁ ରାମ ନବମୀ ବୋଲି କୁହାଯାଏ । ରାମଙ୍କ ଜନ୍ମଦିନକୁ ସାରା ଦେଶ ଧୁମଧାମରେ ପାଳେ । ପ୍ରଭୁ ବିଷ୍ଣୁ ହିଁ ନିଜ ଇଚ୍ଛାରେ ମାନବରୂପ ନେଇ ମର୍ତ୍ତାରରେ ଜନ୍ମଗ୍ରହଣ କରିଥିଲେ । ଜଗତର ପାପ ଭାର କମାଇବାକୁ, ରାବଣକୁ ବଦ୍ଧ କରିବାକୁ ରାମଙ୍କ ରୂପ ନେଇ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ତ୍ରେତୟା ଯୁଗରେ ଦଶରଥ ନାମକ ଜଣେ ରାଜା ଅଯୋଧ୍ୟାର ରାଜୁତି କରୁଥିଲେ । ରାଜାଙ୍କ ପ୍ରତିଷ୍ଠା ପରିଚୟ ଥିଲେ ବି ସନ୍ତାନ ସନ୍ତତି ନଥିବାରୁ ସେ ସର୍ବାଦା ଚିନ୍ତିତ ଥିଲେ ଆଉ କୁଳଗୁରୁଙ୍କ ପରାମର୍ଶ ଅନୁଷାରେ ସେ ଏକ ପୁତ୍ରେଷ୍ଟି ଯଜ୍ଞ କଲେ । ମହାନ ଋଷି ଋଷିଶୃଙ୍ଗ ଓ ବଶିଷ୍ଠ ପୁତ୍ରେଷ୍ଠି ମହାଯଜ୍ଞ କରିବା ପରେ ଯଜ୍ଞକୁଣ୍ଡରୁ ବାହାରିଥିବା ଏକ ଚରୁଅନ୍ନଭରତ୍ତି ପାତ୍ରକୁ ଦଶରଥଙ୍କୁ ଦେଇଥିଲେ । ରାଜା ଦଶରଥ ଉକ୍ତ ଚାରୁଅନ୍ନକୁ ଆଣି ଦୁଇ ରାଣୀ କୌଶଲ୍ୟା ଏବଂ କୈକେୟୀକୁ ଦେଇଥିଲେ ଆଉ ସେମାନେ ସାନ ରାଣୀ ସୁମିତ୍ରାଙ୍କୁ ଅଧା ଅଧା କରି ଅନ୍ନ ଖୁଆଇବା ପରେ କିଛି ଦିନ ଭିତରେ ୩ ରାଣୀ ଅନ୍ତସତ୍ୱା ହୋଇଥିଲେ ।
ପବିତ୍ର ଚୈତ୍ର ନବମୀର ଦ୍ୱିପ୍ରହରରେ କୌଶଲ୍ୟାଙ୍କ କୋଳରୁ ପ୍ରଭୁ ଶ୍ରୀରାମ ଧରାବତରଣ କରିଥିଲେ । ସେହିପରି କୈକେୟୀଙ୍କ ଠାରୁ ଭରତ, ଏବଂ ସୁମିତ୍ରାଙ୍କ ଠାରୁ ଲକ୍ଷ୍ମଣ ଓ ଶତ୍ରୁଘ୍ନ ଜନ୍ମ ହୋଇଥିଲେ । ତେବେ ବିବାହ ବୟସ ଉପନିତ ହେବା ପରେ ରାମଙ୍କର ବିବାହ ମିଥିଳା ନରେଶ ଜନକଙ୍କୁ କନ୍ୟା ସୀତାଙ୍କ ସହ ହୋଇଥିଲା । ପରେ ପିତୃସତ୍ୟ ପାଳନ ପାଇଁ ୧୪ ବର୍ଷ ବନବାସ ଭୋଗିଥିଲେ ପ୍ରଭୁ ଶ୍ରୀରାମ । ଏହି କାଳରେ ରାବଣକୁ ବଦ୍ଧ କରିଥିଲେ ରାମ । ଅଯୋଧ୍ୟା ଫେରି ରାମ ରାଜା ହେବା ପରେ ପତ୍ନୀ ସୀତାଙ୍କୁ ଅଗ୍ନିପରୀକ୍ଷା ଆଦି ଦେବାକୁ କହିବା ରାମଙ୍କ କାହାଣୀର ଗୋଟେ ଗୋଟେ ଅଂଶ ବିଶେଷ ।
ଅନ୍ୟପଟେ ଶ୍ରୀମନ୍ଦିର ରାମ ନବମୀର କାହାଣୀ, କିମ୍ବଦନ୍ତୀ କିନ୍ତୁ ପୂରା ନିଆରା । ଏଠି ରାମ ନବମୀ ଦିନ ଶ୍ରୀରାମଙ୍କ ମାଆ ହୁଅନ୍ତି ମହାପ୍ରଭୁ । ପ୍ରଭୁ ଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରିରେ ଶ୍ରୀରାମଙ୍କୁ ଜନ୍ମ ଦିଅନ୍ତି । ଏହା ଗୁପ୍ତନୀତି ହୋଇଥିବାରୁ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରାଯାଏ । ଶ୍ରୀମନ୍ଦିର ବାଦ ଅନ୍ୟାନ୍ୟ ସ୍ଥାନରେ ମୂର୍ତ୍ତୀ, ଫଟୋ ପୂଜାକରି ରାମଲଲାଙ୍କୁ ଆରାଧନା କରାଯାଏ । ସବୁପରେ ରାମ ସତ୍ୟର ପ୍ରତୀକ, ଯୁଗେ ଯୁଗେ ସତ ନିଷ୍ଠାର କଥା ଉଠିଲେ ରାମଙ୍କ କଥା ସାମ୍ନାକୁ ଆସେ ।