ଏ ଆଖି ଦେଖିବ ଚକାଆଖି…

କାଳିଆରେ ତତେ କଣ ଆଉ ଦେଖିପାରିବୁନି… ? ତୋ ମୁହଁ କଣ ଆଉ ଚାହିଁପାରିବୁନି…? ଏ ଅପେକ୍ଷାର ଅଦୃଶ୍ୟ ପାଚେରୀ ଆଉ କେତେ ଦିନ କାଳିଆ କେତେ ଦିନ…? ଭଗବାନଙ୍କୁ ଭକ୍ତର ଏ ଭାବର ପ୍ରଶ୍ନ ଆଉ କେଇଟା ଦିନ ପାଇଁ? କେଇଟା ମୁହୂର୍ତ୍ତ ପାଇଁ… କାରଣ ଆଉ ୧୦ ଦିନ ପରେ ଖୋଲିବ ଶ୍ରୀମନ୍ଦିର, ଭକ୍ତଙ୍କ ପାଇଁ ଫିଟିବ ବଡଦେଉଳର ବାଟ । ସିଂହଦ୍ୱାର ଖୋଲିବ, ସାଆନ୍ତେଙ୍କ ଦର୍ଶନ ମିଳିବ । ପ୍ରଭୁଙ୍କ ପାଇଁ ଗୋଟେ ଲମ୍ବା ପ୍ରତୀକ୍ଷାର ପରିସମାପ୍ତି ଘଟିବ । ମହାମାରୀ ଭିତରେ ବି ହେବ ମହାପ୍ରଭୁଙ୍କ ଦର୍ଶନ, ଶାନ୍ତି ହେବ ମନ, ଆତ୍ମାକୁ ମିଳିବ ଆତ୍ମତୃପ୍ତି… ଏ ଆଖି ଦେଖିବ ଚକାଆଖି…

ଶ୍ରୀମନ୍ଦିର ଖୋଲିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ଛତିଶା ନିଯୋଗ ବୈଠକରେ ଭକ୍ତଙ୍କ ଭାବାବେଗକୁ ନେଇ ନିଆଯାଇଛି ବଡ ନିଷ୍ପତ୍ତି । ଆସନ୍ତା ଡିସେମ୍ବର ୨୩ରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଏ ଖବର ଏବେ ସମସ୍ତଙ୍କୁ ଖୁସି ଦେଇଛି, ଆଶ୍ୱସ୍ତି ଦେଇଛି । ପ୍ରଥମ ପର୍ଯ୍ୟାୟରେ ୨୩ରୁ ୩୧ ଯାଏଁ ପୁରୀବାସୀଙ୍କୁ ମିଳିବ ଦର୍ଶନ । ନୂଆବର୍ଷ ପାଇଁ ୧ ଓ ୨ ଦର୍ଶନ ବନ୍ଦ ରହିବ । ୩ରୁ ୩ ଦିଅଁଙ୍କ ସାର୍ବଜନୀନ ଦର୍ଶନ । ଅର୍ଥାତ ୩ ତାରିଖରୁ ପୁରୀ ସମେତ ଅନ୍ୟ ଜିଲ୍ଲାରବାସୀ, ସାରା ଓଡିଶାବାସୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । କରୋନା କଟକଣା ମାନି ମନ୍ଦିର ଭିତରକୁ ଭକ୍ତଙ୍କୁ ଛଡାଯିବା ସହ ପ୍ରଥମ ସପ୍ତାହରେ ୫ ହଜାର ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିବ । ଯଦି ସବୁ ଠିକଠାକ ରୁହେ ତେବେ ୨ୟ ସପ୍ତାହରୁ ଅଧିକ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ଏସବୁ ଭିତରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନେଗେଟିଭ ରି୍‌ପୋର୍ଟ ନଥିଲେ ନେତ୍ର ଦେଖିପାରିବନି ଜଗନ୍ନାଥ । ବିନା ରିପୋର୍ଟରେ ପ୍ରବେଶ ନିଷେଦ୍ଧ ।

ତେବେ କରୋନା ପାଇଁ ଯେତେବେଳେ ସବୁଠି ତାଲା ପଡିଲା ସେତେବେଳେ ଓଡିଶାରେ ବି ଲାଗୁ ହେଲା ଲକଡାଉନ । କଟକଣା ପାଇଁ ପହଡ ପଡିଲା ବଡଦେଉଳେ । କାଳିଆ ଦୁଆରକୁ ନା ଭକ୍ତ ଯାଇପାରିଲେ ନା ଭଗବାନଙ୍କର ମିଳିଲା ଦର୍ଶନ । ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିର ବନ୍ଦ ହେବା ପରେ ଭକ୍ତ-ଭଗବାନଙ୍କ ମଝିରେ ଟଣାହେଲା ଲକଡାଉନ ଲକ୍ଷ୍‌ମଣରେଖା । ଶ୍ରୀମନ୍ଦିର କେବେ ଖୋଲିବ, କେବେ କାଳିଆ ଦର୍ଶନ ମିଳିବ ଏ ଅସମାହିତ ପ୍ରଶ୍ନର ଉତ୍ତର କାହା ପାଖରେ ନଥିଲା କି କେହି ବି ଜାଣି ନଥିଲେ କେବେ ହେବ ଏ ଦୀର୍ଘ ଅପେକ୍ଷାର ଅନ୍ତ ।

ସେପଟେ ଭଗବାନଙ୍କୁ ନଦେଖି ଯେମିତି ଭକ୍ତ କାନ୍ଦୁଥିଲା । ଭକ୍ତକୁ ନପାଇ ବି ଭଗବାନ କାନ୍ଦୁଥିଲେ । ଭୂତାଣୁ ପାଇଁ ଭକ୍ତ ଭଗବାନ ଭିତରେ ବାଡ ବସିଥିଲା । ଦିନ ପରେ ଦିନ, ମାସ ପରେ ମାସ ଗଡି ଚାଲିଥିଲା ହେଲେ ଭକ୍ତଙ୍କ ପାଇଁ ଭାବବିନୋଦିଆର ଦୁଆର ଫିଟୁନଥିଲା । ତାରି ଭିତରେ ପଡିଥିଲା ଶ୍ରୀଜିଉଙ୍କ ରଥଯାତ୍ରା । ସାରା ଜଗତ ଯେଉଁ ଯାତ୍ରାକୁ ଚାତକ ପରି ଚାହିଁ ରହିଥାଏ ସେ ଯାତ୍ରା କେମିତି ହେବ ତାହା ଭକ୍ତଙ୍କ ମନରେ ଏ ବିରାଟ ପ୍ରଶ୍ନ ହୋଇ ବସାବାନ୍ଧିଥିବା ବେଳେ ରଥଯାତ୍ରା ହେବନି ବୋଲି ଚାଲିଥିଲା ଚର୍ଚ୍ଚା ଆଲୋଚନା । କରୋନା ଭିତରେ ରଥଯାତ୍ରା ଚାଲେଜିଂ ଥିବା ସତ୍ୱେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଉ ରାଜ୍ୟ ସରକାରଙ୍କ ପ୍ରାଣମୂର୍ଚ୍ଚା ଉଦ୍ୟମ ଫଳରେ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା ।

ଘୋଷଯାତ୍ରା ପୂର୍ବରୁ ଯେତେବେଳେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ହୋଇଥିଲା ସେତେବେଳେ ବି ବିନା ଭକ୍ତରେ ସମ୍ପନ୍ନ ହୋଇଥିଲା ନୀତିକାନ୍ତି । କାଳିଆ ସିନା ସୁବାସିତ ଜଳରେ ଗାଧଉଥିଲା ହେଲେ ତା ଆଖି ସ୍ନାନମଣ୍ଡପରୁ ବଡଦାଣ୍ଡରେ ଛିଡା ହୋଇଥିବା ଭକ୍ତଙ୍କୁ ଖୋଜୁଥିଲା । ଯଦିଓ ଘରେ ରହି କେମିତି ଭକ୍ତ ସ୍ନାନଯାତ୍ରା ଦେଖିପାରିବେ ସେଥିଲାଗି ସିଧାପ୍ରସାରଣ କରାଯାଇଥିଲା କିନ୍ତୁ ଭକ୍ତ-ଭଗବାନ ମଝିରେ ସେ ଭାବ କେଉଁଠି ନା କେଉଁଠି ଅଭାବ ରହୁଥିଲା । ଯାହା ହେଉ ଭକ୍ତଙ୍କ ଲୁହ, କୋହରେ ସ୍ନାନଯାତ୍ର ସରି ଶାନ୍ତିଶୃଙ୍ଖଳାରେ ବି ସରିଥିଲା ରଥଯାତ୍ରା । ଆଉ ପରେ ପରେ ଗତ ନଭେମ୍ବର ୨୭ରେ ଶ୍ରୀମନ୍ଦିରରେ ସମ୍ପନ୍ନ ହୋଇଥିଲା ଦୁର୍ଲଭ ନାଗାର୍ଜୁନ ବେଶ । ୨୫ ବର୍ଷ ପରେ ଏହି ବିରଳ ବେଶ ପଡୁଥିବାରୁ ଭକ୍ତ ବି ଏହାକୁ ଦେଖିବାରୁ ବଞ୍ଚିତ ହେଲେ । ଜଗନ୍ନାଥଙ୍କ ଯୋଦ୍ଧାବେଶକୁ ଭକ୍ତ ନଦେଖି ପାରି ଦୂରରୁ ଦଣ୍ଡବତ ହୋଇଥିଲେ । ଆଉ ମହାମାରୀ ହରାଇ ପୁଣି ମଣିଷ-ଭଗବାନଙ୍କ ଦେଖାଚାହାଁ କରିବାକୁ ଭକ୍ତ ନିବେଦନ କରିଥିଲେ ।

ହେଲେ ଏମିତି ଏମିତି ହୋଇ ଦୀର୍ଘ ୯ ମାସ ବିତିଯିବା ପରେ ରହି ପାରିଲାନି ଭକ୍ତ । ଆଉ କେତେ ସହିବା, ଜଗା ବିନା ଜୀବନ କେମିତି ଜିଇଁବା । ଏମିତି ବ୍ୟାକୁଳ ହୋଇ ଜଗା ଦୁଆରକୁ ଧାଇଁଲା ଭକ୍ତ । ଦର୍ଶନ ପଛେ ନମିଳୁ ତା ଦେଉଳ, ତା ନେତ, ପତିତପାବନ ଦର୍ଶନ କରି ମନକୁ ବୁଝେଇ ଦେଉଥିଲେ ଭକ୍ତ । ହେଲେ କିଛିଦିନ ତଳେ ନୟାଗଡର ଜଣେ ବୃଦ୍ଧାଙ୍କ ଜଗା ଦର୍ଶନ ଜିଦ ସାରା ଓଡିଆଙ୍କ ଆଖିରେ ଲୁହ ଆଣିଦେଇଥିଲା । ବୃଦ୍ଧା କହୁଥିଲେ ମତେ ମୋ କାଳିଆ ପାଖକୁ ଟିକେ ନେଇଯାଅ ମୁଁ ତାକୁ ଦେଖିବି… ବୃଦ୍ଧାଙ୍କ ଅଳି ପରେ ବି ଯେତେବେଳେ କଟକଣା ପାଇଁ ତାଙ୍କୁ ଶ୍ରୀମନ୍ଦିର ନଛଡାଗଲା ସେତେବେଳେ ଭାବ ଭାବ ହୋଇ କାନ୍ଦି କାନ୍ଦି କାଳିଆକୁ କହିଥିଲେ, ମାର୍ଗଶିରରେ ନଦେଖା ଦେଲୁ ନାହିଁ ମାଘରେ ମୋ ଶବ ଏଇ ବଡଦାଣ୍ଡ ଦେଇ ଯିବ… ଥୁରୁ ଥୁରୁ କଣ୍ଠରେ ବୃଦ୍ଧାଙ୍କ ଏ ବିକଳପଣ , ଆକୁଳତା ସମବେତ ଲୋକଙ୍କ ସହ ସାରା ଓଡିଶାବାସୀଙ୍କୁ କନ୍ଦେଇ ଦେଇଥିଲା । ଖାଲି ନୟାଗଡର ଏ ମାଉସୀ ନୁହଁନ୍ତି ଅନେକ ଭକ୍ତ ଭଗବାନଙ୍କୁ ଦେଖି ନପାରି କାନ୍ଦଛନ୍ତି । ଆଉ ସେମାନଙ୍କ କାନ୍ଦ କାଳିଆ କାନରେ ପଡିଛି, ସେମାନଙ୍କ ଗୁହାରୀ କାଳିଆ ଗୋସାଇଁ ଶୁଣିଛନ୍ତି । ଶେଷରେ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ଛାଡିବାକୁ କାଳିଆ ପରୋକ୍ଷରେ ହଁଟେ ମାରିଛନ୍ତି । ଯେତେବେଳେ ଚକାଆଖି ସହ ଭକ୍ତଙ୍କ ଭାବର ଆଖି ମିଶିଯିବ ସେତେବେଳେ ଶ୍ରୀମନ୍ଦିରେ ହେବ ଲୁହର ବର୍ଷା । ପ୍ରଭୁଙ୍କ ଦେଖି ଭକ୍ତ ଆଖିରୁ ନିଗିଡି ପଡିବ ଆନନ୍ଦାଶ୍ରୁ… ଆଉ ଦୁନିଆ ଦେଖିବ ଭକ୍ତ-ଭଗବାନଙ୍କ ବିଚ୍ଛେଦ ପରେ ମିଳନର ମହାପର୍ବ… ପାଟିରୁ ଆପେ ଆପେ ବାହାରି ଆସିବ ଜୟ ଜଗନ୍ନାଥ… ଜୟ ଜଗନ୍ନାଥ…

Comments (0)
Add Comment