ରଥଯାତ୍ରା ପରେ ବଦଳିବ ନବୀନଙ୍କ ଟିମ୍, ବାଦ୍ ପଡିପାରନ୍ତି ୮ ମନ୍ତ୍ରୀ!

ଖୁବଶୀଘ୍ର ବଦଳିବାକୁ ଯାଉଛି କେନ୍ଦ୍ର ମନ୍ତ୍ରୀମଣ୍ଡଳର ରୂପରେଖ । ଏଥିପାଇଁ ତାଲିକା ଏକପ୍ରକାର ଚୂଡାନ୍ତ ହୋଇ ସାରିଥିବା ବେଳେ କେବଳ ମୋଦିଙ୍କ ମୋହରକୁ ଅପେକ୍ଷା ରହିଛି । ଅନ୍ୟପଟେ ଓଡ଼ିଶାରେ ମଧ୍ୟ ନବୀନ ନିଜ ମନ୍ତ୍ରୀମଣ୍ଡଳର ନବକଳେବର କରିବାକୁ ଯାଉଥିବା ନେଇ ବ୍ୟାପିନି ପ୍ରତିନିଧିଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ମହାପ୍ରଭୁଙ୍କ ରଥଯାତ୍ରା ପରେ ନବୀନ ନିଜର ନୂଆ ଟିମ୍ ସାମ୍ନାକୁ ଆଣିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଯେଉଁଥିପାଇଁ ବିଜେଡି ଶିବିରରେ ହଲଚଲ ଦେଖିବାକୁ ମିଳିଲାଣି । ଖାସକରି ମନ୍ତ୍ରୀ ଆଶାୟୀ ଥିବା ନେତା ଏବେ ଆକ୍ଟିଭ ମୋଡକୁ ଆସିଲେଣି । ତେବେ ନବୀନ ନିଜ ନୂଆ ଟିମରେ ନେବେ କାହାକୁ, କିଏ ବାଦ୍ ପଡିବ ତାହା ଏବେ ବିଜେଡି ଶିବିରରେ ହଟ ଟପିକ ପାଲଟିଛି । କିନ୍ତୁ ବ୍ୟାପିନି ପ୍ରତିନିଧିଙ୍କୁ ମିଳିଥିବା ସୂଚନା ମୁତାବକ, ଦକ୍ଷତା, ଅଭିଜ୍ଞତା, ବିଶ୍ୱସ୍ତତା ଓ ବରିଷ୍ଠତା ନୂଆ ମନ୍ତ୍ରୀମଣ୍ଡଳର ସବୁଠୁ ବଡ ମାପକାଠି ହୋଇପାରେ । ସେହିଭଳି ବିବାଦୀୟ, ଦୁର୍ବଳ ପ୍ରଦର୍ଶନ କରିଥିବା ମନ୍ତ୍ରୀଙ୍କୁ ନବୀନ ନିଜ ଟିମରୁ ଆଉଟ କରିପାରନ୍ତି । ଯେଉଁଥିରେ ଡଜନେ ମନ୍ତ୍ରୀଙ୍କ ନାଁ ରହିଛି ।

ପଞ୍ଚମ ପାଳିରେ ନବୀନ ସରକାରକୁ ସବୁଠୁ ଅଧିକ ଅଡୁଆରେ ପକାଇଥିବା ମନ୍ତ୍ରୀ ତାଲିକାରେ ରହିଛି ଅରୁଣ ସାହୁ, ପ୍ରତାପ ଜେନା, ବିକ୍ରମ ଆରୁଖ, ସମୀର ରଞ୍ଜନ ଦାଶ, ନବ କିଶୋର ଦାସଙ୍କ ଭଳି ବଡ ବଡ ନାଁ । କେଉଁ ମନ୍ତ୍ରୀଙ୍କ ନାଁରେ ବ୍ୟକ୍ତିଗତ ଭାବେ ଅଭିଯୋଗ ଆସିଛି ତ ପୁଣି କାହାର ବିଭାଗ ହୋଇପଡିଛି ଅଧିକ ବିବାଦୀୟ । ତେଣୁ ଏହି ନେତାଙ୍କୁ ନେଇ ବିଜେଡି ସୁପ୍ରିମୋ ବଡଧରଣର ବିଚାର ବିମର୍ଷ କରୁଥିବା ନେଇ ଦଳର ଅନ୍ଦରମହଲରୁ ସୂଚନା ମିଳିଛି । ଖାସକରି ପରୀ ପ୍ରସଙ୍ଗକୁ ନେଇ ଅରୁଣଙ୍କ ନାଁରେ ଆସିଥିବା ଅଭିଯୋଗକୁ ଦଳ ଗମ୍ଭୀରତାର ସହ ନେଉଥିବା ଚର୍ଚ୍ଚା ହେଊଛି । ତେଣୁ ନବୀନଙ୍କ ନୂଆ ଟିମରୁ ଅରୁଣ ଆଉଟ ହୋଇପାରନ୍ତି ବୋଲି କୁହାଯାଉଛି । ପୂର୍ବରୁ ଛାତ୍ର ଓ ଯୁବ ସଙ୍ଗଠନକୁ ମୋହରା କରି ଅରୁଣ ଯେଉଁ ମନ୍ତ୍ରୀ ପଦ ହାତେଇଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିପାରେ । କାରଣ ଦଳର ଛାତ୍ର ଓ ଯୁବ ସଙ୍ଗଠନ ଆଉ ପୂର୍ବଭଳି ଅରୁଣଙ୍କ ନିୟନ୍ତ୍ରଣରେ ନାହିଁ । ସେହିଭଳି କଥା କୁହାଳିଆ ମନ୍ତ୍ରୀ ସମୀର ଦାଶଙ୍କ ଠାରୁ ମଧ୍ୟ ମନ୍ତ୍ରୀପଦ କାଢି ନିଆଯାଇପାରେ । ଦାମଙ୍କ ଭଳି ସମୀରଙ୍କ ପାଇଁ ନିଜ ତୁଣ୍ଡ ଘାତକ ସାବ୍ୟସ୍ତ ହୋଇପାରେ । ନିଜ ବିଭାଗକୁ ନେଇ ବିବାଦୀୟ ହୋଇଥିବା ସମୀରଙ୍କ ମନ୍ତ୍ରୀପଦ ଉପରେ ଏବେ ସଙ୍କଟ ଘୂରି ବୁଲୁଥିବା କୁହାଯାଉଛି । ସେହିଭଳି ପ୍ରତାପ ଜେନା, ବିକ୍ରମ ଆରୁଖ, ନବ ଦାଶ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ମନ୍ତ୍ରୀଙ୍କ ବିଭାଗ ବଦଳାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ଖବର ଶୁଣିବାକୁ ମିଳୁଛି ।

ଅନ୍ୟପଟେ କାର୍ୟ୍ୟଦକ୍ଷତା ଦୃଷ୍ଟିରୁ ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା, ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା, ଅଶୋକ ପଣ୍ଡା, ଜ୍ୟୋତି ପାଣିଗ୍ରାହୀଙ୍କ ମନ୍ତ୍ରୀପଦ ଉପରେ ଝୁଲୁଛି ଖଣ୍ଡା । ଗତ ୨ ବର୍ଷରେ ଏହି ମନ୍ତ୍ରୀଙ୍କ ଦାୟିତ୍ୱରେ ଥିବା ବିଭାଗର ପ୍ରଦର୍ଶନ ଏକପ୍ରକାର ପ୍ରଭାବଶୂନ୍ୟ ରହିଛି । ତେଣୁ ଏମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦେବାକୁ ବିଜେଡିର ଶୀର୍ଷ ନେତୃତ୍ୱ ଆପାତତଃ ସ୍ଥିର କରିଥିବା କୁହାଯାଉଛି । କିଛି ପୁରୁଣା ଚେହେରାକୁ ନିଜ ଟିମରେ ରଖି ଅନ୍ୟମାନଙ୍କୁ ବାଦ୍ ଦେଇପାରନ୍ତି ନବୀନ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ମନ୍ତ୍ରୀମଣ୍ଡଳର ଏତେବଡ ପରିବର୍ତ୍ତନ ହେଲେ ନବୀନ କାହାକୁ ନିଜ ନୂଆ ଟିମ ପାଇଁ ବାଛିବେ ।

ନୂଆ ଟିମରେ ବରିଷ୍ଠତା, କାର୍ୟ୍ୟଦକ୍ଷତା ଓ ଅଭିଜ୍ଞତାକୁ ପ୍ରାଥମିକତା ଦିଆଯିବା ସହ ଜିଲ୍ଲାଗୁଡିକ ଉପରେ ମଧ୍ୟ ଫୋକସ କରାଯାଉଥିବାର ଖବର ଆସୁଛି । ତେଣୁ ଏହି ଦୁଇ ଦିଗକୁ ତର୍ଜମା କଲେ, ମନ୍ତ୍ରୀପଦ ରେସରେ ଅନେକ ନାଁ ସାମ୍ନାକୁ ଆସୁଛି । ଖାସକରି ଉପକୂଳ ଜିଲ୍ଳା ଗୁଡିକରୁ । ନବୀନଙ୍କ ପୂର୍ବ ଟିମରେ କେନ୍ଦ୍ରାପଡ଼ାରୁ କୌଣସି ନେତାଙ୍କୁ ସାମିଲ କରାଯାଇନଥିଲା । ତେଣୁ ଏଥର ଯେଉଁ ନୂଆ ଟିମ୍ ଗଠନ ହେବ ସେଥିରେ ପ୍ରତାପ ଦେବଙ୍କୁ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ମନ୍ତ୍ରୀ ରହିଥିବା ପ୍ରତାପଙ୍କର ଜିଲ୍ଳା ରାଜନୀତିରେ କାଟତି ରହିଥିବା ବେଳେ ରାଜ୍ୟର ପାୱାର କରିଡର ସହ ସୁ ସମ୍ପର୍କ ରହିଛି । ତେଣୁ ପ୍ରତାପଙ୍କୁ ପୁଣିଥରେ ମନ୍ତ୍ରୀମଣ୍ଡଳକୁ ଫେରାଇ ଆଣିପାରନ୍ତି ନବୀନ । ସେହିଭଳି ରଘୁନନ୍ଦନ ଦାଶଙ୍କ ଠାରୁ ମନ୍ତ୍ରୀପଦ କାଢିନେଲେ ଜଗତସିଂହପୁର ଜିଲ୍ଳା ମନ୍ତ୍ରୀଶୂନ୍ୟ ହୋଇଯିବ । ଆଉ ଏଭଳି ସ୍ଥିତିରେ ଜିଲ୍ଳା ରାଜନୀତିରେ ଅଖଣ୍ଡ ପ୍ରଭାବ ରଖିଥିବା ପ୍ରଶାନ୍ତ ମୁଦୁଲିଙ୍କୁ ନବୀନଙ୍କ ନୂଆ ଟିମରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସେହିଭଳି ବାଲେଶ୍ୱର ଜିଲ୍ଳାରୁ ଅଶ୍ୱିନୀ ପାତ୍ର, ମୟୂରଭଞ୍ଜ ଜିଲ୍ଲାରୁ ରାଜକିଶୋର ଦାଶ, ଭଦ୍ରକ ଜିଲ୍ଳାରୁ ପ୍ରଫୁଲ୍ଳ ସାମଲ, ସୁନ୍ଦରଗଡ କୋଟାରୁ ଶାରଦା ନାୟକ, କୋରାପୁଟରୁ ରଘୁରାମ ପୋଡାଲ, ଡାବୁଗାଁ ବିଧାୟକ ମନେହାର ରାନ୍ଧାରୀ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ତାଳଚେର ବିଧାୟକ ବ୍ରଜ ପ୍ରଧାନ. ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନାଁ ମଧ୍ୟ ମନ୍ତ୍ରୀପଦ ରେସରେ ରହିଛି ।

ସେହିଭଳି ପୂର୍ବଥର ଯାଜପୁର ଜିଲ୍ଳାରୁ କାହାକୁ ମନ୍ତ୍ରୀପଦ ମିଳିନଥିବା ବେଳେ କେବଳ ସରକାରୀ ଦଳ ମୁଖ୍ୟ ସଚେତକ ପଦରେ ସନ୍ତୁଷ୍ଟ ରହିବାକୁ ପଡିଥିଲା । କିନ୍ତୁ ଏଥର ପ୍ରମିଳାଙ୍କ ହାତରୁ ସରକାରୀ ଦଳର ମୁଖ୍ୟ ସଚେତକ ପଦ ଯାଇପାରେ ବୋଲି କୁହାଯାଉଛି । ପ୍ରମିଳାଙ୍କ ସ୍ଥାନରେ କଥା କୁହା ନେତା ସମୀର ଦାଶଙ୍କୁ ଏହି ପଦରେ ଦେଖିବାକୁ ମିଳିପାରେ । ଏଭଳି ସ୍ଥିତିରେ ଯାଜପୁର କୋଟାରୁ କାହାକୁ ମନ୍ତ୍ରୀ କରାଯିବ ତାହାକୁ ନେଇ ସସପେନ୍ସ ଦେଖିବାକୁ ମିଳିଛି । ପୂର୍ବରୁ ସଙ୍ଗଠନର ଦାୟିତ୍ୱ ନେବାକୁ ମନ୍ତ୍ରୀପଦ ଛାଡିଥିବା ପ୍ରଣବ ପ୍ରକାଶ ପୁଣିଥରେ ମନ୍ତ୍ରୀମଣ୍ଡଳକୁ ଫେରିବେ ତାହାର ଆଶା କମ । ଏପରିକି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ମଧ୍ୟ ସଙ୍ଗଠନଭାର ରହିଥିବାରୁ ସେ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ଆଶା କ୍ଷୀଣ । ଏଭଳି ସ୍ଥଳେ ପ୍ରମିଳା ମଲ୍ଳିକ ଓ ଅମର ଶତପଥୀଙ୍କ ମଧ୍ୟରୁ ଜଣକୁ ବାଛିପାରନ୍ତି ନବୀନ ।

ଏହାବାଦ୍ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାରୁ କାହାକୁ ନିଜ ଟିମରେ ସାମିଲ କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି । କୁହାଯାଉଛି ବାଚସ୍ପତି ଥିବା ସୂଯ୍ୟ ପାତ୍ରଙ୍କୁ ପୁଣିଥରେ ନିଜ ମନ୍ତ୍ରୀମଣ୍ଡଳକୁ ଫେରାଇ ଆଣିପାରନ୍ତି ନବୀନ । ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରୁ ସୂର୍ୟ୍ୟଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ସରକାରଙ୍କୁ ମଧ୍ୟ ବେଶ ଫାଇଦା ଦେବ । ସୂର୍ୟ୍ୟଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଗଲେ ବାଚସ୍ପତି ପଦରେ ପୁଣିଥରେ ନିରଞ୍ଜନ ପୂଜାରୀ ନଚେତ ପ୍ରଦୀପ ଅମାତଙ୍କୁ ବସାଇବାକୁ ବିଜେଡିର ଶୀର୍ଷ ନେତୃତ୍ୱ ଅଙ୍କ କଷୁଥିବା କୁହାଯାଉଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣର ନାରା ଦେଉଥିବା ବେଳେ ମନ୍ତ୍ରୀମଣ୍ଡଳରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିପାରେ । ନବୀନଙ୍କ ନୂଆ ଟିମରେ ଆଉ କିଛି ମହିଳା ଚେହେରାଙ୍କୁ ସାମିଲ କରାଯାଇପାରେ । ଯେଉଁଥିରେ ସର୍ବାଗ୍ରେ ଲତିକା ପ୍ରଧାନଙ୍କ ନାଁ ରହିଥିବା ଚର୍ଚ୍ଚା ହେଉଛି ।

ନବୀନଙ୍କ ନୂଆ ଟିମରେ କିଛି ନୂଆ ଚେହେରା ସହ ଅଧିକାଂଶ ଅଭିଜ୍ଞ ଚେହେରାକୁ ସାମିଲ କରାଯିବା ନେଇ ବିଚାରବିମର୍ଷ ଚାଲିଛି । କିନ୍ତୁ ପୂର୍ବଭଳି ଯୁବ ନେତାଙ୍କ ହାତରେ ସଙ୍ଗଠନର ଦାୟିତ୍ୱ ରହିବ ବୋଲି ଆପାତତଃ ସ୍ଥିର ହୋଇଛି । ୨୦୧୯ ନିର୍ବାଚନ ପୂର୍ବରୁ ଯେଉଁ ଫର୍ମୁଲା ଆପଣାଯାଇଥିଲା ଠିକ୍ ସେହି ଫର୍ମୁଲାରେ ଆଗକୁ ବଢିବ ଦଳ । ବବିଙ୍କ ନେତୃତ୍ୱରେ ସଙ୍ଗଠନର ମୋର୍ଚ୍ଚା ସମ୍ଭାଳିବେ ଯୁବ ନେତା । ଯେଉଁମାନେ ତୃଣମୂଳସ୍ତରରେ ଦଳ ପାଇଁ କାମ କରିବେ, ଦଳକୁ ଆଗକୁ ବଢିବାରେ ସାଥ୍ ଦେବେ ।

Comments (0)
Add Comment