ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ନିଜ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମେସ୍ତ ନିଜେ ନିଜର ସ୍ଥାବର ଓ ଅସ୍ଥାବର ସଂପତିର ତାଲିକା ପ୍ରକାଶ କରିଛନ୍ତି । ଏହି ତାଲିକା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଇଛି ।ଆସନ୍ତୁ ଜାଣିବା ନବୀନ କ୍ୟାବିନେଟରେ ଧନୀ କିଏ ଆଉ ଗରିବ କିଏ ?
ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ବର୍ଷକ ମଧ୍ୟରେ ୪୨ ଲକ୍ଷ ଟଙ୍କା ବଢ଼ିଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ୧୦ କୋଟି ୩୫ ଲକ୍ଷ । ୨୦୧୯-୨୦ରେ ସେ ୩୦ ଲକ୍ଷ ଟଙ୍କାର ଗୃହ ଋଣ କରିଥିବା କହିଛନ୍ତି । ପ୍ରତାପ ଜେନା, ତାଙ୍କ ପତ୍ନୀ ଡେଜି ଓ ଝିଅ ଐଶ୍ୱର୍ୟ୍ୟାଙ୍କ ନାଁରେ ପ୍ରାୟ ୧୦ କୋଟିର ସମ୍ପତ୍ତି ରହିଛି। ମନ୍ତ୍ରୀଙ୍କ ୧୮୦ ଗ୍ରାମ ସୁନା ସମେତ ତାଙ୍କ ପତ୍ନୀଙ୍କ ପାଖରେ ୬ଶହ ଗ୍ରାମ ସୁନା ଓ ୨କିଲୋ ରୁପା ରହିଛି। ସେହିପରି କୃଷିମନ୍ତ୍ରୀ ମନ୍ତ୍ରୀ ଅରୁଣ ସାହୁଙ୍କ ଓ ତାଙ୍କ ପତ୍ନୀଙ୍କ ମୋଟ ସମ୍ପତ୍ତି ପ୍ରାୟ ୬୭ ଲକ୍ଷ ଟଙ୍କା କୁହାଯାଇଥିବା ବେଳେ ମନ୍ତ୍ରୀଙ୍କଠାରୁ ତାଙ୍କ ଅଧ୍ୟାପିକା ପତ୍ନୀ ଅଧିକ ଧନୀ ବୋଲି ତଥ୍ୟରେ ସ୍ପଷ୍ଟ ହୋଇଛି । ତାଙ୍କ ଝିଅଙ୍କ ନାଁରେ ସାଢ଼େ ୭ଲକ୍ଷ ଟଙ୍କାର ବୀମା ବଣ୍ଡ ଥିବାବେଳେ ଅରୁଣଙ୍କ ପତ୍ନୀ ୮.୧୬ ଲକ୍ଷ ଟଙ୍କାର ଋଣଭାରରେ ଥିବା ଉଲ୍ଲେଖ ରହିଛି। ତେବେ ୪୫୦ ଗ୍ରାମ ସୁନା ଓ ୨ଟି କାର୍ ସେମାନଙ୍କର ରହିଛି। ଅଶୋକ ପଣ୍ଡାଙ୍କ ୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା, ତୁଷାରକାନ୍ତି ବେହେରାଙ୍କ ୩୨ ଲକ୍ଷ ୩୩ ହଜାର ୪୭୧ ଟଙ୍କା, ସୁଶାନ୍ତ ସିଂହଙ୍କ ୪ କୋଟି ୯୩ ଲକ୍ଷ ୯୪ ହଜାର ୬୪୪ ଟଙ୍କା ଓ ସୁଦାମ ମାରାଣ୍ଡିଙ୍କ ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା ସମ୍ପତ୍ତି ଥିବା ଦର୍ଶାଯାଇଛି ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସମ୍ପତ୍ତି ପ୍ରାୟ ୨ କୋଟି। ଭୁବନେଶ୍ୱରରେ ୨ଟି ଅଟ୍ଟାଳିକା, ୪ଟି କାର୍, ଟିଟିଲାଗଡ଼ରେ ୨ ମହଲା କୋଠା, ପ୍ରାୟ ୬ ଏକର ଜମି ସମେତ ୨୫୦ ଗ୍ରାମ ସୁନା ଓ ଦେଢ଼କେଜି ରୁପା ରହିଛି। ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ମୋଟ ସମ୍ପତ୍ତି ୪୨ ଲକ୍ଷ ବୋଲି ଉଲ୍ଲେଖ ଥିବାବେଳେ ନିରଞ୍ଜନ ପୂଜାରୀଙ୍କ ସମ୍ପତ୍ତିରେ ୩୫ ଲକ୍ଷ ଟଙ୍କା ବୃଦ୍ଧି ହୋଇଥିବା ଦର୍ଶାଯାଇଛି। ଅନ୍ୟ ପକ୍ଷରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ ଟଙ୍କା, ଦିବ୍ୟ ଶଙ୍କର ମିଶ୍ରଙ୍କ ୭ କୋଟି ୩୧ ଲକ୍ଷ ୭୬ ହଜାର ୪୦୮ ଟଙ୍କା, ନିରଞ୍ଜନ ପୂଜାରୀଙ୍କ ୪ କୋଟି ୩୪ ଲକ୍ଷ ୬୫ ହଜାର ୩୦୮ ଟଙ୍କା, ସମୀର ଦାଶଙ୍କ ୨ କୋଟି ୨୩ ଲକ୍ଷ ୭୫ ହଜାର ୭୬୧ ଟଙ୍କା ସମ୍ପତ୍ତି ଥିବା ଜଣାପଡିଛି।