କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଦୀର୍ଘ ଦିନ ପରେ ବିଧାୟକ ଭାବେ ନିର୍ବାଚିତ ହେଲେ । ଦଳର ୯ ବିଧାୟକଙ୍କ ଭିତରୁ ସବୁଠାରୁ ଅଧିକ ଚର୍ଚ୍ଚିତ ସିଏ । ପ୍ରତିଦିନ ଗଣମାଧ୍ୟମ ସାମ୍ନାରେ କିଛି ନା କିଛି କହୁଥିବେ । ଆଉ ସେ ଦେଉଥିବା ବୟାନ ଟିଭିରେ କମ୍, ସୋସିଆଲ ମିଡିଆରେ ଅଧିକ ଦେଖିବାକୁ ମିଳେ । ଲାଗେ କୈାଣସି ଚ୍ୟାନେଲ ସମ୍ପାଦକ ତାଙ୍କ ପ୍ରତିକ୍ରିୟାକୁ ଯଥେଷ୍ଟ ଗୁରୁତ୍ୱ ଦିଅନ୍ତି ନାହିଁ । ଆଉ ସୋସିଆଲ ମିଡିଆରେ ଏହାକୁ ପକାଇ ଭ୍ୟୁ ହାସଲ କରିବାକୁ ସତେ ଯେମିତି ଏକ ଅଘୋଷିତ ପ୍ରତିଯୋଗୀତା ସମସ୍ତଙ୍କ ମଧ୍ୟରେ ଚାଲିଛି । ପ୍ରତିଦିନ କୈାଣସି ନା କୈାଣସି ପ୍ରସଙ୍ଗରେ ତାଙ୍କ ବାଇଟ ସାମ୍ବାଦିକ ମାନେ ସଂଗ୍ରହ କରୁଥିବେ । ଗେଲେ ସେହି ପ୍ରତିକ୍ରିୟା ତାଙ୍କ ନିଜର ନା କଂଗ୍ରେସ ଦଳର ନା ବିଧାୟକ ଦଳର ତାହା ଆଜିଯାଏଁ ସ୍ପଷ୍ଟ ହେଲାନାହିଁ । ହଁ ଗୋଟିଏ କଥା କିନ୍ତୁ ସ୍ପଷ୍ଟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିକଟରେ ତାଙ୍କର ଖାତିର ପ୍ରବଳ ।
ଯେତେବେଳେ ଯେଉଁ ନିର୍ବାଚନ ଆସେ ସେତେବେଳେ ତାଙ୍କ ମୁହଁରୁ ଗୋଟି କଥା ବାହାରେ ଏଥର ଦଳ ଭଲ ପ୍ରଦର୍ଶନ କରିବ, କଂଗ୍ରେସ କମିଙ୍ଗ । ହେଲେ ଫଳାଫଳ ବାହାରିବା ଦିନ ଏହା କଂଗ୍ରେସ ଗୋଇଙ୍ଗରେ ପରିଣତ ହୋଇଯାଏ । ଯାହା ସ୍ପଷ୍ଟ ପ୍ରମାଣିତ କରେ, ହାୱାରେ କିମ୍ବା କଥାରେ କେବେ ଭୋଟ ମିଳେନାହିଁ । କଂଗ୍ରେସର ଆଜିର ଦିନରେ ଯାହା ସ୍ଥିତି ତାହା ନକହିବା ଭଲ । ସବୁବେଳେ ଅଭିଯୋଗ ଆସେ, ବିଜେଡିକୁ ଜିତାଇବାକୁ କଂଗ୍ରେସ ସବୁବେଳେ କାମ କରେ । ଏନେଇ କୁଆଡେ ଏକ ଅଘୋଷିତ ବୁଝାମଣା ହୋଇଯାଇଛି । ହେଲେ ଏହାର ସତ୍ୟତା କେତେ ତାହା କେବଳ ଦୁଇ ଦଳର ସଭାପତି ବା କରିତକର୍ମା ନେତାଙ୍କୁ ହିଁ ଜଣାଥିବ । ହେଲେ ସୁର ବାବୁ କିନ୍ତୁ ଗୋଟିଏ ଦିଗକୁ ଧ୍ୟାନ ଦେବାକୁ ପଡିବ, ତାଙ୍କ ଭଳି ବରିଷ୍ଠ ନେତା ଶସ୍ତା ମନ୍ତବ୍ୟ ଦେବା ଅନୁଚିତ । ହଁ ଦଳକୁ ମଜଭୁତ କରିବାକୁ ସେ କାର୍ଯ୍ୟ କରିପାରିବେ, କର୍ମୀଙ୍କ ମନରେ ଜୋଶ ଭରିବାକୁ ଶାଣିତ ବୟାନ ଦେଇପାରିବେ ହେଲେ ସେ ଯେଉଁ ବାଟରେ ଯାଉଛନ୍ତି, ତାହା ତାଙ୍କ ବିଧାୟକ ଗାରିମାରେ ଆଂଚ ଆଣୁଛି ।
କେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ଏ ନବୀନା କହି ଗାଳି କରୁଥିବେ ତ କେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାଢିକୁ ନେଇ ସମାଲୋଚନା କରୁଥିବେ । ଉଭୟ ରାଜନୈତିକ ଦଳର ନେତାଙ୍କୁ ସମାଲୋଚନା କରିବାକୁ ମନା ନାହିଁ ହେଲେ ଏଥିରେ ଶାଳୀନତା ଥିବା ଦରକାର । ଯେତେବେଳେ ଏହା ଶାଳୀନତା ବାହାରକୁ ଚାଲିଯାଏ ସେତେବେଳେ ବୟାନ ତାର ଗୁରୁତ୍ୱ ହରାଇ ବସେ । ଆଉ ଯଦି ଏଭଳି ସ୍ଥିତି ସୁର ବାବୁ ବରାବର ବଜାୟ ରଖୀବେ ତେବେ ତାଙ୍କ ବୟାନ ସିନା ଭଲ ହଟଚମଟ ତିଆରି କରିବ, ହେଲେ ତାକୁ କେହି ସିରିୟସଲି ନେବେ ନାହିଁ । ଆଜିର ଦିନରେ କଂଗ୍ରେସ ଦଳ ଭିତରେ ହୁଏତ ସୁର ବାବୁଙ୍କର ଖାଦି ଥାଇପାରେ ହେଲେ ତାଙ୍କ ବୟାନ ଦଳର ନେତାଙ୍କ ସାମ୍ନାରେ ସେତେଟା ଗ୍ରହଣୀୟ ହୋଇପାରୁନାହିଁ । ତେଣୁ ସେ ଯଥାସମ୍ଭବ ଚିତଚାଂଚଲ୍ୟକାରୀ ବୟାନ ଦେବା ବଦଳରେ ପ୍ରସଙ୍ଗ ଭିତ୍ତିକ ଏବଂ ସମାଲୋଚନାଧର୍ମୀ ବନାୟ ମାନ ଦେଲେ ରାଜ୍ୟ ରାଜନୀତିରେ ତାଙ୍କର ଗୁରୁତ୍ୱ ଆହୁରି ଅଧିକ ବଢିପାରନ୍ତା । ଏବଂ କଂଗ୍ରେସ ଦଳ ହୁଏତ ଏହାକୁ ପାଥେୟ କରି ରାଜନୀତିର ମଇଦାନରେ ଆଗକୁ ବଢିପାରନ୍ତା ।
କଂଗ୍ରେସ ଦଳର ସବୁ ନେତାଙ୍କୁ ଗୋଟିଏ କଥା ମନେ ରଖୀବାକୁ ପଡିବ, କଥାରେ କେବେ ଭୋଟ ମିଳେନାହିଁ । ହୁଏତ ଦଳର ନେତା ଯୁକ୍ତି ରଖିପାରନ୍ତି ସେମାନେ ନିର୍ବାଚନରେ ବାଜିମାତ କରିବେ ୨୦୨୪ରେ କ୍ଷମତାକୁ ଅସିବେ ଏମିତି କେତେ କଣ । ହେଲେ ଗତ ଦୁଇ ଦଶନ୍ଧିର ରାଜନୀତିରେ ଏମିତି ଅନେକ ବୟାନ ଦିଆଯାଇଛି, ଯାହା କେବେ ସଫଳ ମଧ୍ୟ ହୋଇନାହିଁ । ଆଉ ଦଳ ଭିତରେ ସଭାପତି ପଦକୁ ନେଇ ଯେଉଁ ଗୋଛିକଟା ପର୍ବ ସବୁବେଳେ ଚାଲେ ତାହା ଦଳକୁ ରସାତଳକୁ ନେଇଯାଇଛି । ତେଣୂ ସୁର ବାବୁ ଗଣମାଧ୍ୟମରେ ଅଯଥା ବୟାନ ଦେଇ ସେନସେସନ ତିଆରି କରିବା ବଦଳରେ ଯଦି ଦଳର ଭୋଟ ଆଉ ସ୍ଥିତିକୁ ମଜଭୂତ କରିବାକୁ ସମସ୍ତଙ୍କ ସହ ମିଶି କାମ କରିବେ ତେବେ ଦଳ ପାଇଁ ଏହା ଆଶୀର୍ବାଦ ହୋଇପାରେ । ନଚେତ ଆଗାମୀ ଦିନରେ କଂଗ୍ରେସ କମିଙ୍ଗ ନାରା ଦେବାକୁ ମଧ୍ୟ କର୍ମୀ ନଥିବେ ।