ଚୁନ ମାରୁଥିଲେ ଏବେ ଚୁନା ମାରୁଛନ୍ତି… ରାଜଧାନୀର ଠକ ଠିକାଦାରଙ୍କ କାହାଣୀ !

ଅଳ୍ପ କିଛି ଦିନ ତଳେ ଥିଲେ ଜଣେ ସାଧାରଣ କଣ୍ଟ୍ରାକ୍ଟର । ରାଜଧାନୀର ଆର ଆଣ୍ଡ ବି ଅଧୀନରେ କରୁଥିଲେ ଛୋଟ ଛୋଟ ରକ୍ଷଣାବେକ୍ଷଣ କାମ । ସରକାରୀ କ୍ୱାର୍ଟରର ପାଚେରୀ ମରାମତି ହେଉ କି ଚୂନ ମାରିବା, କାମଟିଏ ପାଇବା ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେବାକୁ ପଡୁଥିଲା । ଆଉ ଏତିକି ବେଳେ ବିଲେଇ କପାଳକୁ ଶିକା ଛିଣ୍ଡିବା ପରି ମିଳିଗଲା ପାୱାର କରିଡରର ମୋଷ୍ଟ ପାୱାରଫୁଲ ବାବୁଙ୍କ କ୍ୱାର୍ଟର ମରାମତି କାମ । ବାସ ଚତୁର ଠିକାଦାର ଆରମ୍ଭ କରିଦେଲେ ଚକ୍ରବ୍ୟୁହ । କଳେବଳେ କୌଶଳେ ବାବୁଆଣିଙ୍କ ବିଶ୍ୱାସ ଜିତିଗଲେ ଆଉ ଘରକୁ ଯିବା ଆସିବା ମଧ୍ୟ ଆରମ୍ଭ କରିଦେଲେ । ଆଉ ତାପରେ ଛୋଟ କାମ ପାଇଁ ଯେଉଁ ଅଫିସକୁ ଦଉଡି ଦଉଡି ଚପଲ ଘୋରି ହେଇଯାଉଥିଲା, ସେହି ଅଫିସ ଉପରେ ଆରମ୍ଭ ହେଇଗଲା ପତିଆରା । ବାବୁ, ବାବୁଆଣିଙ୍କ କ୍ଷମତାକୁ ଢାଲ କରି ରାଜଧାନୀରେ ଥିବା ରୋଡ ଆଣ୍ଡ ବିଲ୍ଡିଂଗ ବିଭାଗର ୫ଟି ଡିଭିଜନ ଉପରେ ଦେଖାଇଲେ ହାକିମାତି । କିରାଣୀ ଚପରାସି ଠାରୁ ଆରମ୍ଭ କରି ସର୍ବୋଚ୍ଚ ଯନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ କରାୟତ କରିବାରେ ସମର୍ଥ ହେଲେ । ବିଭାଗର କିଛି ଦୁର୍ନୀତିଖୋର ବାବୁଙ୍କ ସହାୟତାରେ ହାତେଇଲେ ବଡ଼ ବଡ଼ ପ୍ରକଳ୍ପର ଠିକା କାମ ।   ରାଜଧାନୀରେ କାମ କରୁଥିବା ସବୁ ବଡ଼ ଓ ଅଭିଜ୍ଞ ଠିକାଦାରଙ୍କୁ ପଛରେ ପକାଇ ଏବେ ପାଲଟିଗଲେ ସୁପର କଣ୍ଟ୍ରାକ୍ଟର । ଆଉ ଏତିକି ବେଳେ ତାଙ୍କୁ ସାଥ ଦେବାକୁ ଆସିଗଲେ ଜଣେ ପୂର୍ବତନ ବିଧାୟକଙ୍କ ପୁଅ । ମିଳିମିଶି ତିଆରି କଲେ ଦୁର୍ନୀତିର ନକ୍ସା । ବାବୁ, ବାବୁଆଣିଙ୍କ  ସହ ସମ୍ପର୍କକୁ ବ୍ୟବହାର କରି ସମଗ୍ର ବିଭାଗକୁ ନିଜ ଅନୁସାରେ ପରିଚାଳନା କରିବାକୁ ଆରମ୍ଭ କରିଦେଲେ ।

ଏ କଥା ଆମେ କହୁନୁ, ଏମିତି ଚର୍ଚ୍ଚା ଏବେ କଣ୍ଟ୍ରାକ୍ଟର ଓ ଇଞ୍ଜିନିୟର ମହଲରେ ଜୋରସୋରରେ ଚାଲିଛି । କୁହାଯାଉଛି ବାବୁଆଣି ଏହି କରିତକର୍ମା ଠିକାଦାରଙ୍କ ଉପରେ ଏତେ ମାତ୍ରାରେ ବିଶ୍ୱାସ କରିଯାଇଛନ୍ତି ଯେ ସେ ଯେକୌଣସି ଇଂଜିନିୟରଙ୍କ ବଦଳି କରିବାରେ, ପଦୋନ୍ନତି ରୋକିବାରେ ସକ୍ଷମ । ତେଣୁ ଭୟ ଆଉ ଲୋଭରେ ଏବେ ପୁରା ବିଭାଗ ବାବୁଙ୍କ ଛତ୍ରଛାୟାରେ ଚାଲିଛି । ସମ୍ପୃକ୍ତ ଠିକାଦାର ମଧ୍ୟ  ୭ରୁ ୮ ଫାର୍ମ ଖୋଲି ହାତେଇ ଚାଲିଛନ୍ତି ଅନେକ ଉନ୍ନୟନ ମୂଳକ ଠିକା କାର୍ଯ୍ୟ ।

ବ୍ୟାପୀନିକୁ ମିଳିଥିବା ସୂଚନା ଅନୁସାରେ ଏହି ଠିକାଦାରଙ୍କୁ ପ୍ରଚୁର ଲାଭ ଦେବାପାଇଁ ବିଭାଗ ଆପଣେଇଛି ଏକ ନୂଆ ଫର୍ମୁଲା । ଯାହାକୁ କୁହାଯାଉଛି ଏସକାଲେସନ । ଠକେଇର ଏହି ନୂଆ ଫର୍ମୁଲାରେ ପ୍ରଥମେ ଏକ ଠିକା କାମକୁ ବହୁତ କମ ଟଙ୍କାରେ ଟେଣ୍ଡର ଡକାଯାଏ । ଫଳରେ ଅନ୍ୟ କଣ୍ଟ୍ରାକ୍ଟର କାମ ନେବାକୁ ଭୟ କରନ୍ତି । ଏହି କରିତକର୍ମା କଣ୍ଟ୍ରାକ୍ଟର କିନ୍ତୁ ସିଙ୍ଗଲ ବିଡ଼ର ହେଇ କାମକୁ ହାତେଇଥାନ୍ତି । ତାପରେ ଆରମ୍ଭ ହେଇଯାଏ ଏସକାଲେସନର ଖେଳ । ପ୍ରକଳ୍ପର ଧାର୍ଯ୍ୟ ମୂଲ୍ୟ ଠାରୁ କୋଟି କୋଟି ଟଙ୍କା ବଢିଚାଲେ ଖର୍ଚ୍ଚ । ଯାହାକୁ ସ୍ୱୀକୃତି ଦେଇଥାନ୍ତି ବିଭାଗୀୟ ଅଧିକାରୀ । ପ୍ରକୃତ ଟେଣ୍ଡର ମୂଲ୍ୟ ଓ ବଢାଯାଇଥିବା ମୂଲ୍ୟ ଭିତରେ ଆସିଯାଏ କୋଟି କୋଟି ଟଙ୍କାର ଆର୍ଥିକ ତୋଷରପାତର ଖେଳ । ବ୍ୟାପୀନିକୁ ଏମିତି ସୂଚନା ମଧ୍ୟ ମିଳିଛି ଯେ ଏହି ଧୁର୍ତ୍ତ ଠିକାଦାର ବାବୁ ବାବୁଆଣିଙ୍କ ଭୟ ଦେଖାଇ ଏବେ ରାଜଧାନୀର ଅନେକ ଉନ୍ନୟନମୂଳକ ପ୍ରକଳ୍ପକୁ ହାତେଇବାରେ ସମର୍ଥ ହେଇଛନ୍ତି । ଆଉ କିଛି ଲାଭଖୋର ଇଂଜିନିୟରଙ୍କ ସହ ହାତ ମିଶାଇ ଲୁଟି ଚାଲିଛନ୍ତି ସାଧାରଣ ଜନତାଙ୍କ କୋଟି କୋଟି ଟଙ୍କା । ଯିଏ ଆପତ୍ତି କରିବ ତାଙ୍କୁ ବାବୁ, ବାବୁଆଣିଙ୍କ ନାଁ ନେଇ ଧମକ ଦିଆଯାଉଛି । ଏହି କେଳେଙ୍କାରୀ କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ କରି ଖାରବେଳ ଭବନ, ଲୋକସେବା ଭବନରୁ ଆରମ୍ଭ କରି ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ବିଧାନସଭା ପର୍ଯ୍ୟନ୍ତ ବ୍ୟାପିଗଲାଣି ।

ଏବେ ପ୍ରଶ୍ନ ଉଠୁଛି, ଏହି ଦୁର୍ନୀତି ପଛରେ ସତରେ ବାବୁ ବାବୁଆଣିଙ୍କ ହାତ ଅଛି ନା ଏହି ଠକ ଠିକାଦାର କେବଳ ନାଁ ନେଇ ନିଜର ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି ? ଦୁର୍ନୀତି ବିରୋଧି ଲଢ଼େଇର ମଙ୍ଗ ଧରିଥିବା ବାବୁଙ୍କ ନାଁ ବ୍ୟବହାର କରି ତାଙ୍କ ନାକ ତଳେ ଚାଲିଥିବା ଦୁର୍ନୀତି ଉପରେ କେବେ ରୋକ ଲାଗିବ ତାକୁ ଅପେକ୍ଷା ।

Comments (0)
Add Comment