ନବୀନ ସରକାର, ଗରିବଙ୍କ ସରକାର । ଏଭଳି କହିବା ପଛର ଅନେକ କାରଣ ରହିଛି । ଗତ ୨୦ ବର୍ଷ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସି ଆସୁଛନ୍ତି ନବୀନ । ୨ ଦଶନ୍ଧି ହେବ ଲଗାତାର ନବୀନଙ୍କ ଉପରେ ବିଶ୍ୱାସ ଓ ଭରସା କରି ଆସୁଛନ୍ତି ଓଡ଼ିଶାବାସୀ । ଆଉ ଏହାର ପ୍ରତିବଦଳରେ ଓଡ଼ିଶାକୁ ବିକାଶ ବାଟରେ ଆଗେଇ ନେବାକୁ ଯେପରି ପଣ କରିଛନ୍ତି ନବୀନ । ଏହି ୨୦ ବର୍ଷ ମଧ୍ୟରେ ଅନେକ ବିକାଶମୂଳକ ଯୋଜନା ମାଧ୍ୟମରେ ନୂଆ ଓଡ଼ିଶା ପାଇଁ ନିଅଁ ଖୋଳିଛନ୍ତି ନବୀନ । ଓଡ଼ିଶାକୁ ନୂଆ ପରିଚୟ ଦେଇଥିବା ନବୀନ ନିଜ ଶାସନକାଳ ମଧ୍ୟରେ ଏମିତି ଅନେକ ଯୋଜନା ଆଣିଛନ୍ତି ଯାହା ଓଡ଼ିଶାବାସୀଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଛି ଓ ବିଭିନ୍ନ ରାଜ୍ୟ ଏହି ଯୋଜନାକୁ ଅନୁକରଣ କରିଥିବାର ନଜିର ରହିଛି ।
ଜନ୍ମରୁ ମୃତ୍ୟୁ ଯାଏଁ ଯେପରି ଜଣେ ସାଧାରଣ ଗରିବ ଲୋକଟିଏ ସମସ୍ତ ମୌଳିକ ସୁବିଧା ପାଇବ ସେଥିପାଇଁ ବିଭିନ୍ନ ପର୍ୟ୍ୟାୟରେ ଯୋଜନା ସାମ୍ନାକୁ ଆଣିଛନ୍ତି ନବୀନ । ଟଙ୍କିକିଆ ଚାଉଳ ଠାରୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପର୍ୟ୍ୟନ୍ତ, ପ୍ରତ୍ୟେକ ଯୋଜନାରେ ଗରିବ, ଖଟିଖିଆ, ଚାଷୀ, ମୂଲିଆଙ୍କୁ ଦିଆଯାଇଛି ପ୍ରାଥମିକତା । ଆଉ ଏହି ଯୋଜନା ମାଧ୍ୟମରେ ରାଜ୍ୟରୁ ଗରିବୀ ହଟାଇବାକୁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ନବୀନ । କେହି କେହି ଏହି ଯୋଜନାକୁ ନିର୍ବାଚନୀ ଥୋପ ବୋଲି କହିଥାନ୍ତି, କିନ୍ତୁ ଏହି ଯୋଜନାରେ ଯେ ଗରିବର ଖୁସି ଲୁଚି ରହିଛି ଓ ହସଖୁସିର ସଂସାର ଚଳୁଛି ତାହା ପ୍ରକୃତ ହିତାଧିକାରୀ ହିଁ ଭଲ ଭାବେ ବୁଝିଛି ।
୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ସହ ନୂଆ ଓଡ଼ିଶା ଗଠନ ପାଇଁ ସ୍ୱପ୍ନ ଦେଖିଥିଲେ ନବୀନ । ଯେଉଁ ଓଡ଼ିଶାରେ ନା ଗରିବି ଥିବ, ନା କାହାର ଅନାହାରରେ ଜୀବନ ଯାଉଥିବ । ସର୍ବୋପରି ସାଧାରଣ ଲୋକଟିଏ ମାଗଣାରେ ଚିକିତ୍ସାରେ ସୁବିଧା ପାଉଥିବ ଓ ପେଟକୁ ଆହାର ଯୋଗାଉଥିବା ଚାଷୀଟିଏ ମୁହଁରେ ହସ ଫୁଟାଇବା । କିଛି ଏଭଳି ଦିଗ ଉପରେ ନବୀନ ସରକାରଙ୍କର ସବୁଠୁ ଅଧିକ ଫୋକସ ରହିଥିଲା । ଯେଉଁଥିପାଇଁ ୨୦୦୮ ମସିହାରେ ଗରିବ ପରିବାର ପେଟରେ ଦାନା ଦି ମୁଠା ଦେବା ପାଇଁ ନବୀନ ସରକାର ଆରମ୍ଭ କରିଥିଲେ ୨ ଟଙ୍କିଆ ଚାଉଳ ଯୋଜନା । ରାଜ୍ୟର ସମସ୍ତ ବିପିଏଲ ଓ ଅନ୍ତ୍ୟୋଦୟ ହିତାଧିକାରୀଙ୍କୁ ୨ ଟଙ୍କାରେ ଚାଉଳ ଦେବାକୁ ନିଷ୍ପତି ନେଇ ଗରିବ ଲୋକର ପେଟର ଭୋକ ବୁଝିଥିଲେ ନବୀନ । ଯାହାର ଫାଇଦା ୨୦୦୯ ମସିହା ନିର୍ବାଚନରେ ବିଜେଡିକୁ ମିଳିଥିଲା । ବିଜେପି ସହ ମେଣ୍ଟ ଭାଙ୍ଗିଥିବା ବିଜେଡି ଏକାକୀ ସରକାର ଗଢିବାକୁ ସକ୍ଷମ ହୋଇଥିଲା ।
ତୃତୀୟ ଥର ସରକାରକୁ ଆସିବା ପରେ ନବୀନଙ୍କ ଫୋକସରେ ଥିଲା ମହିଳା ସଶକ୍ତିକରଣ । ମହିଳା ଆଗକୁ ବଢିଲେ, ରାଜ୍ୟ ଆଗକୁ ବଢିବ । ଏକଥାକୁ ବେଶ ଭଲ ଭାବେ ବୁଝିପାରିଥିଲେ ନବୀନ । ଯେଉଁଥିପାଇଁ ଏସଏଚଜି ଗ୍ରୁପ ଗଠନ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଆଗେଇ ଆସିଥିଲେ ନବୀନ ସରକାର । ଏସଏଚଜି ଗ୍ରୁପ ଗୁଡିକୁ କମ ସୁଧରେ ଋଣ ପ୍ରଦାନ କରିବା ସହ ଗାଁରୁ ଗରିବି ହଟାଇବାକୁ ଆରମ୍ଭ ହୋଇଥିଲା ଉଦ୍ୟମ । ୨୦୨୦ ସୁଦ୍ଧା ରାଜ୍ୟର ପାଖାପାଖି ୭୦ ଲକ୍ଷ ମହିଳାଙ୍କୁ ଏହି ଏସଏଚଜି ଗ୍ରୁପ ମାଧ୍ୟମରେ ସ୍ୱାବଲମ୍ବୀ କରିବାରେ ସକ୍ଷମ ହୋଇଛନ୍ତି ସରକାର । ଯାହା ନବୀନ ସରକାରଙ୍କ ସବୁଠୁ ବଡ ଉପଲବ୍ଧି । ଏହାସହ ଗର୍ଭବତୀ ମହିଳାଙ୍କ ପାଇଁ ‘ମମତା’ ଯୋଜନା ଆଣି ନବୀନ ମହିଳାଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି । ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସରକାର ମହିଳାଙ୍କ ସାଥୀରେ ସବୁବେଳେ ରହିଥିବାର ବାର୍ତ୍ତା ଦେଇଛନ୍ତି । ଯେଉଁଥିପାଇଁ ନବୀନଙ୍କ ସବୁଠୁ ବଡ ଭୋଟବ୍ୟାଙ୍କ ସାଜିଛନ୍ତି ମହିଳା । ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ବ୍ୟାପିନି ପକ୍ଷରୁ ନବୀନ ସରକରାରର ୨ ଦଶନ୍ଧିର ଯାତ୍ରାର ସମୀକ୍ଷା ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ନିଜ ତୃତୀୟ ପାଳିର ଶେଷ ଆଡକୁ ଗରିବ ଲୋକଙ୍କ ଭାତହାଣ୍ଡି ଉପରେ ପୁଣି ପଡିଥଲା ନବୀନଙ୍କ ନଜର । ୨୦୦୮ରେ ଯେଉଁ ୨ ଟଙ୍କିଆ ଚାଉଳ ଯୋଜନାର ଆରମ୍ଭ ହୋଇଥିଲା ତାହାକୁ ଅପଗ୍ରେଡ କରାଯାଇ ଟଙ୍କିକିଆ ଚାଉଳ ଯୋଜନା ଭାବେ ନବକଳେବର କରାଯାଇଥିଲା । ଯେଉଁ ଯୋଜନାରେ ଗରିବ ବିପିଏଲ ପରିବାରକୁ ୨ ଟଙ୍କା ବଦଳରେ ଟଙ୍କାଏରେ ୨୫ କିଲୋ ଚାଉଳ ମିଳିଲା । ଆଉ ନବୀନଙ୍କ ଏହି ଯୋଜନାର ଲାଭ ଲକ୍ଷ ଲକ୍ଷ ଗରିବ ପରିବାରକୁ ମିଳିଲା । ଆଉ ପ୍ରତିବଦଳରେ ୨୦୧୪ ନିର୍ବାଚନରେ ଦେଶରେ ମୋଦି ହାୱା ସତ୍ତ୍ୱେ ମଧ୍ୟ ବିଜୟର ବାନା ଉଡାଇବାକୁ ସକ୍ଷମ ହୋଇଥିଲା ବିଜେଡି । ଚତୁର୍ଥ ପାଳି ଆରମ୍ଭ କରିବା ପରେ ମଧ୍ୟ ଆଉ ଚୁପ୍ ବସିନଥିଲେ ନବୀନ । ଏହି ଚତୁର୍ଥ ପାଳିରେ ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ସାମ୍ନାକୁ ଆଣିବା ସହ ଏହାର ଲାଭ କିପରି ପ୍ରତିଟି ଗରିବ ଓଡ଼ିଆଙ୍କ ପାଖରେ ପହଞ୍ଚିବ ସେଥିପାଇଁ ବେଶ କ୍ରିୟାଶୀଳ ହୋଇଉଠିଥିଲେ ନବୀନ । ବ୍ୟାପିନି ପ୍ରତିନିଧିଙ୍କ ନିକଟରେ ହିତାଧିକାରୀ ଖୁସି ମଧ୍ୟ ଜାହିର କରିଛନ୍ତି । ଯୋଜନାର ସୁଫଳ ପାଇଥିବା ଦର୍ଶାଇଛନ୍ତି ।
୨୦୧୫ରେ ଆହାର, ୨୦୧୮ରେ କାଳିଆ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଣି ନବୀନ ମାରିଥିଲେ ନିଜ କ୍ୟାରିୟରର ସବୁଠୁ ବଡ ମାଷ୍ଟରଷ୍ଟ୍ରୋକ । ଆହାର ଯୋଜନା ମାଧ୍ୟମରେ ୫ ଟଙ୍କାରେ ସାଧାରଣ ଭୋକିଲା ଲୋକଟିଏ ପେଟରେ ଆହାର ଦେଇ ବେଶ ପ୍ରଂଶସା ସାଉଁଟିଥିଲେ ନବୀନ । ତେବେ ଗରିବ ଓ ମହିଳାଙ୍କ ପାଇଁ ମାଳମାଳ ଯୋଜନା ଭିତରେ ମାଗଣା ସ୍ୱାସ୍ଥ୍ୟସେବା ଓ ଚାଷୀଙ୍କ ବାବଦରେ ଯେଉଁ ଯୋଜନା ସାମ୍ନାକୁ ଆଣିଥିଲେ ତାହା ଅନ୍ୟ ରାଜ୍ୟଗୁଡିକ ପାଇଁ ମଡେଲ ଭାବେ ଉଭା ହେଲା । ୨୦୧୮ ସ୍ୱାଧୀନତା ଦିବସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପୁନାଦି ଖୋଳିଲେ ନବୀନ । ଯେଉଁ ଯୋଜନାରେ ରାଜ୍ୟର ପାଖାପାଖି ୭୦ ଲକ୍ଷ ପରିବାରର ସାଢେ ୩ କୋଟି ଲୋକଙ୍କ ପାଇଁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଘୋଷଣା କରିଥିଲେ । ଯେଉଁଠି ଟଙ୍କା ଅଭାବରୁ ହସ୍ପିଟାଲ ନ ଯାଇ ଲୋକେ ମୃତ୍ୟୁକୁ ଆଦରି ନିଅନ୍ତି ସେମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଶାର ଆଲୋକ ଭାବେ ଉଭା ହେଲା । ଗରିବ ଲୋକଟିଏ ମଧ୍ୟ ବଡ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେବା ସହ ଭଲ ହୋଇ ଫେରିପାରିବ ଏଭଳି ସ୍ୱପ୍ନକୁ ପୂରା କରିଥିଲେ ନବୀନ । କେନ୍ଦ୍ରର ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ଆୟୁଷ୍ମାନ ଯୋଜନାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସାମିଲ କରିନଥିଲେ ନବୀନ । କାରଣ କେନ୍ଦ୍ର ଯୋଜନାକୁ ଗ୍ରହଣ କରିଥିଲେ ପାଖାପାଖି ୯ ଲକ୍ଷ ପରିବାର ମାଗଣା ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇଥାନ୍ତେ । ଯାହା ଦର୍ଶାଉଥିଲା ଓଡ଼ିଶାର ପ୍ରତିଟି ଲୋକ ପାଖରେ ମାଗଣାରେ ସ୍ୱାସ୍ଥ୍ୟସେବା ପାଇଁ ନବୀନଙ୍କ ଷ୍ଟ୍ରାଟେଜି କଣ ଥିଲା ।
କେବଳ ମାଗଣା ସ୍ୱାସ୍ଥ୍ୟସେବା ନୁହେଁ ନିର୍ବାଚନ ପୂର୍ବରୁ ଗରିବ ଚାଷୀ ଭାଇଙ୍କ ପାଇଁ ବଡ ଉପହାର ଘୋଷଣା କରିଥିଲେ ନବୀନ । କୃଷକଙ୍କ ପାଇଁ କାଳିଆ ‘ଯୋଜନା’ ଆଣି ପୂରା ଦେଶ ପାଇଁ ରୋଲମଡେଲ ସାଜିଥିଲେ ନବୀନ । ଋଣଛାଡର ପ୍ରତିଶ୍ରୁତି ନୁହେଁ ବରଂ ଚାଷ କାର୍ୟ୍ୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ଚାଷୀଙ୍କୁ ଖୁସ କରି ଦେଇଥିଲେ ନବୀନ । ଉଭୟ ଖରିଫ ଓ ରବି ଋତୁ ପାଇଁ ବର୍ଷକୁ ୨ ଥର ଆର୍ଥିକ ସହାୟତା ଦେବାକୁ ସରକାରଙ୍କ ଘୋଷଣା ଚାଷୀଙ୍କୁ ଚାଷ କାର୍ୟ୍ୟପାଇଁ ଅଧିକ ପୋତ୍ସାହିତ କଲା । ଆଉ ଏହି କାଳିଆ ଯୋଜନା ମାଧ୍ୟମରେ ଓଡ଼ିଶାର ପ୍ରତିଟି ଚାଷୀଙ୍କ ପାଖରେ ପହଞ୍ଚିଛନ୍ତି ନବୀନ । ବ୍ୟାପିନି ପ୍ରତିନିଧିଙ୍କୁ ଚାଷୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, କିଭଳି ଏହି ଯୋଜନା ସେମାନଙ୍କ ପାଇଁ ବରଦାନ ସାଜିଲା । ସେ ଚାଷୀ ହୁଅନ୍ତୁ ବା ମହିଳା, ଛାତ୍ର ହୁଅନ୍ତୁ ବା ବୃଦ୍ଧ, ଜନ୍ମରୁ ମୃତ୍ୟୁ ଯାଏଁ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇ ବେଶ ଲୋକପ୍ରିୟ ହୋଇପାରିଛନ୍ତି ନବୀନ । ଜନତାଙ୍କ ସମସ୍ୟା ସହ ସବୁବେଳେ ଜଡିତ ରହିବା ସହ ଲଏହାକୁ କିଭଳି ସମାଧାନ କରାଯିବ ସେ ଦିଗରେ ପଦକ୍ଷେପ ନେଉଥିବାରୁ ଓଡ଼ିଶାରେ ଜନପ୍ରିୟ ନେତାର ଟ୍ୟାଗ୍ ପାଇଛନ୍ତି ନବୀନ ।