ବିଜୁ ଜନତା ଦଳ । ଆଞ୍ଚଳିକ ଦଳର ଟ୍ୟାଗ୍ ଲାଗିଥିବା ଏହି ଦଳକୁ ନେଇ ଜାତୀୟ ରାଜନୀତିରେ ସବୁଠୁ ଅଧିକ ଚର୍ଚ୍ଚା ହୋଇଥାଏ । ଦଳ ଗଠନ ଠାରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନରେ ବିଜେଡିର ଭୂମିକାକୁ ନେଇ ହୋଇଥାଏ ଚର୍ଚ୍ଚା । ଆଉ ଏହାରି ଭିତରେ ଆସନ୍ତା ଡିସେମ୍ବର ୨୬ରେ ବିଜେଡି ୨୪ ବର୍ଷ ବୟସରେ ପାଦ ଦେବ । ତେବେ ଏହି ୨୩ ବର୍ଷର ଲମ୍ବା ଯାତ୍ରା ଅନେକ ବାଧାବିଘ୍ନ, ଝଡଝଞ୍ଜାକୁ ସାମ୍ନା କରିଛି ଦଳ କିନ୍ତୁ ସବୁବେଳେ ଦଳ ପାଇଁ ତ୍ରାଣକର୍ତ୍ତା ସାଜି ଉଭା ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
୧୯୯୬ରେ ବିଜୁଙ୍କ ଦେହାନ୍ତ ଓ ତା ପରେ କଂଗ୍ରେସକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଓଡ଼ିଶା ରାଜନୀତିରେ ଭିନ୍ନ ଏକ ବାତାବରଣ ସୃଷ୍ଟି କରିଥିଲା । ବିଜୁଙ୍କ ଦେହାନ୍ତ ପରେ ଜନତା ଦଳରେ ଫାଟ ବିଜେଡି ଗଠନ ପାଇଁ ବାଟ ଫିଟାଇଥିଲା । ୨୬ ଡିସେମ୍ବର ୧୯୯୭ । ଓଡ଼ିଶା ରାଜନୀତିରେ ନୂଆ କରି ଜନ୍ମ ନେଇଥିଲା ବିଜେଡି । ପ୍ରବାଦ ପୁରୁଷ ତଥା ଦିବଙ୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ଓଡ଼ିଶା ରାଜନୀତିରେ ବିଜେଡିର ଅଭ୍ୟୁଦୟ ଘଟିଥିଲା । କିନ୍ତୁ ଓଡ଼ିଶା ରାଜନୀତିରେ ବିଜେଡି ଭଳି ଛୋଟ ଗଛଟିଏ ଯେ, କେବେ ମହାଦ୍ରୁମ ପାଲଟିଯିବ ତାହା ହୁଏତ କେହି କଳ୍ପନା କରିନଥିଲେ । ଶୂନରୁ ଶ୍ରେଷ୍ଠ, ଗତ ୨୩ ବର୍ଷ ମଧ୍ୟରେ ଏହା ହେଉଛି ବିଜେଡି ପାଇଁ ସବୁଠୁ ବଡ ଉପଲବ୍ଧି । ଆଉ ଓଡ଼ିଶାରେ ଆଞ୍ଚଳିକ ଦଳ ଭାବେ ଶୂନରୁ ଆରମ୍ଭ ହୋଇଥିବା ବିଜେଡିର ରଥକୁ ୧୦୦ ପାର କରିବା ପଛର ମୁଖ୍ୟ ବିନ୍ଧାଣୀ ସାଜିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।
ଓଡ଼ିଶା ରାଜନୀତିରେ ବିଜେଡିର ଏଣ୍ଟ୍ରି ସହ କଂଗ୍ରେସର ରାଜନୈତିକ ଭବିଷ୍ୟତରେ ଘୋଟି ଆସିଥିଲା କଳାବାଦଲ । ଯେଉଁ କଳାବାଦଲ ଦୀର୍ଘ ଦୁଇ ଦଶନ୍ଧି ହେବ କଂଗ୍ରେସର ଭବିଷ୍ୟତକୁ ଅନ୍ଧାର କରି ରଖିଛି । ଏହାସହ ବିଜେଡି ଯେଉଁଭଳି ଭାବେ ମହାଦ୍ରୁମ ସାଜି ନିଜର ଶାଖା ପ୍ରଶାଖା ମେଲାଇଲା ତା ଛାଇତଳେ ଓଡ଼ିଶା ରାଜନୀତିରେ ଅନ୍ୟ କୌଣସି ଦଳ ଏଯାଏଁ ମୁଣ୍ଡ ଟେକିପାରିଲା ନାହିଁ । ଯେଉଁଥିପାଇଁ ଦୀର୍ଘ ୨୦ ବର୍ଷ ହେବ ରାଜ୍ୟରେ ବିଜେଡି ଉଡାଇ ଚାଲିଛି ବିଜୟ ବାନା । ଆଉ ବିଜେଡିର ଏହି ବିଜୟରଥର ସାରଥୀ ସାଜିଛନ୍ତି ଖୋଦ୍ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଓଡ଼ିଶା ରାଜନୀତିରେ ଜଣେ ଅପରାଜୟ, ଅଦ୍ୱିତୀୟ ଓ ଅପ୍ରତିଦ୍ୱନ୍ଦୀ ନେତା ଭାବେ ନିଜକୁ ଗଢି ତୋଳିଛନ୍ତି ନବୀନ ।
୧୯୯୭ରୁ ୨୦୨୦ । ବିଜେଡିର ବୟସ ବଢିବା ସହ ବଢିଛି ଶକ୍ତି । ଏହି ୨୩ ବର୍ଷ ମଧ୍ୟରେ ଦଳ ସଫଳତାର ଶୀର୍ଷରେ ପହଞ୍ଚିଛି । ୨୦୦୦ ମସିହାରୁ ଲଗାତାର ୨୦ ବର୍ଷ ହେବ ରାଜ୍ୟରେ ଶାସନର ମଙ୍ଗ ରହିଛି ବିଜେଡି ହାତରେ । ତେବେ ବିଜେଡିକୁ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢାଇବା ପଛର ସବୁଠୁ ବଡ ନାୟକ ସାଜିଛନ୍ତି ନବୀନ । ଗତ ୨୦ ବର୍ଷର ନିରୁଙ୍କୁଶ ଶାସନ ଦର୍ଶାଉଛି, ବିଜେଡି ଓ ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କର ଥିବା ଭଲପାଇବା ଓ ବିଶ୍ୱାସ । ୧୯୯୭ରେ ନୂଆ କରି ଜନ୍ମନେଇଥିବା ବିଜେଡିକୁ ୨୦୨୦ରେ ପଲିଟିକାଲ ପ୍ଲେ-ଗ୍ରାଉଣ୍ଡରେ ସବୁଠୁ ପ୍ରଭାବଶାଳୀ ଦଳ ଭାବେ ଛିଡା କରାଇଛନ୍ତି ନବୀନ । ତେବେ ଏତିକିରେ ସରିନି ବିଜେଡି ଓ ନବୀନଙ୍କ ସଫଳତାର କାହାଣୀ, ଆଗକୁ ମଧ୍ୟ ଏହି ସିରିଜ ଜାରି ରହିବ… ।