ସସ୍ମିତ ପାତ୍ର, ସୁଲୋଚନା ଦାସ । ଦୁଇ ନେତା ନିର୍ବାଚନ ଆଗରୁ ବିଜେଡିରେ ସାମିଲ ହେଲେ । ସସ୍ମିତ ଏବେ ରାଜ୍ୟସଭା ସାଂସଦ । ସୁଲୋଚନା ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା । ଦୁଇ ନେତାଙ୍କୁ ଦଳ ଯଥେଷ୍ଟ ଗୁରୁତ୍ୱ ଦେଇ ପଦ ପଦବୀ ଦେଲା । ହେଲେ ଦଳ ଭିତରେ ସସ୍ମିତ ଯେଉଁ କାଟତି ହାସଲ କରିବାରେ ସଫଳ ହେଲେ, ସେହି ରେସରେ ସୁଲୋଚନା ପଛରେ ରହିଯାଇଥିବା ଅନୁମାନ କରାଯାଉଛି । ଦଳରେ ସାମିଲ ହେବା ପରେ ଦୁଇ ନେତାଙ୍କୁ ଦଳ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଥିଲା । ନିର୍ବାଚନ ପୂର୍ବରୁ ଉଭୟ ନେତା ଦଳ ସପକ୍ଷରେ ଗଣମାଧ୍ୟମରେ ବୁଲି ବୁଲି ଯୁକ୍ତି ରଖୁଥିଲେ । ଯେତେବେଳେ ବିଜେଡି-ବିଜେପି ଭିତରେ ଲଢେଇ ଜୋରଦାର ହେଉଥିଲା, ଯେତେବେଳେ ନେତା ନିର୍ବାଚନ ମୈଦାନରେ ନିଜର ଭାଗ୍ୟ ପରୀକ୍ଷା କରୁଥିଲେ ଠିକ ସେତିକି ବେଳେ ଦଳ ପାଇଁ ରାଜଧାନୀରେ ରହି ନିର୍ବାଚନ କମିଶନ ଅଫିସରେ ଆଉ ଗଣମାଧ୍ୟମ ସାମ୍ନାରେ ଲଢୁଥିଲେ । ଯେଉଁଥିପାଇଁ ଦଳ ଉଭୟଙ୍କୁ ଭଲ ପଦ ପଦବୀ ଦେଇ ପୁରସ୍କୃତ କରିଥିଲେ ।
ହେଲେ ପଦ ପଦବୀ ପାଇବାର କିଛି ଦିନ ଭିତରେ ସସ୍ମିତ ଯଥେଷ୍ଟ ଆଗକୁ ବଢିଗଲେ ହେଲେ ସୁଲୋଚନା ପଛରେ ରହିଯାଇଥିବା ଅନୁମାନ କରାଯାଉଛି । କିଛି ଦିନ ଆଗରୁ ରାଜଧାନୀର ଏକଟ୍ରେନିଂ ସେଂଟରରେ ଯେଉଁ ଅଘଟଣ ଘଟିଥିଲା, ତାକୁ ନେଇ ଗଣମାଧ୍ୟମରେ ଯେତିକି ଚର୍ଚ୍ଚା କରାଗଲା ଆଉ ସେତେବେଳେ ସୁଲୋଚନା ଦାସ ଯେଉଁ ବୟାନ ରଖିଥିଲେ ଆଉ ମନ୍ତ୍ରୀ ଓ ସରକାରଙ୍କୁ ବିବାଦ ଘେରକୁ ଟାଣିଥିଲେ ସେତେବେଳେ ବିଜେଡିର ଛାୟା ସୋସିଆଲ ମିଡିଆ ସୁଲୋଚନାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲା । ଏପରିକି ଛାୟା ସୋସିଆଲ ମିଡିଆ ପେଜରେ ଦଳ ଛାଡି ପଳାଇବାକୁ ଆହ୍ୱାନ ବି ଦିଆଯାଇଥିଲା । ଯାହା ଦର୍ଶାଉଥିଲା ସୁଲୋଚନାଙ୍କ ବୟାନକୁ ଦଳ ଭିତରେ ସହଜରେ ଗ୍ରହଣ କରାଯାଇ ନାହିଁ । ଆଉ ତାଙ୍କ ବୟାନ ସରକାରକୁ ଅକଳରେ ପକାଇ ଦେଇଥିଲା ।
ଅପରପକ୍ଷରେ ସସ୍ମିତ ପାତ୍ର କିନ୍ତୁ ବୁଝି ବିଚାରି ବୟାନ ରଖି ଦଳର ଅନ୍ଦର ମହଲର ଅନେକ ନିକଟତର ହୋଇପାରିଛନ୍ତି । ଜାତୀୟ ସ୍ତରରେ ଦଳର ମୁଖପାତ୍ର ସାଜିବା ସହ ଦଳର ରିସର୍ଚ୍ଚ ଟିମର ସୁତ୍ରଧର ସାଜିଛନ୍ତି । ଉଭୟ ହିନ୍ଦି, ଇଂରାଜୀ ଏବଂ ଓଡିଆ ଭାଷାରେ କହିପାରୁଥିବା ସସ୍ମିତ ଓଡିଶାରେ ଆଉ ଜାତୀୟ ସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଖାଲି ସେତିକି ନୁହେଁ ସଂସଦରେ ଦଳ ପାଇଁ ଗୈାରବ ମଧ୍ୟ ଆଣିଛନ୍ତି । ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ତାଙ୍କୁ ବାରମ୍ବାର ପ୍ରଶଂସା କରିବା ସସ୍ମିତଙ୍କର ଏକ ବିରାଟ ଉପଲବ୍ଧି ମଧ୍ୟ । ଏହା କହିବାର ଅର୍ଥ ହେଉଛି ଦୁଇ ନେତା ଦଳ ପାଇଁ କାର୍ଯ୍ୟ କରି ପଦ ପାଇଲେ । କିଏ କେମିତି ଉପଯୋଗ କରି ଆଗକୁ ବଢିଲେ ଆଉ କିଏ ପଛେô ରହିଗଲେ, ତାର ସବୁଠାରୁ ବଡ ଉଦାହରଣ ବିଜେଡି ଭିତରେ ଦେଖୀବାକୁ ମିଳୁଛି ।
ଅବଶ୍ୟ କମିଶନ ପଦରେ ଥିବାରୁ ସୁଲୋଚନା ଦଳର କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ନାହିଁ କିମ୍ବା ଦଳୀୟ ନିଷ୍ପତ୍ତିରେ ମୁହଁ ଖୋଲିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ । ଯାହା ତାଙ୍କ ପାଇଁ ଏକ ଅନ୍ତରାୟ ମଧ୍ୟ ହେଉଛି । ହେଲେ ଯେତେବେଳେ ତାଙ୍କର ଏକ ବୟାନ ଉଭୟ ଦଳ ଆଉ ସରକାରଙ୍କୁ ଅଡୁଆରେ ପକାଉଛି ଠିକ ସେତିକି ବେଳେ ଦଳର ଛାୟା ସୋସିଆଲ ମିଡିଆ ତାଙ୍କୁ ଆକ୍ରମଣ କରିବା ପଛର ରହସ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କୁହାଯାଉଛି ରାଜଧାନୀର କିଛି ନେତାଙ୍କ ଇଙ୍ଗିତରେ ସୁଲୋଚନାଙ୍କୁ ଟାର୍ଗେଟ କରାଯାଇଛି । ଅବଶ୍ୟ ଦଳ ଭିତରେ ନେତା ମୁହଁ ଖୋଲୁନଥିଲେ ମଧ୍ୟ ସୁଲୋଚନାଙ୍କ ବିରୋଧରେ ଏକ ଚାପା ଅସନ୍ତୋଷ ରହିଛି । ଅନ୍ୟପକ୍ଷରେ ସସ୍ମିତ ଉଭୟ ରାଜ୍ୟ ଏବ ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଦଳର କ୍ଷମତାକେନ୍ଦ୍ରଙ୍କର ଅତି ବିଶ୍ୱସ୍ତ ପାଲଟି ଯାଇଛନ୍ତି ।