ସୁରେଶ ମହାପାତ୍ର – ରାଜ୍ୟ ପ୍ରଶାସନ ମୁଖିଆ

ନୁଆବର୍ଷ ଆଗରୁ ରାଜ୍ୟ ଦେଖିଲା ନୁଆ ମୁଖ୍ୟ ଶାସନ ସଚିବ । ଉନ୍ନୟନ କମିଶନର ଥିବା ସୁରେଶ ମହାପାତ୍ର ରାଜ୍ୟ ପ୍ରଶାସନର ନୁଆ ମୁଖିଆ ଭାବେ ଦାୟିତ୍ୱ ପାଇଛନ୍ତି । ଆସନ୍ତା ୩୧ ତାରିଖରେ ଅସିତ ତ୍ରିପାଠୀଙ୍କ ଅବସର ପରେ ଏହି ପଦରେ ବସିବେ ସୁରେଶ ମହାପାତ୍ର । ସେହିଭଳି ଏସଆରସି ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଉଥିବା ପ୍ରଦୀପ ଜେନା ରାଜ୍ୟର ପରବର୍ତ୍ତୀ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ତୁଲାଇବେ ।

୧୯୮୬ ବ୍ୟାଚର ଆଇଏଏସ ହେଉଛନ୍ତି ସୁରେଶ ମହାପାତ୍ର । କରୋନା କାଳରେ ରାଜ୍ୟ ଯେତେବେଳେ ସବୁଠାରୁ ବଡ ଆହ୍ୱାନର ସାମ୍ନା କରୁଥିଲା ସେତେବେଳେ ମୁଖ୍ୟ ଶାସନ ସଚିବଙ୍କ ସହ ମିଶି ମୁକାବିଲାର ଯେଉଁ ରୋଡମ୍ୟାପ ପ୍ରସ୍ତୁତ କରିଥିଲେ, ତାହା ବେଶ ପ୍ରଶଂସନୀୟ ହୋଇଥିଲା । ସେହିଭଳି ୧୯୮୯ ବ୍ୟାଚର ଅଧିକାରୀ ପ୍ରଦୀପ ଜେନା ଉନ୍ନୟନ କମିଶନର ଭାବେ ଏବେ ଦାୟିତ୍ୱ ତୁଲାଇବେ । ଏସଆରସି ଭାବେ ସେ ଯେଉଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସମ୍ପାଦନ କରିଛନ୍ତି, ତାକୁ ଆଖି ଆଗରେ ରଖି ସରକାର ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ଖାସ କରି ବାତ୍ୟା ଏବଂ ସମ୍ଭାବ୍ୟ ବନ୍ୟା ସମୟରେ ହେଉ ଅବା କରୋନା କାଳରେ ଲୋକଙ୍କୁ ସତର୍କ କରିବା ଉଭୟ କାର୍ଯ୍ୟକୁ ସେ ସଠିକ ଭାବେ ସାରିଛନ୍ତି ।

ଅନୁମାନ କରାଯାଉଛି, ରାଜ୍ୟ ପ୍ରଶାସନର ଶୀର୍ଷ ସ୍ତରରେ ଅଦଳବଦଳ ପରେ ଖୁବଶୀଘ୍ର ଆଇଏଏସ ସ୍ତରରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଖାସ୍ କରି ନିଜର ନୂଆ ଟିମ ଗଢିବେ ସୁରେଶ ମହାପାତ୍ର । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସଚିବ ସ୍ତର ଯାଏଁ ସବୁ କ୍ଷେତ୍ରରେ ଅଦଳବଦଳ ହେବାର ସମ୍ଭାବନା ଅଛି ।

Comments (0)
Add Comment