ରାଜ୍ୟରେ ଲାଗୁ ହୋଇପାରେ ଦିନ କର୍ଫ୍ୟୁ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମୁହଁରୁ କିଛି ଏଭଳି ବୟାନ ଲୋକଙ୍କୁ କିଛି ସମୟ ପାଇଁ ତାଜୁବ କରି ଦେଇଥିଲା । ଆଉ ସୂର୍ଯ୍ୟ ମଧ୍ୟ ଏଥିପାଇଁ ଡେଡଲାଇନ ରଖି ସାରିଥିଲେ, ଅଥାର୍ତ ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଲାଗୁ ହୋଇପାରେ ଦିନ କର୍ଫ୍ୟୁ । ଏଥିପାଇଁ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଅନୁଧ୍ୟାନ କରୁଛନ୍ତି ବୋଲି ରାଜ୍ୟବାସୀଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇଥିଲେ ବାଚସ୍ପତି । କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସରକାର ଏଭଳି କିଛି ନିଷ୍ପତି ନେଇପାରନ୍ତି ବୋଲି ବାଚସ୍ପତି ସର୍ତକ କରାଇଲେ । କିନ୍ତୁ ସୂର୍ଯ୍ୟଙ୍କର ଏହି ସର୍ତକବାଣୀ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିଲା । ପୁଣିଥରେ ଲକଡାଉନ ଭଳି ସ୍ଥିତି ଉପୁଜିପାରେ ବୋଲି କିଛି ଘଣ୍ଟା ପାଇଁ ମନେ ହେଲା । କାରଣ କରୋନା ଭୟଙ୍କର ହେଉଛି ବୋଲି କହିବା ଲୋକଙ୍କ ମନରେ କେଉଁଠି ନା କେଉଁଠି ଡର ସୃଷ୍ଟି କରିଥିଲା । ତେବେ ବାଚସ୍ପତିଙ୍କ ଏହି ବୟାନର ବୈଧତା ଥିଲା ମାତ୍ର କିଛି ଘଣ୍ଟା ପାଇଁ । କାରଣ ସୂର୍ଯ୍ୟାସ୍ତ ପରେ ସୂର୍ଯ୍ୟଙ୍କ ବୟାନ ଯେପରି ଅସ୍ତ ହୋଇସାରିଥିଲା । ସୂର୍ଯ୍ୟଙ୍କ ବୟାନ ଉପରେ ପୂର୍ଣ୍ଣଚ୍ଛେଦ ଟାଣି ସାରିଥିଲେ ଏସଆରସି । କରୋନା ସଂକ୍ରମଣ ଉପରେ ରାଜ୍ୟ ସରକାର ଦୃଷ୍ଟି ରଖିଛନ୍ତି ଓ ରାଜ୍ୟରେ ଦିନ କର୍ଫ୍ୟୁ ଲାଗୁ କରିବା ନେଇ କୌଣସି ଯୋଜନା ହୋଇନାହିଁ ବୋଲି ସ୍ପଷ୍ଟୀକରଣ ରଖିଥିଲେ ଏସଆରସି । ଆଉ ସନ୍ଧ୍ୟାରେ ହୋଇଥିବା ଏହି ଟ୍ୱିଟ୍ ସୂର୍ଯ୍ୟଙ୍କ ବୟାନକୁ କିଛି ସେକେଣ୍ଡ ମଧ୍ୟରେ ମୂଲ୍ୟହୀନ କରି ଦେଇଥିଲା ।
କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ରାଜ୍ୟରେ ଦିନ କର୍ଫ୍ୟୁ ଲାଗୁ ହୋଇପାରେ ଏଭଳି ତଥ୍ୟ କେଉଁଠୁ ପାଇଲେ ସୂର୍ଯ୍ୟ? ଗଣମାଧ୍ୟମରେ ବୟାନ ରଖିବା ପୂର୍ବରୁ କାହା ସହ ଆଲୋଚନା କରିଥିଲେ କି ସୂର୍ଯ୍ୟ । ନା ଅନ୍ୟ ରାଜ୍ୟର କଟକଣାକୁ ଦେଖି ଏମିତି ଅନୁମାନ ଲଗାଇଥିଲେ ସୂର୍ଯ୍ୟ? ଯଦି ହଁ, ତେବେ ଏମିତି କେଉଁ ଗ୍ରାଉଣ୍ଡରେ । କାରଣ ରାଜ୍ୟରେ ଏବେ କରୋନାର ପ୍ରକୋପ ଅନ୍ୟ ରାଜ୍ୟ ଭଳି ସେତେଟା ଅଧିକ ନାହିଁ । ଏପରିକି ରାଜ୍ୟ ସରକାର ମଧ୍ୟ ଗାଇଡଲାଇନ ମାନିବାକୁ ପରାମର୍ଶ ଦେଉଥିବା ବେଳେ କଡା କଟକଣା ଲଗାଇବା ସପକ୍ଷରେ ଆଉ ନାହାନ୍ତି ବୋଲି ସଂକେତ ଦେଇଛନ୍ତି । ଏଭଳି ସ୍ଥିତିରେ ସୂର୍ଯ୍ୟ ଏପରି ଭୁଲ ତଥ୍ୟ ଦେଲେ ବା କିପରି? କାରଣ ମହାମାରୀ ଆରମ୍ଭରୁ କରୋନା ଗାଇଡଲାଇନ ସର୍ମ୍ପକରେ କେବେ ହେଲେ ବୟାନ ରଖିନଥିଲେ ସୂର୍ଯ୍ୟ । ତେଣୁ କର୍ଫ୍ୟୁ ହୋଇପାରେ ବୋଲି ଯେତେବେଳେ ସୂର୍ଯ୍ୟ ଦୃଢତାର ସହ କହୁଛନ୍ତି, ସେତେବେଳେ ଏକ ବିଶ୍ୱାସଯୋଗ୍ୟ ସୂତ୍ରରୁ ଏ ଖବର ଆସିଥିବ ନିଶ୍ଚୟ । ତେବେ ଏହି ସୂତ୍ରରୁ ଆସିଥିବା ଖବର ମିଥ୍ୟା ହେଲା କିପରି? ନା ଜାଣିଶୁଣି ସୂର୍ଯ୍ୟଙ୍କ ମୁହଁରେ କିଏ ମିଛ କୁହାଇଛି?
ସୂର୍ଯ୍ୟ ଏଭଳି ବୟାନ ଦେଇ କେବଳ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇନାହାନ୍ତି ବରଂ ସରକାରଙ୍କୁ ମଧ୍ୟ ଅକଳରେ ପକାଇଛନ୍ତି । କେବଳ ଯେ ସୂର୍ଯ୍ୟଙ୍କ ବୟାନ ଲୋକଙ୍କୁ ଅକଳରେ ପକାଇଛି ତାହା ନୁହେଁ ବରଂ ବିଧାନସଭାରେ ସୂଯ୍ୟଙ୍କୁ ନେଇ ଯେଉଁ ଡ୍ରାମା ଚାଲିଛି ତାହା ଭିତରକୁ ବି ଶାସକ ଦଳକୁ ଟାଣିଛନ୍ତି ବିରୋଧୀ । ସରକାରଙ୍କ ଇଙ୍ଗିତରେ କାମ କରୁଥିବା ଦର୍ଶାଇ ସୂର୍ଯ୍ୟଙ୍କ ଉପରକୁ ଚପଲ ଫିଙ୍ଗିବାକୁ ବି ପଛାଇନାହାନ୍ତି ବିରୋଧୀ । ଆଉ ଏହାପରେ ବିରୋଧୀ ବିଧାୟକଙ୍କୁ ସସପେଣ୍ଡ କରି ରାଜ୍ୟ ରାଜନୀତିକୁ ଆହୁରି ରୋଚକ କରିଛନ୍ତି ବାଚସ୍ପତି । ଯାହାକୁ ନେଇ ବାଚସ୍ପତିଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଏହି ଦୁଇ ଘଟଣା ଏବେ ବାଚସ୍ପତିଙ୍କୁ ବିବାଦ ଘେରକୁ ଟାଣିଛି । ଲାଗୁଛି ସତେ ଯେମିତି ସୂର୍ଯ୍ୟଙ୍କ ଉପରେ ଏବେ ଶନିଙ୍କ କୋପ ପଡିଛି । ପୂର୍ବରୁ ବେଲଗାମ ତୁଣ୍ଡ ପାଇଁ ବିଜେଡିର ଅନେକ ନେତାଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ଯାହାର ବଡ ଉଦାହରଣ ହେଉଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମ ରାଉତ । ତେଣୁ ସୂର୍ଯ୍ୟଙ୍କ ଭଳି ବରିଷ୍ଠ ନେତାଙ୍କୁ ମଧ୍ୟ ମାପିଚୁପି ବୟାନ ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି । ନଚେତ ଦାମଙ୍କ ଭଳି ସୂର୍ଯ୍ୟଙ୍କୁ ମଧ୍ୟ ସମଦଶା ଭୋଗିବାକୁ ପଡିବ ଏଥିରେ ସନ୍ଦେହ ନାହିଁ ।