ଶେଷରେ ଆଫଗାନିସ୍ତାନରେ ସରକାର ଗଠନ କରିଛି ତାଲିବାନ । ତାଲିବାନର ଅନ୍ୟତମ ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ପ୍ରଧାନମନ୍ତ୍ରୀ ହେବେ । ତାଲିବାନ ସହ ପ୍ରତିଷ୍ଠାତା ଅବଦୁଲ ଘନି ବରାଦର ନୂଆ ସରକାରରେ ଉପପ୍ରଧାନମନ୍ତ୍ରୀ ହେବେ। ତେବେ ଆଫଗାନିସ୍ତାନରେ ଏହି ନୂଆ ସରକାର କାମଚଳା ବୋଲି ମୁଜାହିଦ ସ୍ପଷ୍ଟ କରିଛନ୍ତି । ଏହା ସ୍ଥାୟୀ ନୁହେଁ ବୋଲି ସେ କହିଛନ୍ତି ।
ତାଲିବାନର ପ୍ରତିଷ୍ଠାତା ଅମୀର ମୁଲ୍ଲା ଉମରଙ୍କ ପୁଅ ଓ ସୈନ୍ୟ ଅଭିଯାନର ପ୍ରମୁଖ ମୁଲ୍ଲା ମହମ୍ମଦ ୟାକୁବ ମୁଜାହିଦଙ୍କୁ ଅନ୍ତରୀଣ ରକ୍ଷା ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ସିରାଜୁଦ୍ଦିନ ହକ୍କାନୀଙ୍କୁ ଦେଶର ଆଭ୍ୟନ୍ତରୀଣ ମାମଲାର ମନ୍ତ୍ରୀ ନିଯୁକ୍ତ କରାଯାଇଛି । ତାଲିବାନ ସରକାରରେ ଶୀର୍ଷ ନେତୃତ୍ୱ ନେଉଥିବା ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରକ୍ଷାମନ୍ତ୍ରୀ, ସମେତ ଅନ୍ୟ କିଛି ନେତା ଜାତିସଂଘ ସୁରକ୍ଷା ପରିଷଦର ପ୍ରତିବନ୍ଧିତ ତାଲିକାରେ ଅଛନ୍ତି । ସିରାଜୁଦ୍ଦିନ ହକ୍କାନୀଙ୍କ ଭଳି ନେତାଙ୍କ ମୁଣ୍ଡ ଉପରେ ଆମେରିକା ୫୦ ଲକ୍ଷ ଡଲାର ପୁରସ୍କାର ରଖିଛି । ଗୃହମନ୍ତ୍ରୀ ପଦ ପାଇଥିବା ହକ୍କାନୀଙ୍କୁ ପାକିସ୍ତାନ ଆଇଏସ୍ଆଇର ବହୁତ ଘନିଷ୍ଠ କୁହାଯାଏ ।
ପୂର୍ବରୁ ତାଲିବାନ ୨ ଥର ସରକାର ଘୋଷଣା ସ୍ଥଗିତ ରଖିଥିଲା। ତେବେ ସରକାରୀ ଭାବେ କୌଣସି ଉତ୍ସବ ହେବା ପୂର୍ବରୁ ତାଲିବାନ ଆଜି ନୂଆ ସରକାର ଘୋଷଣା କରିଛି । ପରେ ବିଧିବଦ୍ଧ ଭାବେ ନୂଆ ସରକାର ଗଠନ ପାଇଁ ଉତ୍ସବ ପାଳନ ହେବ। ମୁଲ୍ଲା ହାସନ ଅଖୁନ୍ଦ ଏବେ ତାଲିବାନର ଶକ୍ତିଶାଳୀ ନିଷ୍ପତ୍ତି ନିର୍ଣ୍ଣୟ କମିଟିର ମୁଖ୍ୟ ଅଛନ୍ତି। ଧାର୍ମିକ ନେତାଭାବେ ସେ ଅଧିକ ପରିଚିତ।