ସରିଲା ପ୍ରଥମ ଦିନର ମାଟ୍ରିକ୍ ପରୀକ୍ଷା

ସରିଲା ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । କରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା, ସିଧାସଳଖ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇନଥିଲେ ଛାତ୍ରଛାତ୍ରୀ । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପିଲାମାନଙ୍କୁ ମାର୍କ ଦିଆଯାଇ ଫଳାଫଳ ପ୍ରକାଶ କରାଯାଇଥିଲା । କିନ୍ତୁ ଏବେ କରୋନା ସଂକ୍ରମଣ କମିବା ଯୋଗୁଁ ସିଧାସଳଖ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା । ଦିନ ୧୦ଟାରେ ଶେଷ ହୋଇଛି ।
୩ ହଜାର ୫୪୦ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ୩୨୦୩ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରିକ୍ଷାର୍ଥୀ ସମେଟିଭ୍-୨ ପରୀକ୍ଷା ଦେଇଛନ୍ତି । ୯୩୭୮ ଜଣ ଓପନ୍ ସ୍କୁଲରେ ଓ ୪ ହଜାର ୪୪୩ ଜଣ ପରିକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଛନ୍ତି ।
ପରୀକ୍ଷାର ଅଧଘଂଟା ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ । କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ସମସ୍ତ ପରୀକ୍ଷାଗୁଡିକୁ ଗୋଟିଏ ସିଟିଂରେ ସୀମିତ ରଖାଯାଇଛି । ଚଳିତଥର ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟ ବା ନିକଟତମ ବିଦ୍ୟାଳୟରେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି । ବୋର୍ଡ, ଜିଲ୍ଲା ଶିକ୍ଷାଧିକାରୀ, ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍କ୍ୱାଡ୍ ଗଠନ କରାଯାଇଛି । ଏପ୍ରିଲ ୨୯ରୁ ମେ ୬ ତାରିଖ ପର୍ୟ୍ୟନ୍ତ ପରୀକ୍ଷା ହେବ ।
ସେପଟେ, ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷା କେନ୍ଦ୍ର ବୁଲି ଦେଖିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଭୁବନେଶ୍ୱର ୟୁନିଟ୍-୧ ବିଦ୍ୟାଳୟରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ । ପରୀକ୍ଷା କେନ୍ଦ୍ର ବୁଲି ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ।

Comments (0)
Add Comment