ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛନ୍ତି କି ଅପରାଜିତା? ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଗତ ଦୁଇଦିନ ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ୱାର୍ଡ ପ୍ରତିନିଧି ଏବଂ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଯୁବକଙ୍କୁ ବିଭିନ୍ନ ଅପରାଧିକ ମାମଲାରେ ଗିରଫ କରିଛି ପୋଲିସ । ଯେଉଁଥିପାଇଁ ଅପରାଜିତାଙ୍କ ରାଜନୀତି ଷ୍ଟାଇଲକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏପରିକି ରାଜଧାନୀ ଭୁବନେଶ୍ୱରରେ ବିହାର ଷ୍ଟାଇଲ ରାଜନୀତିର ମୂଳଦୁଆ ପକାଇବାକୁ ଅପରାଜିତା ଚାହୁଁଛନ୍ତି ବୋଲି ବିଭିନ୍ନ ଖଟିରେ ଚର୍ଚ୍ଚା ହେଉଛି । ବିହାର ଷ୍ଟାଇଲ ରାଜନୀତି ଅଥାର୍ତ ଗୁଣ୍ଡାଗର୍ଦ୍ଦି, ଧମକଚମକ, ମାରପିଟ୍ କରିବା ସହ ଲୋକଙ୍କ ମନରେ ଭୟ ସୃଷ୍ଟି କରି ନିଜ ରାଜନୀତି ଗାଡିକୁ ଆଗକୁ ଗଡାଇବା । ହୁଏତ ଭୁବନେଶ୍ୱର ସାଂସଦ ପ୍ରତ୍ୟକ୍ଷ ଭାବେ ଏଭଳି ରାଜନୀତିରେ ସଂଶ୍ଲିଷ୍ଟ ନ ହୋଇଥାଇପାରନ୍ତି କିନ୍ତୁ ତାଙ୍କର ସହଯୋଗୀ ଥିବା ଏବଂ ପ୍ରତିନିଧି ସାଜିଥିବା ଯୁବକ ମାନଙ୍କ ଅପରାଧିକ କାର୍ୟ୍ୟକଳାପ ପାଇଁ ଏବେ ସିଧାସଳଖ ଅପରାଜିତାଙ୍କ ଆଡକୁ ଅଙ୍ଗୁଳି ଉଠିଛି । ନୀତି, ଆଦର୍ଶ, ଅହିଂସା, ଆଇନ କାନୁନର ପାଠ ପଢାଉଥିବା ଅପରାଜିତା, କିଭଳି ଅପରାଧିକ କାର୍ୟ୍ୟକଳାପ ତଥା ଗୁଣ୍ଡାଗର୍ଦ୍ଦି କରୁଥିବା ଯୁବକଙ୍କୁ ସାଥୀରେ ରାଜନୀତି ରେସରେ ଆଗକୁ ବଢୁଛନ୍ତି ତାହାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଏବେ ଭୁବନେଶ୍ୱର ଭୋଟରଙ୍କ ମନରେ ଉଙ୍କି ମାରୁଛି । କଥାରେ ଅଛି, ନିର୍ବାଚନ ପରେ ନେତାଙ୍କ ଆଚରଣ ଓ ଉଚ୍ଚାରଣ ସମ୍ପୂର୍ଣ୍ଣ ବଦଳିଯାଏ, ଆଉ ଅପରାଜିତାଙ୍କ ରାଜନୀତି ଷ୍ଟାଇଲ ଏହାର ସବୁଠୁ ଭଲ ଉଦାହରଣ ।
ଏକଥା ଆମେ ଏଥିପାଇଁ କହୁଛୁ କାରଣ, ଗତ ୪ ଦିନ ତଳେ ଡକାୟତ ଗ୍ୟାଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ୱାର୍ଡ ପ୍ରତିନିଧି ଥିବା ଘଟଣା ସାମ୍ନାକୁ ଆସିଥିଲା । ସହିଦନଗର ପୋଲିସ ଗିରଫ କରିଥିବା ଏକ ଡକାୟତ ଗ୍ୟାଙ୍ଗରେ ବିଶ୍ୱଜିତ୍ ସ୍ୱାଇଁ ନାମକ ଯୁବକ ମଧ୍ୟ ରହିଥିଲେ । ଯିଏ ବିଏମସିର ୧୭ ନମ୍ବର ୱାର୍ଡରେ ଅପରାଜିତାଙ୍କ ପ୍ରତିନିଧି ଭାବେ କାମ କରୁଥିଲେ । ଏହାପୂର୍ବରୁ ମଧ୍ୟ ବିଶ୍ୱଜିତଙ୍କ ନାଁରେ ଧମକଚମକ ଦେବା, ଗୁଣ୍ଡାଗର୍ଦ୍ଦି କରିବା ନେଇ ଅନେକଥର ଅଭିଯୋଗ ହୋଇଛି । ଏହାସତ୍ତ୍ୱେ ମଧ୍ୟ ବିଶ୍ୱଜିତଙ୍କୁ ନିଜ ଟିମରେ ସାମିଲ କରିବା ପଛରେ ଅପରାଜିତାଙ୍କର କଣ ଆଭିମୁଖ୍ୟ ରହିଥିଲା ତାହାକୁ ନେଇ ସାଧାରଣ ଲୋକ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଗଣମାଧ୍ୟମରେ ଏ ଖବର ପ୍ରସାରିତ ହୋଇଥିଲେ ମଧ୍ୟ ଏହି ପ୍ରସଙ୍ଗରେ ଏଯାଏଁ ପଦୁଟିଏ କହିନାହାନ୍ତି ଅପରାଜିତା । ଆଉ ଅପରାଜିତାଙ୍କ ଏଭଳି ଚୁପ୍ ରହିବା କଣ ସଂକେତ ଦେଉଛି ତାହା ସହଜେ ଅନୁମେୟ । ଅଥାର୍ତ ଏଭଳି ମୌନ ରହି ଅପରାଧିକ କାର୍ୟ୍ୟକଳାପକୁ ପ୍ରଶୟ ଦେଉଛନ୍ତି କି ଅପରାଜିତା?
ଏ କେବଳ ଗୋଟିଏ ଘଟଣା ନୁହେଁ ଗତକାଲି ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଅପରାଜିତାଙ୍କ ରାଜନୈତିକ କାର୍ୟ୍ୟଶୈଳୀକୁ ପୁଣିଥରେ ପ୍ରଶ୍ନର ପାହାଡ ଉପରେ ଛିଡା କରିଛି । ଅପରାଜିତା ନିଖୋଜ ପୋଷ୍ଟର ଭୁବନେଶ୍ୱରର ଗଳିକନ୍ଦିରେ ମରାଯିବାକୁ ନେଇ ହୋଇଥିବା ଗଣ୍ଡଗୋଳରେ ଅପରାଜିତାଙ୍କ ସହଯୋଗୀ ଗିରଫ ହୋଇଛନ୍ତି । ନିଜେ ପୋଷ୍ଟର ଆଣି ଥୋଇଦେଇ ମାରପିଟ୍ କରିବା ଅଭିଯୋଗରେ ଅପରାଜିତା ଦୁଇ ଘନିଷ୍ଠ ସହଯୋଗୀଙ୍କ ହାତରେ ହାତକଡି ପକାଇଛି ପୋଲିସ । ନିଖୋଜ ପୋଷ୍ଟର ଲାଗିବା ପରେ ଭୁବନେଶ୍ୱରବାସୀ ମୋତେ ମିସ୍ କରୁଛନ୍ତି ଜାଣି ଖୁସି ଲାଗୁଛି ବୋଲି ଟ୍ୱିଟ୍ କରିଥିବା ଅପରାଜିତା କିନ୍ତୁ ପୋଷ୍ଟରମରାକୁ ନେଇ ଗଣ୍ଡଗୋଳ ଓ ପରେ ଗିରଫଦାରୀ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ମୌନବତ୍ର ଧାରଣ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି, ଯେଉଁମାନଙ୍କୁ ଧରି ଭୁବନେଶ୍ୱରରେ କାୟା ବିସ୍ତାର କରୁଛନ୍ତି ସେମାନଙ୍କ ବାବଦରେ ସଠିକ୍ ତଥ୍ୟ ହାସଲ କରୁନାହାନ୍ତି କି ଅପରାଜିତା? ନା ରାଜଧାନୀରେ ନିଜର ପତିଆରା ବିସ୍ତାର କରିବା ପାଇଁ ଏଭଳି ଅପରାଧିକ ଶ୍ରେଣୀର ଯୁବକଙ୍କ ହାତ ଧରୁଛନ୍ତି ଅପରାଜିତା? ନା ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ସଙ୍ଗଠନ ଆଳରେ ଏଭଳି ଅପରାଧିକ ଶ୍ରେଣୀର ଯୁବକଙ୍କୁ ଜାଣିଶୁଣି ପ୍ରଶୟ ଦେଉଛନ୍ତି ଅପରାଜିତା? ଯଦି ଏସବୁ ପ୍ରଶ୍ନର ଉତ୍ତର ନାଁ ତେବେ ନିଜର ସହଯୋଗୀ ଓ ପ୍ରତିନିଧିଙ୍କ ଗିରଫଦାରୀ ପ୍ରସଙ୍ଗରେ କାହିଁକି ଚୁପ୍ ଅପରାଜିତା, ତାହାର ଜବାବ ମାଗୁଛନ୍ତି ରାଜଧାନୀବାସୀ ।