ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ । ଉଭୟଙ୍କ ମଧ୍ୟରେ ସବୁଠୁ ବଡ ସମାନତା । ଅଜଣା,ଅଶୁଣା,ଅଚିହ୍ନାରୁ ଏବେ ଓଡ଼ିଶାର ପ୍ରତି ଘରେ ଜଣାଶୁଣା ନାଁ । ଚାହା ଖଟି ଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆ, ରାଜ୍ୟରେ ସବୁଠି ଏହି ଯୋଡିଙ୍କୁ ନେଇ ଚର୍ଚ୍ଚା । ଗତ ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ଓ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି-ସଚିବ ଭିକେ ପାଣ୍ଡିଆନଙ୍କୁ ସାଂପ୍ରତିକ ରାଜନୀତିରେ କିଏ ବା ନ ଜାଣେ । ଓଡ଼ିଶା ରାଜନୀତିରେ ଅନେକ ନେତା-ଅଫିସର ଯୋଡି ସାମ୍ନାକୁ ଆସିଛନ୍ତି କିନ୍ତୁ ନବୀନ-ପାଣ୍ଡିଆନ ଯୋଡିକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । ହେବନି ବା କେମିତି, ଏହି ଯୋଡି ଓଡ଼ିଶା ରାଜନୀତି ଇତିହାସରେ ସଫଳତାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଯୋଡିଚାଲିଛନ୍ତି । ଖାସକରି ୨୦୧୪ ନିର୍ବାଚନ ପରେ ପୂରା ଦେଶରେ ନବୀନଙ୍କର ଏକ ଭିନ୍ନ ଇମେଜ ତିଆରି ହୋଇଛି । ମୋଦି ୱେଭକୁ ସହଜରେ ପ୍ରତିହତ କରିହେବ ଓ ବିଜେପିର ଚାଣକ୍ୟ ଅମିତଙ୍କ ଅଙ୍କକୁ ବିଗାଡି ହେବ ୨୦୧୪ ନିର୍ବାଚନ ଫଳାଫଳ ପରେ ଏଭଳି ଏକ ବାର୍ତ୍ତା ପୂରା ଦେଶକୁ ଦେଇଥିଲେ ନବୀନ । ଯେଉଁଥିପାଇଁ ନବୀନଙ୍କ ନେତୃତ୍ୱକୁ ନେଇ ଜାତୀୟସ୍ତରରେ ମଧ୍ୟ ଅନେକଥର ଚର୍ଚ୍ଚା ହୋଇଛି । ଆଉ ନବୀନଙ୍କ ଏହି ସଫଳତା ପଛର ଷ୍ଟ୍ରାଟେଜି ମେକର ପାଣ୍ଡିଆନ ବୋଲି ରାଜନୈତିକ ପଣ୍ଡିତଙ୍କ ମୁହଁରୁ ଶୁଣିବାକୁ ମିଳେ ।
୨୦୧୨ରେ ଶାସନ କ୍ଷମତାକୁ ହାଇଜାକ କରିବାକୁ ପ୍ୟାରୀ କରିଥିବା ମିଡ ନାଇଟ ଅପରେସନ ବିଫଳ ହେବା ପରେ ନବୀନଙ୍କ ନିକଟତର ହୋଇଥିଲେ ପାଣ୍ଡିଆନ । ନବୀନଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିଲେ ପାଣ୍ଡିଆନ । ଆଉ ଦାୟିତ୍ୱ ନେବାର ୨ ବର୍ଷ ମଧ୍ୟରେ ହୋଇଥିଲା ୨୦୧୪ ସାଧାରଣ ନିର୍ବାଚନ । ସେତେବେଳେ ପୂରା ଦେଶରେ ମୋଦି ହାୱା ବହୁଥିଲା, ଭାରତକୁ ଗେରୁଆ ଗଡ କରିବାକୁ ଶାହା ସ୍ୱପ୍ନ ଦେଖୁଥିଲେ କିନ୍ତୁ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଦେଶର ଅଧିକାଂଶ ରାଜ୍ୟରେ ଶାହାଙ୍କ ଷ୍ଟ୍ରାଟେଜି ସଫଳ ହେଲା, ମୋଦିଙ୍କ ହାତକୁ ଶାସନ କ୍ଷମତା ଆସିଲା । କଂଗ୍ରେସର ଦୁର୍ଗ କୁହାଯାଉଥିବା କିଛି ରାଜ୍ୟରେ ହାତ ଉପରକୁ ଉଠିଲାନି । ବିଭିନ୍ନ ଆଞ୍ଚଳିକ ଦଳ ମୋଦି ହାୱାକୁ ପ୍ରତିହତ କରିବାରେ ବିଫଳ ହେଲେ । ପୂରା ଦେଶରେ ବିଜେପି ପାଇଁ ଅଚ୍ଛେଦିନ ଆସିଲା, କିନ୍ତୁ ଓଡ଼ିଶାରେ ପଦ୍ମ ପୋଖରୀ ସେହିଭଳି ଫାଙ୍କା ପଡିଲା ।
ନବୀନଙ୍କ ଲୋକପ୍ରିୟତା ଆଗରେ କାମ କଲାନି ମୋଦି ମ୍ୟାଜିକ, ଫେଲ ମାରିଲା ଶାହାଙ୍କ ଋଣନୀତି । କୁହାଯାଏ, ସେତେବେଳେ ପ୍ରଚ୍ଛଦପଟରେ ରହି ନବୀନଙ୍କ ସଫଳତା ପଛର ସୂତ୍ରଧର ସାଜିଥିଲେ ପାଣ୍ଡିଆନ ।
୨୦୧୭ ପଞ୍ଚାୟତ ନିର୍ବାଚନରେ ଅପ୍ରତ୍ୟାଶିତ ଭାବେ କଂଗ୍ରେସକୁ ହଟାଇ ବିଜେପି ଦ୍ୱିତୀୟ ସ୍ଥାନକୁ ଉଠିଥିଲା । ଏପରିକି ୨୦୧୨ ତୁଳନାରେ ଅଧିକ ଜିଲ୍ଲାପରିଷଦ ଅକ୍ତିଆର କରିଥିଲା ବିଜେପି । ନବୀନ ପ୍ରଚାର ମୈଦାନକୁ ଓହ୍ଲାଇ ନଥିବା ବେଳେ ଦଳୀୟ ନେତାଙ୍କ ଭରସାରେ ଲଢାଯାଇଥିଲା ପଞ୍ଚାୟତ ନିର୍ବାଚନ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନେତାଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ଥିଲା ଏସିଡ ଟେଷ୍ଟ । କିଏ ପାସ ହୋଇଥିଲା ତ ପୁଣି କାହାର ସାଙ୍ଗଠନିକ ଦୁର୍ବଳତା ପଦାରେ ପଡିଥିଲା । ପଞ୍ଚାୟତ ନିର୍ବାଚନରେ ବିଜେଡି ବିଜୟ ବାନା ଉଡାଇଥିଲା ସତ କିନ୍ତୁ ତୃଣମୂଳସ୍ତରରେ ସଙ୍ଗଠନ ଠିକ୍ ନାହିଁ ବୋଲି ସ୍ୱଷ୍ଟ ସଂକେତ ମିଳିଥିଲା । ରାଜନୈତିକ କରିଡରରେ ଚର୍ଚ୍ଚା ହୁଏ ଯେ, ପଞ୍ଚାୟତ ନିର୍ବାଚନକୁ ନେଇ ପରୀକ୍ଷା ନିରୀକ୍ଷା କରିବା ପଛରେ ନବୀନଙ୍କ ନିଷ୍ପତ୍ତି ପଛରେ ପାଣ୍ଡିଆନଙ୍କ ଋଣନୀତି ରହିଥିଲା । ଯାହାକୁ ଆଧାର କରି ୨୦୧୯ ସାଧାରଣ ନିର୍ବାଚନ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ନବୀନ ।
୨୦୧୯ ନିର୍ବାଚନ ପୂର୍ବରୁ ଦେଶରେ ମୋଦି ହାୱାର ବେଗ ପୂର୍ବପେକ୍ଷା ଟିକିଏ ବଢିଥିଲା । ଜାତୀୟତାବାଦ, ସର୍ଜିକାଲ ଷ୍ଟ୍ରାଇକ ଭଳି ବଡ ବଡ ମୁଦ୍ଦାକୁ ନେଇ ମୈଦାନକୁ ଓହ୍ଲାଇଥିଲେ ମୋଦି-ଶାହା ଯୋଡି । ଯାହାକୁ ସାମ୍ନା କରିବାର ବଳ କଂଗ୍ରେସ ଭଳି ଜାତୀୟ ଦଳ ପାଖରେ ନଥିବା ବେଳେ ଆଞ୍ଚଳିକ ଦଳ ବା କିଭଳି ଏହାକୁ ପ୍ରତିହତ କରିଥାନ୍ତେ । ମୋଦି-ଶାହାଙ୍କ ଡିଜିଟାଲ ପ୍ରଚାର ସାଙ୍ଗକୁ ପୂର୍ବରୁ ବୁଣିଥିବା ଜାତୀୟତାବାଦର ମଞ୍ଜି ବିରୋଧୀଙ୍କ ଦୁର୍ଗ ଭାଙ୍ଗିବାକୁ ଯଥେଷ୍ଟ ଥିଲା । ଏପରିକି ମିଶନ ୧୨୦ର ନାରା ଦେଇ ଓଡ଼ିଶାରେ ବି ପଦ୍ମ ଫୁଟିବା ଭଳି ମାହୋଲ ସୃଷ୍ଟି କରାଗଲା । ନବୀନଙ୍କୁ ପୋଡା ଟ୍ରାନ୍ସଫର୍ମର କହି ବଙ୍ଗୋପସାଗରକୁ ଫିଙ୍ଗି ଦେବାକୁ ବିଜେପିର ଚାଣକ୍ୟ ଆହ୍ୱାନ ଦେଲେ । କିନ୍ତୁ ପୂରା ଚୁପ୍ ରହି ମୋଦି-ଶାହାଙ୍କୁ ଚେକମେଟ ଦେଲେ ନବୀନ । ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ନବୀନ ଓ ଓଡ଼ିଶାକୁ ଗେରୁଆ ଗଡ କରିବାକୁ ଶାହା ଦେଖୁଥିବା ସ୍ୱପ୍ନକୁ ଲାଗିଲା ୪୪୦ ଭୋଲ୍ଟର ଝଟକା । ଚର୍ଚ୍ଚା ହୁଏ ପଞ୍ଚାୟତ ନିର୍ବାଚନକୁ ନେଇ ଯେଉଁ ପରୀକ୍ଷା ନିରୀକ୍ଷା କରାଯାଇଥିଲା ତାହାର ସୁଫଳ ୨୦୧୯ ନିର୍ବାଚନରେ ମିଳିଥିଲା । ଆଉ ଏହାର ସବୁଠୁ ବଡ ଶ୍ରେୟ ନବୀନ-ପାଣ୍ଡିଆନଙ୍କ ଯୋଡିକୁ ଯାଇଥିଲା ।
୨୦୧୯ ନିର୍ବାଚନ ପରେ କ୍ୟାମେରା ସମ୍ମୁଖକୁ ଆସୁନଥିବା ପାଣ୍ଡିଆନଙ୍କୁ କ୍ୟାମେରା ସମ୍ମୁଖରେ ଦେଖିବାକୁ ମିଳିଥିଲା । ୫ଟି-ସଚିବ ଭାବେ ନବୀନ ଦାୟିତ୍ୱ ଦେବା ପରେ ଆହୁରି କ୍ରିୟାଶୀଳ ହୋଇପଡିଥିଲେ ପାଣ୍ଡିଆନ । ପାହାନ୍ତି ପ୍ରହରରୁ ବିକାଶମୂଳକ କାର୍ୟ୍ୟର ସମୀକ୍ଷା କରିବା ପରେ ଲାଗୁଥିଲା ନବୀନଙ୍କ ବିକାଶ ରଥରେ ପାଣ୍ଡିଆନ ଯେପରି ସାରଥୀ ସାଜିଛନ୍ତି, ଆଉ ଏହି ରଥରେ କେବେ ବ୍ରେକ ଲାଗିବନି । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଲୋକେ କହୁଛନ୍ତି ନବୀନ ଓ ପାଣ୍ଡିଆନ : ଯୋଡି ନମ୍ବର ୱାନ୍ ।