ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚଷାନିମଖଣ୍ଡିରେ ଦୁଇ ଜଣ ବିଜେଡି ନେତାଙ୍କୁ ହତ୍ୟା ଅଭିଯୋଗ । ମୃତକ ହେଉଛନ୍ତି ସରୋଜ ପାତ୍ର ଓ ସୁଦର୍ଶନ ସୁଆର । ରାଜନୈତିକ ଶତ୍ରୁତାରୁ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଦୁଇ ଜଣ ଏକ ବାଇକରେ ରାତିରେ ଗାଁକୁ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।
ଗତକାଲି ରାତି ପ୍ରାୟ ୮ଟା ବେଳେ ଗାଁ ନିକଟରେ ଉଭୟ ଗୁରୁତର ଅବସ୍ଥାରେ ରାସ୍ତାର ଦୁଇ ପାର୍ଶ୍ୱରେ ପଡ଼ିଥିବା ଜଣେ ଟ୍ରାକ୍ଟର ଡ୍ରାଇଭର ଦେଖିଥିଲେ। ସେମାନଙ୍କ ଶରୀରରୁ ରକ୍ତସ୍ରାବ ହେଉଥିଲା। ଟ୍ରାକ୍ଟର ଡ୍ରାଇଭର ଏ ସଂପର୍କରେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଏହା ପରେ ସୁଧୀର ପାତ୍ର ଓ ସୁଦର୍ଶନ ସୁଆରଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ। ସୁଧୀର ପାତ୍ରଙ୍କୁ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲ ଅଣାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଂଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ଉଭୟଙ୍କୁ ହତ୍ୟା ପରେ ସେମାନଙ୍କ ଠାରୁ ଲୁଟ୍ ମଧ୍ୟ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୁଦର୍ଶନ ପିନ୍ଧିଥିବା ସୁନା ମୁଦି ଓ ଚେନ୍ ସହିତ ତାଙ୍କ ପର୍ସ ଏବଂ ମୋବାଇଲ୍ ଦୁର୍ବୃତ୍ତମାନେ ନେଇଯାଇଛନ୍ତି। ସେହିପରି ସୁଧୀରଙ୍କ ଠାରୁ ମଧ୍ୟ ଲୁଟ୍ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।