ମଝି ଆକାଶରେ ବର୍ତ୍ତିଗଲା ଭୁବନେଶ୍ୱର ବିମାନ । ଜାନୁଆରୀ ୭ ତାରିଖରେ ବେଙ୍ଗାଲୁରୁର ମଝି ଆକାଶରେ ଦୁଇଟି ବିମାନ ମୁହାଁମୁହିଁ ପରିସ୍ଥିତିକୁ ଚାଲି ଆସିଥିଲେ । କିଭଳି ଦୁର୍ଘଟଣାରୁ ବିମାନଟି ଅଳ୍ପକେ ବର୍ତ୍ତିଯାଇଥିଲା, ତାର ସତ ଏବେ ସାମନାକୁ ଆସିଛି । ବେସାମରିକ ବିମାନ ଚଳାଚଳ ବିଭାଗର ତଦନ୍ତ ନିର୍ଦ୍ଦେଶ ପରେ ସତ ଜଣାପଡିଲା । ଗତ ୭ ତାରିଖରେ ହୋଇଥିବା ଏହି ଦୁର୍ଭାଗ୍ୟଜନକ ଘଟଣାର ତଦନ୍ତ ଲାଗି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ନିର୍ଦେଶ ଦେଇଛନ୍ତି। ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ଗୋଟିଏ ବିମାନ ବେଙ୍ଗାଲୁରୁରୁ ଭୁବନେଶ୍ବର ଆସୁଥିବା ବେଳେ ଅନ୍ୟ ବିମାନଟି କୋଲକାତା ଯାଉଥିଲା। ଉଭୟ ବିମାନରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ। ଦୁଇଟି ବିମାନ ବେଙ୍ଗାଲୁରୁ ବିମାନବନ୍ଦରର ଦୁଇଟି ସମାନ୍ତରାଳ ରନୱେରୁ ଗୋଟିଏ ସମୟରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ମୁହାଁମୁହିଁ ଅବସ୍ଥାକୁ ଚାଲିଆସିଥିଲେ। ତେବେ ରାଡାର କଂଟ୍ରୋଲରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣଙ୍କ ତ୍ରୁଟି ସେତିକିରେ ସୀମିତ ନଥିଲା। ଘଟଣାକୁ ଚପାଇ ଦେଇ ଦଣ୍ଡ ଏବଂ ତଦନ୍ତରୁ ବର୍ତ୍ତିବା ପାଇଁ ପ୍ରାଧିକରଣ ଅଧିକାରୀଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି। ଡିଜିସିଏକୁ ଏ ସଂପର୍କରେ ସୂଚନା ନଦେବା ପାଇଁ ପ୍ରୟାସ କରିଥିବା ଅଭିଯୋଗ କରାଯାଉଛି। ଡିଜିସିଏ ମୁଖ୍ୟ ଅରୁଣ କୁମାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।
ବିମାନ ଦୁଇଟି ୩୦୦୦ ଫୁଟ ଉଚ୍ଚ ପର୍ୟ୍ୟନ୍ତ ଉଠିବା ଯାଏ ପାଖାପାଖି ଉଡ଼ୁଥିଲେ। ପାଇଲଟମାନେ ମଧ୍ୟ ଏହି ବିପଦ ସଂପର୍କରେ ଜାଣି ପାରି ନଥିଲେ। ସୌଭାଗ୍ୟବଶତଃ ବିମାନ ବନ୍ଦର ଭିତରେ କାର୍ୟ୍ୟରତ ରାଡାର କଣ୍ଟ୍ରୋଲର ଲୋକେନ୍ଦ୍ର ସିଂହ ଏହାକୁ ଠିକ୍ ସମୟରେ ଦେଖିପାରି ଦୁଇ ବିମାନର ପାଇଲଟଙ୍କୁ ସତର୍କ କରାଇ ଦେଇଥିଲେ। କୋଲକାତାକୁ ଉଡ଼ାଣ କରୁଥିବା ବିମାନଟି ବାମକୁ ଏବଂ ଭୁବନେଶ୍ବରକୁ ଉଡ଼ାଣ କରୁଥିବା ବିମାନଟି ଡାହାଣକୁ ଦିଗ ପରିବର୍ତ୍ତନ କରି ପରସ୍ପରଠାରୁ ଦୂରେଇ ଯାଇଥିଲେ।