ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ମମତା ବାନାର୍ଜୀଙ୍କ ଦଳରେ ବିଦ୍ରୋହ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ।ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପରେ ତୃଣମୂଳ କଂଗ୍ରେସର ବିଧାୟକ ତଥା ଆସନସୋଲ ନଗର ନିଗମର ଅଧ୍ୟକ୍ଷ ଜିତେନ୍ଦ୍ର ତିୱାରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ।ଦଳରୁ ଇସ୍ତଫା ଦେବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।
୨୦୨୧ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ଲାଗିଛି ଝଟକା । ଜିତେନ୍ଦ୍ର ତିଓ୍ବାରୀଙ୍କ ଇସ୍ତଫା ପରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ବିଦ୍ରୋହ ଯେ ତୀବ୍ର ରୂପ ଧାରଣ କଲାଣି ତାହା ସ୍ପଷ୍ଟ ବାରି ହୋଇପଡୁଛି ।ଗୋଟିଏ ଦିନ ପୂର୍ବରୁ ଜିତେନ୍ଦ୍ର ରାଜ୍ୟସରକାରଙ୍କ ଉପରେ ଟାର୍ଗେଟ୍ କରିଥିଲେ । କେନ୍ଦ୍ରରୁ ରାଜ୍ୟକୁ ଦେଉଥିବା ଅନୁଦାନର ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ । ଇସ୍ତଫା ପରେ ସେ ପ୍ରତିକ୍ରିୟା ଦେଇଛନ୍ତି ଯେ, କୋଲକାତାରେ ଅନେକ ଫଣ୍ଡ୍ ରହିଛି କିନ୍ତୁ ଆସନସୋଲର ବିକାଶ ପାଇଁ କୌଣସି ଫଣ୍ଡ ମିଳୁନାହିଁ । କାର୍ୟ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଆସନସୋଲକୁ ସ୍ମାର୍ଟ୍ ସିଟିରୁ ବଞ୍ଚିତ କରାଯାଇଛି । ଅନେକ ବିକାଶମୂଳକ କାମରୁ ବଞ୍ଚିତ କରାଯାଇଛି । ଏପରି ପରିସ୍ଥିତିରେ କାମ କରିବା ବହୁତ କଷ୍ଟ ହେଉଛି, ଏହା କହି ସେ ନିଗମର ପ୍ରଶାସନିକ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।ମତା ବାନାର୍ଜୀଙ୍କ ରାଜନୀତି ଯୋଗୁଁ ଆସନସୋଲ ନଗର ନିଗମକୁ କେନ୍ଦ୍ରସରକାର ଦେଇଥିବା ୨ ହଜାର କୋଟି ଟଙ୍କା ବିନିଯୋଗ ହୋଇପାରୁ ନାହିଁ । ଏହି ଅନୁଦାନ ସ୍ମାର୍ଟ ସିଟିର ବିକାଶ ପାଇଁ କେନ୍ଦ୍ର ସରକାର ଦେଇଥିଲେ ବୋଲି ସେ କହିଛନ୍ତି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ୨ ଦିନ ଯାକ ତାଙ୍କ ରାଲି ଉପରେ ଆକ୍ରମଣ ହୋଇଥିଲା । ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅନେକ ତୁ ତୁ ମେ ମେ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ୍୍ ଶାହା ଆସନ୍ତା ୧୯ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ଏମାନେ ଅମିତ୍ ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।