ହୋମ ଆଇସୋଲେସନ୍ ପାଇଁ ନୂଆ ମାର୍ଗଦର୍ଶିକା । ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଉନି। ସେହିପରି କିଛି ଆକ୍ରାନ୍ତଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ହୋମ ଆଇସୋଲେସନ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି।
ଡାକ୍ତରଙ୍କ ଦ୍ୱାରା ଚିହ୍ନିତ ଲକ୍ଷଣହୀନ ରୋଗୀ ଆଇସୋଲେସନରେ ରହିବେ । ଆକ୍ରାନ୍ତଙ୍କ ପରିବାରକୁ ପରାମର୍ଶ ପାଇଁ କଣ୍ଟ୍ରୋଲ ରୁମ ନମ୍ବର ଦିଆଯିବ । ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ଦେଖାରଖା କରିପାରିବେ । ଘରେ ଉପଯୁକ୍ତ ବ୍ୟବସ୍ଥା ଥିଲେ ହୋମ୍ ଆଇସୋଲେସନ କରିପାରିବେ ।
ପୂର୍ବରୁ କରୋନା ଆକ୍ରାନ୍ତଙ୍କୁ ୧୦ରୁ ୧୫ ଦିନ ହୋମ ଆଇସୋଲେସନର ରହିବାର ନିୟମ ଥିଲା। କିନ୍ତୁ ଏବେ ଏହାକୁ ୭ ଦିନକୁ ହ୍ରାସ କରି ଦିଆଯାଇଛି। ୭ ଦିନ ପରେ ବିନା ଟେଷ୍ଟରେ ଜଣଙ୍କୁ କରୋନା ମୁକ୍ତ ବୋଲି କୁହାଯିବ। ଯଦି ଲଗାତାର ୩ ଦିନ ଜ୍ୱର କିମ୍ବା ଅନ୍ୟ କରୋନା ଲକ୍ଷଣ ଦେଖାଯିବ ନାହିଁ, ତା’ହେଲେ ଜଣେ ଆକ୍ରାନ୍ତ ହୋମ ଆଇସୋଲେସନରୁ ମୁକୁଳି ପାରିବେ। ତାଙ୍କୁ ଦ୍ୱିତୀୟ ଥର ଟେଷ୍ଟ ମଧ୍ୟ କରିବାକୁ ପଡ଼ିବନି ବୋଲି ଗାଇଡଲାନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗାଇଡଲାଇନରେ କୁହାଯାଇଛି ଯେ ଡାକ୍ତର ହିଁ ଜଣେ କରୋନା ଆକ୍ରାନ୍ତଙ୍କୁ ଲକ୍ଷଣହୀନ କିମ୍ବା ଲକ୍ଷଣଯୁକ୍ତର ପ୍ରମାଣପତ୍ର ଦେବେ। ଡାକ୍ତରଙ୍କ ପରାମର୍ଶକ୍ରମେ ଜଣେ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିପାରିବେ। ବହୁବିଧ ରୋଗ ଓ ବୟସ୍କମାନେ କେବଳ ଡାକ୍ତରଙ୍କ ପରାମର୍ଶକ୍ରମେ ହୋମ ଆଇସୋଲେସନରେ ରହିବାକୁ ସୁଯୋଗ ପାଇବେ। ଘରେ ଆଇସୋଲେସନରେ ରହିବାକୁ ସୁବିଧା ଥିବା ଜରୁରୀ।