କେତେ ପ୍ରବାସୀଙ୍କୁ ନିଯୁକ୍ତି ମିଳିଛି?

କରୋନାଠୁ ବଡ଼ ମହାମାରୀ ହେଉଛି ବେକାରୀ । ବେକାରୀ ପ୍ରସଙ୍ଗକୁ ନେଇ ମୁଲତବୀ ପ୍ରସ୍ତାବ ଆଲୋଚନା ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ଏଭଳି ବିବୃତି ରଖିଛନ୍ତି । ରାଜ୍ୟର ନିଯୁକ୍ତି ପ୍ରକ୍ରିୟା ପ୍ରିୟାପ୍ରୀତିରେ ଚାଲିଛି । ୧୮ ଲକ୍ଷ ଯୁବକ ଯୁବତୀ ରାଜ୍ୟରେ ବେକାର ହୋଇ ବୁଲୁଥିବା ବେଳେ ରାଜ୍ୟ ସରକାର ଅବସରପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି ଦେଉଛନ୍ତି । ତେବେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବିକିନି ମନ୍ତବ୍ୟକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ବିକିନି ପିନ୍ଧିଥିବା ଯୁବତୀଙ୍କ ଅବସ୍ଥା ଯାହା ମନ୍ତ୍ରୀଙ୍କ ଉତର ସେଇଆ ବୋଲି କହିଛ୍ତି ମୋହନ ମାଝୀ ।

କରୋନା ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିଲେ । ନା ତାଙ୍କର ସ୍କିଲ ମ୍ୟାପିଂ କରାଗଲା ନା ନିଯୁକ୍ତି ଦିଆଗଲା, ଯେଉଁଥିପାଇଁ ସ୍ଥିତିରେ ଟିକିଏ ସୁଧାର ଆସିବା ମାତ୍ରେ ଏହି ପ୍ରବାସୀମାନେ ପୁଣିଥରେ ନିଯୁକ୍ତି ଆଶାରେ ବାହାରକୁ ଚାଲିଗଲେ । ଯେତିକି ଦକ୍ଷତା ବିକାଶ ତାଲିମ ଦିଆଯାଇଛି ସେଥି ମଧ୍ୟରୁ ୩୧ ପ୍ରତିଶତ ପିଲା ନିଯୁକ୍ତି ପାଇଁ ଅଯୋଗ୍ୟ । ଏଥିରୁ ଜଣାପଡୁଛି ରାଜ୍ୟରେ ଦକ୍ଷତା ବିକାଶ ବିଭାଗ କିପରି କାର୍ୟ୍ୟ କରୁଛି ବୋଲି କହିଛନ୍ତି ମୋହନ ମାଝି । ସେହିଭଳି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ରାଜ୍ୟରେ ଯୁବକ ଯୁବତୀମାନେ ଚାକିରି ନ ପାଇ ମାଓବାଦୀ ସଂଗଠନରେ ସାମିଲ ହେଉଛନ୍ତି । ବିଭିନ୍ନ ଆଇଟି ଶିଳ୍ପକୁ ୫୦ ଏକର ଜାଗା ଭୁବନେଶ୍ୱରରେ ଦିଆଗଲା । ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଗଲା । ମାତ୍ର ୧୫ ପ୍ରତିଶତ ଓଡ଼ିଆ ପିଲାଙ୍କୁ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଅଧିକ ଲୋକ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ ନିଯୁକ୍ତି କେବଳ କାଗଜ କଲମରେ ଚାଲିଛି । ମନ୍ତ୍ରୀ ବିଧାନସଭାରେ ଗୋଲାପି ଚିତ୍ର ଦେଖାଉଛନ୍ତି । ସେହିଭଳି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ତାରା କହିଛନ୍ତି, ସରକାର ବର୍ଷକୁ ୨ କୋଟି ଚାକିରି ଦେବେ ବୋଲି କହିଥିଲେ । ଆଉ ସେହି ହିସାବରେ ୭ ବର୍ଷରେ ୧୪ କୋଟି ଚାକିରି ସରକାର ଦେବା କଥା । କିନ୍ତୁ କେନ୍ଦ୍ର ସରକାରଙ୍କ ସେହି ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ତାରା ।ନରସିଂହ ମିଶ୍ର କହିଛନ୍ତି, ରାଜ୍ୟରେ ବେକାରୀ ସମସ୍ୟା ସୀମା ଟପିଯାଇଛି ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ୨, ୩ ଲକ୍ଷ ହିସାବରେ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ମତଦାନ ପରେ କିଏ କାହାର ? ଏବେ ଲୋକେ ଚାକିରି ପାଉନାହାନ୍ତି। ଦେଶରେ ବିଜେପି ଓ ରାଜ୍ୟରେ ବିଜେଡ଼ି ଲୋକଙ୍କୁ ଚାକିରି ଦେଇନପାରି ପ୍ରତିଶ୍ରୁତି ଭଙ୍ଗ କରିଛନ୍ତି ଏବଂ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇଛନ୍ତି ।

ସେପଟେ ଏ ପ୍ରସଙ୍ଗରେ ଜବାବ ରଖିଛନ୍ତି ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ସେ କହିଛନ୍ତି, ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସମେତ ଅଧିକରୁ ଅଧିକ କିପରି ନିଯୁକ୍ତି ପାଇବେ ସେ ଦିଗରେ ସରକାର ସବୁବେଳେ ଚେଷ୍ଟିତ । ୪୯ଟି ସରକାରୀ ଆଇ.ଟି.ଆଇରେ ଅତ୍ୟାଧୁନିକ କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା କରାଯାଇଛି। ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ସରକାର ବଦ୍ଧ ପରିକର ବୋଲି ଦକ୍ଷତା ଓ ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଉତ୍ତରରେ କହିଛନ୍ତି।

Comments (0)
Add Comment