ରେଳମନ୍ତ୍ରୀଙ୍କ ରେଳଯାତ୍ରା । ରାୟଗଡ଼ାକୁ ଟ୍ରେନରେ ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ବୈଷ୍ଣବଙ୍କ ରାୟଗଡ଼ାକୁ ଟ୍ରେନ ଯାତ୍ରା ସମୟରେ ଯାତ୍ରୀଙ୍କ ସହ କଥା ହେଲେ, ସୁଖ ଦୁଃଖ ବୁଝିଲେ । ଆଜି ଭୋର ୪ଟା ୪୫ରେ ହୀରାଖଣ୍ଡ ଟ୍ରେନ ଯୋଗେ ରାୟଗଡ଼ାରେ ପହଂଚିଛନ୍ତି ଅଶ୍ୱିନୀ ବୈଷ୍ଣବ । ରାୟଗଡ଼ାରେ ଜନ ଆଶୀର୍ବାଦ ଯାତ୍ରାରେ ଯୋଗଦେଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବେ କେନ୍ଦ୍ର ମନ୍ତ୍ରୀ ।
ରାୟଗଡ଼ାର ମା’ ମଝିଘରିଆଣୀ ମନ୍ଦିରକୁ ଯାଇ ମା’ଙ୍କୁ ଦର୍ଶନ କରିବା ପରେ ସେଠାରେ ଏକ ବୃକ୍ଷରୋପଣ କାର୍ୟ୍ୟକ୍ରମରେ ଯୋଗ ଦେବେ । ଏହା ପରେ ସର୍କିଟ ହାଉସରେ ପହଂଚି ପ୍ରଧାନମନ୍ତ୍ରୀ ଆବାଶ ଯୋଜନାର ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିବେ । ଏହା ପରେ ସଦଭାବନା ସଭା ଏବଂ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ ।
ସେପଟେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଆଇଆଇଟି ଗସ୍ତ କରିବେ । ୧୨୬୦ରୁ ଅଧିକ କୋଟି ଟଙ୍କାରେ ଆଇଆଇଟି କ୍ୟାମ୍ପସ ଭିତ୍ତିଭୂମିର ବିକାଶ କରାଯାଉଛି । ଦ୍ୱିତୀୟ ପର୍ୟ୍ୟାୟ କ୍ୟାମ୍ପସରେ ନିର୍ମାଣ ହୋଇଥିବା ଦୁଇଟି ବିଲ୍ଡିଂର ଉଦଘାଟନ କରିବେ । ଋଷିକୁଲ୍ୟା ଆବାସିକ ହଲ ଏବଂ ପୁଷ୍ପାଞ୍ଜଳି ଲେକଚର ହଲ କମ୍ପେ୍ଲକ୍ସ ଉଦଘାଟନ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।