ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ପରୀ ହତ୍ୟା ମାମଲାରେ ଦୋଷୀଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ମାମଲାର ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀର ପରିବାର ଲୋକେ । କୋର୍ଟ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟରେ ଆବେଦନ କରିବାକୁ ପରୀର ବାପା, ମାଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ନୟାଗଡର କୁନି ଝିଅ ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରି ପରୀର ବାପା, ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ପ୍ରଥମେ ରିଟ୍ ପିଟିସନ ଓ ପରେ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଆବେଦନ କରାଯାଇଥିଲା । ପୂର୍ବ ଶୁଣାଣି ସମୟରେ ଖଣ୍ଡପୀଠ ପରୀ ପରିବାର ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କୁ ତଳକୋର୍ଟ ଅର୍ଥାତ ଓଡ଼ିଶା ହାଇକୋର୍ଟ ଦେଇଥିବା ଅର୍ଡର କପି କୋର୍ଟଙ୍କ ନିକଟରେ ଦାଖଲ କରିବାକୁ କହିଥିଲେ ।
ଗତ ବର୍ଷ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଅପହରଣ ହୋଇଥିଲା ଏବଂ ଅପହରଣର ୭ ଦିନ ପରେ ପରୀର ମୃତଦେହ ମିଳିଥିଲା। ଅପହରଣର ୭ ଦିନ ପରେ ଗାଁ କୁ ପୋଲିସର ଡଗ ସ୍କ୍ୱାର୍ଡ ଆସିଥିଲା ସତ କିନ୍ତୁ କୌଣସି ସନ୍ଧାନ ପାଇ ନଥିଲା । ତେବେ ଡଗ ସ୍କ୍ୱାର୍ଡ ଯିବାର ପର ଦିନ ପରୀର ଗଳିତ , ଖଣ୍ଡବିଖଣ୍ଡିତ ମୃତ ଦେହ ଏକ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଅଶୋକଙ୍କ ବାଡ଼ି ସଂଲଗ୍ନ ପୋଖରୀ କୂଳରୁ ମିଳିଥିଲା। ଏସ୍ଆଇଟି ତଦନ୍ତ କରି ଜଣେ ନାବାଳକକୁ ଗିରଫ କରି ସାବାଳକ ଦର୍ଶାଇ ପରୀ ହତ୍ୟାକାରୀ ସଜେଇଥିଲା। କିନ୍ତୁ ଏସ୍ଆଇଟି ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ପରୀର ବାପା-ମାଆ। ମାମଲାର ନିରପେକ୍ଷ ତଦନ୍ତ ଚାହିଁଥିଲେ ପରୀର ବାପା-ମାଆ। ସେଥିପାଇଁ ସିବିଆଇକୁ ତଦନ୍ତ ଭାର ଦିଆଯାଉ ବୋଲି ପରୀର ବାପା-ମାଆ ସୁପ୍ରିମକୋର୍ଟ ଯାଇଥିଲେ।