ଠିକାଦାର : ଓଡିଆ ବନାମ ଅଣଓଡିଆ

କାମ ଓଡିଶାର, ଅର୍ଥ ଅଡିଶାର । ହେଲେ ଏଠି ଆସି ରାଜୁତି କରିବେ ଅଣଓଡିଆ । ସତେ ଯେମିତି କୋଣାର୍କ ଗଢିଥିବା ଏହି ରାଜ୍ୟର ପୁର୍ବପୁରୁଷଙ୍କ ଦାୟାଦ ମାନେ ହଠାତ୍ ଆଜିର ଶାସନକର୍ତ୍ତାଙ୍କ ସାମ୍ନାରେ ଅଯୋଗ୍ୟ ହୋଇଗଲେ । ହଠାତ୍ ଓଡିଆ ଠିକାଦାରଙ୍କ କାର୍ଯ୍ୟଶୈଳୀ ନା ମାନ୍ତ୍ରୀ ନା ବିଭାଗୀୟ ସଚିବ, ନା ମୁଖ୍ୟମନ୍ତ୍ରୀ ନା ତାଙ୍କୁ ପରାମର୍ଶ ଦେଉଥିବା ଗୋଷ୍ଠୀ କାହାକୁ ବି ପସନ୍ଦ ଆସିନାହିଁ । ଓଡିଶାର ଶାସନ ମଙ୍ଗ ଧରିଥିବା, ଓଡିଆଙ୍କ ବିକାଶ ପାଇଁ କାମ କରୁଥିବା ବ୍ୟକ୍ତିବିଶେଷ କାହିଁକି ଓଡିଆ ଠିକାଦାରଙ୍କୁ ଅବହେଳା କରିଚାଲିଛନ୍ତି । କାହିଁକି ଏହି ଚିନ୍ତାଧାରା । ଏହି ପ୍ରସଙ୍ଗକୁ ନେଇ ବିଧାନସଭା ସରଗରମ ହୋଇଛି । ଶାସକ ସଭ୍ୟ ଗର୍ଜିଛନ୍ତି । ବିରୋଧୀ ବି ସମାନ ଢଙ୍ଗରେ ବିଭାଗୀୟ ମନ୍ତ୍ରୀଙ୍କୁ ଘେରିଛନ୍ତି । ହେଲେ ମନ୍ତ୍ରୀ ନା କିଛି ସନତୋଷଜନକ ବକ୍ତବ୍ୟ ରଖିଛନ୍ତି ନା ଅସନ୍ତୋଷକୁ ପ୍ରଶମିତ କରିଛନ୍ତି ।

ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପର ଠିକା କାମକୁ ନେଇ ମଙ୍ଗଳବାଦ ବିଧାନସଭାରେ ଗୁଂଜରିତ ହୋଇଥିବା ବୟାନ ଏବେ ରାଜ୍ୟରେ ନୁଆ ବିବାଦକୁ ଜନ୍ମ ଦେଇଛି । ଓଡିଶାରେ କାହିଁକି ଅଣଓଡିଆ ପାଇବେ ଗୁରୁତ୍ୱ, କାହିଁକି ଓଡିଆଙ୍କ ହକ୍ ଛଡାଇନେବାକୁ ଆମ ବ୍ୟବସ୍ଥା ଅଣ ଓଡିଆଙ୍କୁ ଗୁରୁତ୍ୱ ଦେଉଛି । ପାନୀୟ ଜଳ ପ୍ରକଳ୍ପ କାମ କରାଇବା ପାଇଁ କଣ ଆମ ଠିକାଦାରଙ୍କ ଯୋଗ୍ୟତା ନାହିଁ । ନା ଜାଣିଶୁଣି ଏମାନଙ୍କୁ ପଛରେ ରଖି ନିଜର ସୁବିଧା ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ମନ୍ତ୍ରୀ ଭିନ୍ନ ଏକ ରାସ୍ତା ଆପଣାଇଛନ୍ତି । ଯଦି ଏଭଳି ହୋଇଥାଏ ତେବେ ଇତିହାସ କେବେ ମଧ୍ୟ ଆଜିର ଦିନରେ ଶାସନରେ ବସିଥିବା ବ୍ୟକ୍ତିଙ୍କୁ କ୍ଷମା କରିବ ନାହିଁ । ଓଡିଆଙ୍କୁ ଦବାଇ ଚପାଇ ରଖିବା ପାଇଁ ଯଦି ମସୁଧା କରାଯାଉଥିବ ତେବେ ଏହି ଜାତି ତାର କଡା ଜବାବ ଦେବା ବି ଜାଣିଛି । ଏହି ଜାତି କୋଣାର୍କ ଗଢିବା ବି ଜାଣିଛି ଏବଂ ଇଂରେଜ ଶାସନ ବିରୋଧରେ ଦୃଢ ଭାବେ ଠିଆ ହେବା ବି ଜାଣିଛି । ଏହି ଜାତି ବିଶୁ ମହାରଣାକୁ ଦେଖିଛି ଏବଂ ବକ୍ସି ଜଗବନ୍ଧୁଙ୍କୁ ବି ଦେଖିଛି ।

ବଡ କଥା ହେଉଛି, ରାଜ୍ୟରେ ପ୍ରତିଘରକୁ ପାନୀୟ ଜଳ ଯୋଗାଇବା ପାଇଁ ଏକାଧିକ ମେଗା ପାନୀୟ ଜଳ ପ୍ରକଳ୍ପ ରାଜ୍ୟ ସରକାର ଘୋଷଣା କରୁଛନ୍ତି । ଏଥିରୁ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇସାରିଲାଣି । ହେଲେ ଆପଣ ଜାଣି ବିବ୍ରତ ହେବେ, ଏସବୁ ପ୍ରକଳ୍ପରୁ ଅଧିକାଂଶ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଇବାରେ ରହିଛି ଅଣ ଓଡିଆ ଠିକାଦାରଙ୍କ ହାତ । ଏସବୁ କାର୍ଯ୍ୟକୁ ଲଗାତର ଭାବେ ଓଡିଶା ଠିକାଦାର ସଂଘ ବିରୋଧ କରି ଆସୁଛି । ପ୍ରତିବାଦରେ ଧାରଣା ମଧ୍ୟ ସଂଘ ଦେଇଥିଲା । ହେଲେ ଫଳ ଶୁନ୍ । ଓଡିଆଙ୍କୁ ଅଯୋଗ୍ୟ ଭାବି ବାଦ ଦିଆଯାଉଛି ନା କିଛି ମାପଦଣ୍ଡ ଏମିତି ରଖାଯାଉଛି ଯାହା ଫଳରେ ଓଡିଆ ଠିକାଦାର ବାଦ୍ ପଡୁଛନ୍ତି, ତାକୁ ନେଇ ଏବେ ସମୀକ୍ଷା ଚାଲିଛି । ଟେଣ୍ଡର କାର୍ଯ୍ୟ ପାଇଁ ବାର୍ଷିକ ଟର୍ଣ୍ଣଓଭର୍ ଏକ ବଡ ସତର୍୍ ହୋଇଥିବା ବେଳେ ଓଡିଆ ଠିକାଦାର ଏହି ସର୍ତ୍ତରେ ପଛରେ ପଡୁଛନ୍ତି । ଏହାପଛର ଯୁକ୍ତି ହେଉଛି ଯଦି ଠିକାଦାରଙ୍କୁ କାମ ମିଳିବନି ତେବେ ସେମାନଙ୍କର ଟର୍ଣ୍ଣଓଭର୍ ବଢିବ କେମିତି? କିଛି ଏଭଳି ଦିଗ ବିଧାନଭାରେ ଗୁଂଜରିତ ହେବା ପରେ ସରକାର ମଧ୍ୟ ଅଡୁଆରେ ପଡିଥିବା ଦେଖିବାକୁ ମିଳିଥିଲା । ନା ମନ୍ତ୍ରୀ ସନ୍ତୋଷଜନକ ଉତ୍ତର ଦେଇଥିଲେ ନା ବିରୋଧୀଙ୍କୁ ବୁଝାଇ ପାରିଥିଲେ ।

ଓଡିଶାରେ ଏତେ ଅଣଓଡିଆ ପ୍ରୀତି କଣ ପାଇଁ । ଏଠି ଇଂରାଜୀ ଜାଣିଥିବା ଲୋକଙ୍କ କ୍ଷମତା ଅଧିକ । ଓଡିଆରେ କଥା କହୁଥିବା ଲୋକଙ୍କ ପାଇଁ ସୁଯୋଗ କମ୍ । ଏହି ଧାରଣା ଭିତରୁ ସମସ୍ତଙ୍କୁ ବାହାରକୁ ବାହାରିବାକୁ ପଡିବ ଯେ ଇଂରାଜୀ ଜାଣିଥିବା ଲୋକ ସର୍ବଶ୍ରେଷ୍ଠ ବ୍ୟକ୍ତି କିମ୍ବା ଜ୍ଞାନୀ ନୁହଁ । ସେ କେବଳ ଏକ ଭାଷା ଜାଣିଛି, ଏହାର ଅର୍ଥ ନୁହେଁ ତାକୁ ସବୁକିଛି ଜଣାଅଛି । ପ୍ରତିଟି ଓଡିଆଙ୍କୁ ଏଦିଗରେ ସଚେତନ ହେବାକୁ ପଡିବ, କାହିଁକି ଆଉ କିଭଳି ଅଣ ଓଡିଆ ଠିକାଦାର ଅସି ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପର କାମ ନେଇଯାଉଛନ୍ତି ଆଉ ଓଡିଆ ଲୋକ ପଛରେ ରହିଯାଉଛନ୍ତି । ଯେଉଁ ବିତର୍କର ବିଷୟ ବିଧାନସଭାରୁ ମିଳିଛି ତାକୁ ସହଜରେ ହାତଛଡା କରିଦେଲେ ଏହି ଜାତି ସବୁବେଳେ ପଛରେ ରହିଯିବ । ତେଣୁ ନିଜର ହକ୍ ପାଇଁ ଲଢିବାକୁ ପଡିବ ଆଉ ଆବଶ୍ୟକ ପଡିଲେ ବ୍ୟବସ୍ଥା ବଦଳାଇବା ପାଇଁ ସ୍ୱର ଉଠାଇବାକୁ ପଡିବ ।

Comments (0)
Add Comment