ପାଣ୍ଡିଆନଙ୍କୁ ପ୍ରେସିଡେଣ୍ଟ ଆୱାର୍ଡ

୫-ଟି ସଚିବଙ୍କୁ ଅନ୍ତର୍ଜାତୀୟ ସମ୍ମାନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କୁ ସମ୍ମାନଜନକ ପ୍ରେସିଡେଣ୍ଟ ଆଓ୍ୱାର୍ଡ । ରାଜ୍ୟରେ ହକିର ବିକାଶ ତଥା ଏହାକୁ ଆଗକୁ ବଢାଇବା ପାଇଁ ୫-ଟି ସଚିବଙ୍କର ଯେଉଁ ଯୋଗଦାନ ରହିଛି ସେଥିପାଇଁ ତାଙ୍କୁ ଅନ୍ତର୍ଜାତୀୟ ହକି ଫେଡେରେସନ ସମ୍ମାନଜନକ ପ୍ରେସିଡେଣ୍ଡସ ସମ୍ମାନରେ ସମ୍ମାନିତ କରିଛି ।ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏଫ୍‌ଆଇଏଚ୍‌ର ୪୭ ତମ ସମ୍ମିଳନୀରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ରାଜ୍ୟରେ ହକିର ପ୍ରଚାର ପ୍ରସାର ପାଇଁ ସରକାରୀ ସ୍ତରରେ ଯଥେଷ୍ଟ ଉଦ୍ୟମ କରାଯାଇଛି ।ଏ ନେଇ ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯିବା ସହ, ହକିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ସେ ଏହି ପୁରସ୍କାର ପାଇବାକୁ ହକଦାର ବୋଲି କୁହାଯାଇଛି । ଭାରତୀୟ ହକି ଦଳର ପ୍ରୟୋଜକ ଭାବେ ଓଡିଶା ଥିବା ବେଳେ, ୨୦୨୩ରେ ହକି ବିଶ୍ୱକପ ପାଇଁ ଓଡିଶା ପ୍ରସ୍ତୁତି କରୁଛି । ସେହିଭଳି ରାଉରକେଲାରେ ଏକ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ମଧ୍ୟ ସରକାର କାର୍ୟ୍ୟ ଆରମ୍ଭ କରିସାରିଛନ୍ତି । ୨୦୧୪ରେ କଳିଙ୍ଗ ଷ୍ଟାଡିୟମରେ ହକି ଚାମ୍ପିୟନସ ଟ୍ରଫି, ୨୦୧୭ରେ ହକି ୱାର୍ଲଡ ଲିଗର ଆୟୋଜନ କରି ହକି ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛି ଓଡିଶା । ଆଉ ଏସବୁ ପଛରେ ୫-ଟି ସଚିବଙ୍କ ଏକ ବଡ ଭୂମିକା ଥିବା ଚର୍ଚ୍ଚା ହେଉଥିଲା । ଏଥିସହିତ ପାଣ୍ଡିଆନଙ୍କୁ ଏହି ପୁରସ୍କାର ମିଳିବା ପରେ ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ଟ୍ୱିଟ୍ ଯୋଗେ ପାଣ୍ଡିଆନ୍‌ଙ୍କୁ ଶୁଭେଚ୍ଛା ଜଣାଯାଇଛି ।

Comments (0)
Add Comment