କରୋନା ସଂକ୍ରମଣକୁ ମାତ ଦେବା ପାଇଁ ରାଜ୍ୟରେ ଜୋରସୋରରେ ଚାଲିଛି ଟିକାକରଣ । କ୍ୟାମ୍ପେନ ମୋଡରେ ଟିକାକରଣ କରାଯାଉଛି । ଏହାରି ଭିତରେ ଓଡିଶାରେ ଟିକାକରଣ ମଧ୍ୟ କୋଟିଏ ଟପିସାରିଛି । ତେବେ ଏଣିକି ଯେଉଁ ଦୋକାନୀ ମାନେ ଟିକା ନେଇନଥିବେ , ସେମାନେ ଆଉ ଦୋକାନ ଖୋଲିପାରିବେ ନାହିଁ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ।
ଦୋକାନ ଖୋଲିବାକୁ ହେଲେ ଟିକା ନେବାକୁ ବାଧ୍ୟ । ଟିକା ନେଇଥିବା ପ୍ରମାଣପତ୍ର ଦୋକାନ ସାମନାରେ ନଲଗାଇଲେ ଦୋକାନକୁ ଖୋଲିବାକୁ ଅନୁମତି ଦିଆଯିବନି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଳାରେ ପ୍ରାଥମିକତା ଭିତରେ ଦୋକାନୀମାନଙ୍କୁ , ଟ୍ୟାକ୍ସି ଡ୍ରାଇଭର, ଅଟୋ ଡ୍ରାଇଭର, ହାଟବଜାରରେ ବିକ୍ରି କରୁଥିବା ଦୋକାନୀମାନଙ୍କୁ ଟିକା ଦିଆଯିବ । ବ୍ୟବସାୟୀ ନିଜେ ଟିକା ନେବା ସହ ନିଜ ଦୋକାନୀ କର୍ମଚାରୀଙ୍କ ଟିକା ନେବାକୁ ପ୍ରବର୍ତ୍ତାଇବାକୁ ନିର୍ଦ୍ଦେଶ ରହିଛି ।
ରାଜ୍ୟରେ ଏବେ କରୋନା ଦ୍ୱିତୀୟ ଲହରରେ ସଂକ୍ରମଣ କମୁଥିବା ବେଳେ ଟିକାକରଣକୁ ଫୋକସ କରାଯାଇଛି । ସଂକ୍ରମଣ ମାତ ଦେବାକୁ ହେଲେ ଅଧିକରୁ ଅଧିକ ଲୋକ ଟିକା ନେବା ଦରକାର । ରାଜ୍ୟରେ ଏବେ ଲକଡାଉନ ଆଶିଂକ କୋହଳ କରାଯାଇ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଦୋକାନୀ ମାନେ ଟିକା ନେବା ବାଧ୍ୟ ବୋଲି ଗଂଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।