ଟିକାକୁ ନେଇ ଟଣାଟଣି!

ଟିକା ଯୋଗାଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପରେ ଆଜି ଜବାବ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ରାଜ୍ୟ,ରାଜ୍ୟ ମଧ୍ୟରେ ଟିକା ଯୋଗାଣରେ ପାତର ଅନ୍ତର କରାଯାଉଥିବା ରାଜ୍ୟ କରିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ସେପଟେ ଏନେଇ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଓଡ଼ିଶା କିମ୍ବା ଦେଶର କୌଣସି ରାଜ୍ୟରେ ଟିକାର ଅଭାବ ହେବନାହିଁ ।

ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ସଚିବ କହିଥିଲେ, ଟିକା ଯୋଗାଣରେ ରାଜ୍ୟ ରାଜ୍ୟ ଭିତରେ ପାତର ଅନ୍ତର କରାନଯାଉ । ରାଜ୍ୟକୁ ଯଥେଷ୍ଟ ପରିମାଣରେ ଟିକା ଦିଆଯାଉ, ଫଳରେ ରାଜ୍ୟ ସରକାର ଆଗୁଆ ୧୫ ଦିନ ପାଇଁ ଯୋଜନା କରିବେ । ଏହାର ଜବାବରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ତଥ୍ୟ ସହ ଚିଠି ଲେଖି ପାତରଅନ୍ତର ଅଭିଯୋଗକୁ ଖଣ୍ଡନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି , ୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟକୁ ୩୪ ଲକ୍ଷ ୪୬ ହଜାର ୭୬୦ ଡୋଜ ଟିକା ଦିଆଯାଇଛି । ଏହା ମଧ୍ୟରୁ ୨୧ ଲକ୍ଷ ୬୭ ହଜାର ୯୫୬ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ଦିଆସରିଛି ।ଏହାର ଅର୍ଥ ରାଜ୍ୟ ସରକାର ୨୨ ଲକ୍ଷ ୯୭ ହଜାର ୪୬୦ ଡୋଜ ଟିକା ବ୍ୟବହାର କରିଛନ୍ତି । ଏବଂ ସ୍ାସ୍ଥ୍ୟ ବିଭାଗ ପକ୍ଷରେ ୧୧ ଲକ୍ଷ ୪୯ ହଜାର ୩୩୮ ଟିକା ଡୋଜ ରହିବା କଥ।। ପ୍ରତିଦିନ ସମସ୍ତ ରାଜ୍ୟରେ ଟିକାର ସ୍ଥିତି ନେଇ ସମୀକ୍ଷା କରାଯାଉଛି । ଗତ ୩ ଦିନରେ ଓଡିଶାରେ ୨ ଲକ୍ଷ ୭ ହଜାର ୨୨୯ ଜଣଙ୍କୁ ଟିକା ଦିଆଯାଇଛି । ଏହାର ଅର୍ଥ ଦୈନିକ ପ୍ରାୟ ୬୯ ହଜାର ୭୬ ଜଣଙ୍କୁ ଟିକା ଦିଆଯାଉଛି । ଟିକା ସ୍ଥିତିର ସମୀକ୍ଷା କରିବା ସହ ଓଡିଶାକୁ ଆଉ ୫ ଲକ୍ଷ ୪୮ ହଜାର ୨୫୦ଡୋଜ ଟିକା ପଠାଯାଉଛି । ଯାହା ୨୮ ମାର୍ଚ୍ଚ ସୁଦ୍ଧା ରାଜ୍ୟକୁ ଆସିଯିବ । ଚିଠିରେ କୁହାଯାଇଛି ଯେଉଁ ଯୁକ୍ତିକୁ ଓଡିଶା ସରକାର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି, ତାହାଯୁକ୍ତି ସଂଗତ ନୁହେଁ । ଟିକା ବଂଟନରେ କୌଣସି ଅନିୟମିତତା ବା ପାତରଅନ୍ତର ହେଉନାହିଁ ବୋଲି ସ୍ପଷ୍ଟ ଭାବରେ କହିଛି କେନ୍ଦ୍ର ।

କେନ୍ଦ୍ର ସରକାର ଏହି ଚିଠି ଜରିଆରେ ଆଶ୍ୱାସନା ଦେଇଛନ୍ତି, ରାଜ୍ୟକୁ ଟିକା ଯୋଗାଣ କେବେ ମଧ୍ୟ ବ୍ୟାହତ ହେବନାହିଁ ଏବଂ ସ୍ଥିତିର ସମୀକ୍ଷା କରି ଟିକା ଯୋଗାଣ ପାଇଁ ସମସ୍ତ ପଦକ୍ଷେପ କେନ୍ଦ୍ର ନେବ ବୋଲି ଚିଠିରେ ସ୍ପଷ୍ଟ ଭାବେ କୁହାଯାଇଛି । ଏହି ପ୍ରସଙ୍ଗ ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି, ଦେଶରେ କିମ୍ବା ଓଡିଶାରେ ଟିକାର କୈାଣସି ଅଭାବ ନାହିଁ ।

ସେପଟେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏନେଇ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବା ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଓଡିଶା ସରକାର ଟିକା ଉପଲବ୍ଧ ନଥିବା ନେଇ ଭୟ ସୃଷ୍ଟି କରିବା ବାବଦରେ ସେ ଆଲୋଚନା କରିଥିଲେ । ଟିକାର କୌଣସି ଅଭାବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଓଡ଼ିଶାରେ ଏଯାଏଁ ୩୪.୪୬ ଲକ୍ଷ ଡୋଜ୍ ଟିକା ଯୋଗାଇ ଦିଆଯାଇଛି । ଆଉ ଏଥି ମଧ୍ୟରୁ ରାଜ୍ୟରେ ୨୩ ଲକ୍ଷ ଡୋଜ୍ ଟିକାକରଣ ହୋଇଛି । ତେବେ ମାର୍ଚ୍ଚ ୨୮ ତାରିଖରେ ଓଡ଼ିଶାକୁ ଆଉ ୫.୫ ଲକ୍ଷ ଟିକା ମିଳିବ ।

Comments (0)
Add Comment