ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ମିଳିଲା ୧୪୪୦ ଗ୍ରାମର ସୁନା ଗହଣା ।ଭାରତର ସବୁଠୁ ବଡ଼ ଡିଜାଇନର ସବ୍ୟସାଚୀ ବ୍ରାଣ୍ଡର ଏକ ହାର ଜବତ ହୋଇଛି, ଯାହାର ମୂଲ୍ୟ ୨୪ ଲକ୍ଷ ୨୫ ହଜାର ଟଙ୍କା । ଭିଜିଲାନ୍ସ ଅଧୀନରେ ଥିବା ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ପ୍ରଦୀପଙ୍କ ଘରୁ ଜବତ ହୋଇଥିବା ଜରୁରୀକାଳୀନ ଦସ୍ତାବିଜ ଓ ବ୍ୟାଙ୍କ ଆକାଉଣ୍ଟର ଛାନଭିନ କରିବେ ବୋଲି ଜଣାଯାଇଛି । ସନ୍ଧାନ ସମୟରେ ମିଳିଥିବା ଦଲିଲଗୁଡ଼ିକୁ ଫାଇନାନ୍ସିଆଲ୍ ୱିଙ୍ଗ୍ ଅଫ୍ ଭିଜିଲାନ୍ସ ଏବଂ ପ୍ରଫେସନାଲ୍ ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ବ୍ୟାଙ୍କିଙ୍ଗ୍ କନସଲଟାଣ୍ଟସ୍ ଅଧିକାରୀଙ୍କ ଦ୍ୱାରା ପରୀକ୍ଷା କରାଯିବ । ରବିବାର ସକାଳୁ ସରକାରୀ ବାସଭବନରେ ରେଡ୍ କରିିଥିଲା ଭିଜିଲାନ୍ସ ଟିମ୍ ।
ପ୍ରଦୀପ ପାଣିଗ୍ରାହୀଙ୍କ ଜମି କିଣା କାଗଜପତ୍ର, ଗାଡି ଓ ସୁନା କିଣା କାଗଜପତ୍ର ଭିଜିଲାନ୍ସ ଜବତ ହୋଇଛି । ଏହାଛଡ଼ା ସାଇବର ସେଲ୍ ଅଫ୍ ଭିଜିଲାନ୍ସ ସର୍ଚ୍ଚ ସମୟରେ ମିଳୁଥିବା ସମସ୍ତ ଇଲେକ୍ଟ୍ରୋନିକ୍ ପ୍ରମାଣ / ଡକ୍ୟୁମେଣ୍ଟ ଯାଞ୍ଚ କରିବ । ସାକ୍ଷୀ, ସନ୍ଦିଗ୍ଧ ଏବଂ ଅଭିଯୁକ୍ତଙ୍କ ପରୀକ୍ଷା ଠିକ୍ ସମୟରେ କରାଯିବ । ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଗତକାଲି ଭିଜିଲାନ୍ସ ଟିମ୍ ବ୍ରହ୍ମପୁରରେ ବିଧାୟକଙ୍କ ସଂପର୍କୀୟ ଓ ସହଯୋଗୀଙ୍କ ଘରେ ଚଢାଉ କରିଥିଲା । ଭୁବନେଶ୍ୱର ସରକାରୀ ବାସଭବନ ସମେତ ମୋଟ୍ ୧୫ଟି ସ୍ଥାନରେ ଏକକାଳୀନ ଚଢାଉ କରି ଖୋଳତାଡ କରିଛି ଭିଜିଲାନ୍ସ ।
୨୦୦୯ରୁ ୨୦୨୦ ମଧ୍ୟରେ ୫ କୋଟି ୫ ଲକ୍ଷରୁ ଅଧିକ ଟଙ୍କା ଠୁଳ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିବା ପରେ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ ।