ଆଜି ରାତିରୁ ସୋମବାର ସକାଳ..ଘରୁ ବାହାରିବା ମନା

ଆଜି ରାତିରୁ ସୋମବାର ସକାଳ ଯାଏ ଶୁନଶାନ ରହିବ ରାସ୍ତାଘାଟ । ସହରରେ ପଡିବ ତାଲା । କେବଳ ପଇଁତରା ମାରିବେ ପୁଲିସ । ଆସନ୍ତାକାଲିଠୁ ସପ୍ତାହନ୍ତ ସଟଡାଉନ୍ ସମସ୍ତ ସହରାଞ୍ଚଳରେ ଲାଗୁ ହେବ । ଆଜି ରାତିରୁ ନାଇଟ କର୍ଫ୍ୟୁ ଶନିବାର ସକାଳ ୫ଟା ଯାଏ ବଳବତ୍ତର ରହିବ । ତା’ପରେ ଶନିବାର ସକାଳ ୫ଟାରୁ ସୋମବାର ସକାଳ ଯାଏ ଲାଗୁ ରହିବ ସଟଡାଉନ୍ କଟକଣା । ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସପ୍ତାହକ ଦୁଇ ଦିନ କେହି ଘରୁ ନବାହାରିବାକୁ କୁହାଯାଇଛି ।

କଟକ-ଭୁବନେଶ୍ୱର ଟ୍ୱିନ୍ ସିଟି ସହ ସପ୍ତାହନ୍ତ ସଟଡାଉନ୍ କଟକଣା ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହେବ । ଏହି ସମୟରେ କେବଳ ଜରୁରୀକାଳୀନ ସେବାରେ ନିୟୋଜତି ବ୍ୟକ୍ତି ଘରୁ ବାହାରି ପାରିବେ । ତେବେ ସପ୍ତାହନ୍ତ ସଟଡାଉନ୍ ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଏହା ସହ ଜଡ଼ିତ ସମସ୍ତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ । ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ୟ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ । ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସ ଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରି ହେବ । ଅନଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ରହିବ ନାହିଁ ।ରାଜପଥ କଡ଼ରେ ଥିବା ହୋଟେଲ ଓ ଢାବା କେବଳ ପାର୍ସଲ ଦେଇପାରିବେ । କ୍ଷୀର ଦୋକାନ ଖୋଲା ରହିବ । ଫୁଡ୍ ଓ ଗ୍ରସରୀ ସାମଗ୍ରୀର ହୋମ୍ ଡେଲିଭରି ଦେଇ ହେବ ।

ଖବରକାଗଜ ବଣ୍ଟନ ଲାଗି ସକାଳ ୫ଟାରୁ ୮ଟା ମଧ୍ୟରେ ଅନୁମତି ଦିଆଯାଇଛି। ପାନୀୟ ଜଳ ଯୋଗାଣ, ସାନିଟାଇଜେସନ୍ ଓ ସ୍ୱେରେଜ୍ ୱାର୍କରଙ୍କୁ ଅନୁମତି ଦିଆଯାଇଛି । ବିଦ୍ୟୁତ୍ ବିତରଣ, ମାଲପରିବହନ ଉପରେ କଟକଣା ରହିବ ନାହିଁ । ରାଜ୍ୟରେ ସଂକ୍ରମଣ ବଢିଚାଲିଥିବା ବେଳେ କରୋନା ଚେନ ଭାଙ୍ଗିବା ପାଇଁ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି ।ପ୍ରଥମ ପର୍ଯ୍ୟାୟଠୁ ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମଣ ହୁୁହୁ ହୋଇ ବଢିଚାଲିଛି । ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ଉପରେ ଏବେ ଚିହ୍ନଟ ହେଉଛନ୍ତି । ଯାହା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି ।

Comments (0)
Add Comment