ସହରରେ ତାଲା

ରାଜ୍ୟର ସମସ୍ତ ସହରରେ ତାଲା । ଶୂନଶାନ ରାସ୍ତାଘାଟ । ଦୋକାନ ବଜାର ବନ୍ଦ । ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି । ସୋମବାର ସକାଳ ଯାଏ ଦୋକାନ ବଜାର ବନ୍ଦ ରହିବ । କଟକଣାରୁ କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଥିବା ବେଳେ କ୍ଷୀର ଦୋକାନ, ଔଷଧ ଦୋକାନ ଖୋଲା ରହିଛି ।

ସୋମବାର ସକାଳ ଯାଏ ରାଜ୍ୟର ସବୁ ସହରାଂଚଳରେ ସଟଡାଉନ ନିୟମ ଲାଗୁ ରହିବ । ସମସ୍ତ ଜିଲ୍ଲାରେ ସଟଡାଉନ ନିୟମକୁ ଲୋକେ ମାନୁଥିବା ବେଳେ ଯିଏ ବି ନିୟମ ଭାଙ୍ଗୁଛି, ତାଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି । ଦୋକାନବଜାର ପୁରା ବନ୍ଦ ରହିଛି । ଗାଡି ମୋଟର ଚଳାଚଳ ପୁରା ଠପ୍ ହୋଇଯାଇଛି । ଜରୁରୀ କାମ ନଥିଲେ କେହି ଘରୁ ବାହାରନ୍ତୁ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସହରାଚଂଳର ପ୍ରବେଶ ପଥରେ ନାକା କରାଯାଇଥିବା ବେଳେ ଗାଡିମଟର ଯାଞ୍ଚ କରାଯାଉଛି ।

ଯାଜପୁର, ଢେଙ୍କାନାଳ, ଜଗତସିଂହପୁର, ନବରଙ୍ଗପୁର, ଫୁଲବାଣୀ, ସୁନ୍ଦରଗଡରେ ସଟ୍ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରାଯାଇଛି । ରାଜଧାନୀରେ ସଟଡାଉନ ସମୟରେ ରେଳଷ୍ଟେସନରୁ ମୋ ବସ୍ ଚଳାଚଳ କରିବା ପାଇଁ ଅନୁମତି ରହିଛି । ଏହାସହ ଏୟାରପୋର୍ଟ ଓ ରେଳ ଷ୍ଟେସନ ମଧ୍ୟରେ ବସ୍ ଚଳାଚଳ କରିବ ବୋଲି କୁହାଯାଇଛି । ସେପଟେ ତାଲାବନ୍ଦ ସମୟରେ ରାଜଧାନୀବାସୀ ନିୟମ ମାନି ଚଳୁଛନ୍ତି । ଆଗକୁ ଏପରି ସହଯୋଗ ଜାରି ରଖିବାକୁ ଅପିଲ କରିଛନ୍ତି ସିପି । ଭୁବନେଶ୍ୱର ସହର ସାରା ପିସିଆର ଭ୍ୟାନ୍ ବୁଲୁଛି, ୧୫୦ ଅଫିସର ବିଭିନ୍ନ ଚେକପୋଷ୍ଟର ଛିଡ଼ା ହୋଇଛନ୍ତି । ଭୁଲ କଲେ ଲୋକଙ୍କୁ ବୁଝାଇ ଛାଡି ଦେଉଛୁ ବୋଲି କହିଲେ ପୁଲିସ କମିସନର ।

କଟକରେ ସପ୍ତାହନ୍ତ ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି । କଟକରେ ୧୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ସପ୍ତାହାନ୍ତ ସଟଡାଉନକୁ କଟକରେ ଲୋକମାନେ ପାଳନ କରୁଛନ୍ତି ।

Comments (0)
Add Comment