ସଂକ୍ରମଣ ବଢୁଛି, ଭୟ ବି ବଢୁଛି । କିନ୍ତୁ ସଙ୍କଟ ସମୟରେ ସାଂସଦଙ୍କର ମିଳୁନାହିଁ ଦର୍ଶନ । ସୁଖ ଓ ଦୁଃଖରେ ଛିଡା ହେବାର ପ୍ରତିଶ୍ରୁତି ଦେଇ ଭୋଟ ହାତେଇଥିବା ସାଂସଦ ଏବେ ଅଜ୍ଞାତବାସରେ । ନା ପଚାରିଲେ କେହି ଉତ୍ତର ଦେଉଛନ୍ତି ନା ଖୋଜିଲେ ମିଳୁଛନ୍ତି । ଆଜ୍ଞା ହଁ, ଆମେ କହୁଛୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କଥା । ଯେତେବେଳେ ଭୂତାଣୁ ଭୟରେ ଭୁବନେଶ୍ୱର ଏକ ସଙ୍ଗୀନ ସ୍ଥିତି ଦେଇ ଗତି କରୁଛି ସେତେବେଳେ ସାଂସଦ ଅପରାଜିତା କେଉଁଆଡେ ଯେପରି ଉଭାନ ହୋଇଯାଇଛନ୍ତି । ସାଂସଦ କେଉଁଠି ଅଛନ୍ତି, କଣ କରୁଛନ୍ତି ସେ ବାବଦରେ ରାଜଧାନୀବାସୀ ଏବେ ପୂରା ଅଜ୍ଞ ।
ନିର୍ବାଚନମଣ୍ଡଳୀରେ ସିନା ସାଂସଦଙ୍କ ଦେଖା ମିଳୁନି କିନ୍ତୁ ସୋସିଆଲ ମିଡ଼ିଆ ଓ ଟିଭିରେ ଅପରାଜିତାଙ୍କୁ ପ୍ରତିଦିନ ଦେଖିବାକୁ ମିଳୁଛି । ସୋସିଆଲ ମିଡ଼ିଆରେ କାହାକୁ ସହଯୋଗ କରିବା ବଦଳରେ ନିଜ ନିର୍ବାଚନୀ ଡିବେଟର ସୂଚୀ ସେୟାର କରୁଛନ୍ତି ଅପରାଜିତା । ଏପରିକି ଟିଭିରେ ଘଣ୍ଟା ଘଣ୍ଟା ଧରି ନିର୍ବାଚନୀ ବିତର୍କରେ ଭାଗ ନେଉଥିବା ବେଳେ ନିର୍ବାଚନମଣ୍ଡଳୀ ଲୋକେ କେମିତି ଅଛନ୍ତି ସେ ବାବଦରେ ପଚାରି ବୁଝିବାକୁ ଯେପରି ଅପରାଜିତାଙ୍କୁ ସମୟ ମିଳୁନାହିଁ ।
ନିର୍ବାଚନମଣ୍ଡଳୀରେ ସ୍ଥିତି ସଙ୍ଗୀନ ହୋଇସାରିଲାଣି । ପ୍ରତିଦିନ ୧୦୦୦ରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଲୋକପ୍ରତିନିଧି ଭାବେ ସେମାନଙ୍କର କେମିତି ଚିକିତ୍ସା ହେଉଛି, ସମସ୍ତଙ୍କୁ ବେଡ ମିଳୁଛି କି ନାହିଁ, ଅକ୍ସିଜେନର ସୁବିଧା ସବୁ ରୋଗୀଙ୍କ ପାଖରେ ପହଞ୍ଚୁଛି କି ନାହିଁ? ମହାମାରୀ ସମୟରେ ଲୋକଙ୍କର କଣ ଅସୁବିଧା ହେଉଛି, ଭ୍ୟାକସିନ ସମସ୍ୟା କେଉଁଠି ଉପୁଜୁନି ତ? ଏସବୁ ବାବଦରେ ନ ବୁଝିବାକୁ ଯେପରି ପଣ କରିଛନ୍ତି ଅପରାଜିତା । ନଚେତ ଅଧିକ ସଂକ୍ରମଣ ଜିଲ୍ଲା ଖୋର୍ଦ୍ଧାରେ ଯେତେବେଳେ ଟିକା ନଥିବା ଦର୍ଶାଇ ଟିକାକରଣ ବନ୍ଦ କରାଗଲା ସେତେବେଳେ ଅପରାଜିତା ଚୁପ୍ ରହିଲେ କାହିଁକି? ଭ୍ୟାକସିନର ଯଦି ଅଭାବ ରହୁଛି ତେବେ ଏନେଇ କେବେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଭ୍ୟାକସିନର ଅଭାବ ଦୂର କରିବାକୁ ନିଜ ପକ୍ଷରୁ ଉଦ୍ୟମ କରିଛନ୍ତି କି ଅପରାଜିତା? କାରଣ ଏହା ପୂର୍ବରୁ ଅନେକ ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖି ନିଜର ଦାବି ଉପସ୍ଥାପନ କରିଛନ୍ତି ଅପରାଜିତା । କିନ୍ତୁ ଭ୍ୟାକସିନ ଅଭାବ କଣ ଅପରାଜିତାଙ୍କ ପାଇଁ ସେତେଟା ଗୁରୁତ୍ୱ ବହନ କରୁନି କି?
ଭୁବନେଶ୍ୱରରେ ଏବେ ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ଶୀର୍ଷରେ ପହଞ୍ଚିଛି, ଏଭଳି ସ୍ଥଳେ ଜଣେ ଜନପ୍ରତିନିଧି ଭାବେ ଅପରାଜିତାଙ୍କର ଦାୟିତ୍ୱ କଣ? ଟିଭିରେ ବସି ଡିବେଟ କରିବା ନା ଲୋକଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢାଇବା । କେଉଁ ପ୍ରସଙ୍ଗକୁ ଅଧିକ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି? ହଁ ଦଳର ମୁଖପାତ୍ର ଭାବେ ଅପରାଜିତା ଟିଭି ଡିବେଟ କରିପାରିବେ, ଏଥିରେ କୌଣସି ବାଧା ନାହିଁ । ତେବେ ଜାତୀୟସ୍ତରର ଟେଲିଭିଜନରେ ବିର୍ତକରେ ଭାଗ ନେବା ବେଳେ ଭ୍ୟାକସିନ ଅଭାବ ପ୍ରସଙ୍ଗ ଉଠାଇବାର ସାହସ ଦେଖାନ୍ତୁ ଅପରାଜିତା? ଏହାପୂର୍ବରୁ ଲୋକଙ୍କ ପାଇଁ କାମ କରିବାକୁ ମୁଁ ରାଜନୀତିକୁ ଆସିଛି ବୋଲି ଅନେକଥର କହିଛନ୍ତି ଅପରାଜିତା । କିନ୍ତୁ ଯେତେବେଳେ ନିର୍ବାଚନମଣ୍ଡଳୀବାସୀ ଅଦୃଶ୍ୟ ଶତ୍ରୁ ସହ ଲଢେଇ କରୁଛନ୍ତି ସେତେବେଳେ ବିପଦ ବେଳେ ସାଥ୍ ଦେବାକୁ ପ୍ରତିଶ୍ରୁତି ଦେଇଥିବା ସାଂସଦ ନିଜେ ଅଜ୍ଞାତବାସକୁ ଚାଲି ଯାଇଛନ୍ତି । ଏହାପୂର୍ବରୁ ମଧ୍ୟ ଭୁବନେଶ୍ୱର ସାଂସଦ ନିଖୋଜ ବୋଲି ରାଜଧାନୀର ବିଭିନ୍ନ ଗଳିକନ୍ଦିରେ ପୋଷ୍ଟର ଲାଗିଥିଲା । ସେତେବେଳେ ସଂସଦ ଅଧିବେଶନ ଚାଲୁଛି ବୋଲି କହି ସଫେଇ ଦେଇଥିଲେ ଅପରାଜିତା । କିନ୍ତୁ ଏବେ ସଂସଦର ଅଧିବେଶନ ଚାଲୁନାହିଁ, ଜନପ୍ରତିନିଧି ଭାବେ ସାଂସଦଙ୍କ ହାତରେ ଯଥେଷ୍ଟ ସମୟ ମଧ୍ୟ ରହିଛି । କିନ୍ତୁ ନିର୍ବାଚନମଣ୍ଡଳୀରେ ସାଂସଦଙ୍କର ଦେଖା ମିଳୁନାହିଁ । ଯାହାକୁ ନେଇ ଲୋକେ କହୁଛନ୍ତି, ଅଜ୍ଞାତବାସରେ ଅପରାଜିତା !