କୁଆଡେ ଗଲା କାଳିଆ କମିଶନ୍ ?

୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜୁ ଜନତା ଦଳ ପକ୍ଷରୁ ଯେଉଁ ଇସ୍ତାହାର ଜାରି କରାଯାଇଥିଲା, ସେଥିରେ କାଳିଆ କମିଶନ ଗଠନ କରିବା ନେଇ ଘୋଷଣା ହୋଇଥିଲା । କାଳିଅ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାକୁ ଅନୁଧ୍ୟାନ କରିବା ପାଇଁ ଏହି କମିଶନ ଗଠନର ଆବଶ୍ୟକତା ଥିବା ସେତେବେଳେ ଯୁକ୍ତି ଦର୍ଶାଯାଇଥିଲା । ହେଲେ ନିର୍ବାଚନକୁ ୨ ବର୍ଷ ପୁରିବାକୁ ଯାଉଛି, ହେଲେ କାଳିଆ କମିଶନ ଗଠନ ଦିଗରେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ନା କାଳିଆ ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଇଛି, ନା କମିଶନ ଗଠନ ପାଇଁ ଉଦ୍ୟମ କରାଯାଉଛି । ଯାହା ଶାସକ ଦଳର ପ୍ରତିଶ୍ରୁତି ଆଉ ଏହାକୁ ପୁରଣ କରିବା ଦିଗରେ ଥିବା ଫରକକୁ ଦର୍ଶାଉଛି ।

ବିଜେଡିର ନିର୍ବାଚନ ଇସ୍ତାହାରରେ କୁହାଯାଇଥିଲା, ସମସ୍ତ ଚାଷୀ ଏବଂ ଭୁମିହୀନ ଚାଷୀ ଶ୍ରମିକ କାଳିଆ ଯୋଜନାରେ ଲାଭ ପାଇବେ । ଚାଷୀ ବାର୍ଷିକ ୧୦ ହଜାର ଟଙ୍କା ଏବଂ ଭୁମିହୀନଙ୍କୁ ୧୨ ହଜାର ଟଙ୍କା ଦେବାକୁ ଏଥିରେ ପ୍ରତିଶ୍ରୁତି ଦିଆଯାଇଥିଲା । ପ୍ରତିଶ୍ରୁତି ମୁତାବକ କାଳିଆ ଯୋଜନା ଚାଲିବ ବୋଲି ବିଜୁ ଜନତା ଦଳ ଇସ୍ତାହାର ଆରମ୍ଭରୁ ଜୋର ଦେଇଥିଲା । ଜଣେ ବି ଚାଷୀ କାଳିଆ ଯୋଜନାର ଅର୍ଥ ପାଇବାରୁ ବଂଚିତ ହେବେନାହିଁ । ଏବେ ନୁହେଁ କି କେବେ ନୁହେଁ ବୋଲି ସ୍ପଷ୍ଟ ଭାବେ ଏହି ଇସ୍ତାହାରରେ ଉଲ୍ଲେଖ କରାଯାଇଥିଲା । ଆଉ ଏହାର ଠିକ ତଳକୁ କାଳିଆ କମିଶନ ଗଠନ କଥା ଉଲ୍ଲେଖ ଥିଲା । ଏଥିର କୁହାଯାଇଥିଲା, କାଳିଆ ଯୋଜନାର କାର୍ଯ୍ୟକାରୀତାକୁ ଅନୁଧ୍ୟାନ କରିବାକୁ କାଳିଆ କମିଶନ ଗଠନ ହେବ । ୩ ବର୍ଷ ପରେ ସହାୟତା ବାବଦ ରାଶି ରିଭିଜନ୍ ପାଇଁ କମିଶନ ସୁପାରିଶ କରିପାରିବେ । ଚାଷୀଙ୍କ କଲ୍ୟାଣ ପାଇଁ ଆଉ କଣ ପଦକ୍ଷେ ନେବାର ଆବଶ୍ୟକତା ରହିଛି ଏବଂ ଚାଷୀଙ୍କ ସମସ୍ୟା ଦୁର ପାଇଁ ଗୁରୁତ୍ୱପୁର୍ଣ୍ଣ ଦିଗମାନ ସୁପାରିଶ କରିବେ । ହେଲେ ସରକାର ନା କାଳିଆ କମିଶନ ଗଠନ କଲେ ନା ଏଦିଗରେ କିଛି ପଦକ୍ଷେପ ନେଲେ । ଏହାରି ଭିତରେ ୨ ବର୍ଷ ବିତିବାକୁ ବସିଥିବା ବେଳେ କମିଶନ କେବେ ଗଠନ ହେବ ଏବଂ କେବେ କମିଶନ ତାଙ୍କ ସୁପାରିଶ ଦେବେ ତାହା ସମ୍ଭବପର ଲାଗୁନାହିଁ ।

୨୦୧୯ ଇସ୍ତାହାର ଆରମ୍ଭରେ ବିଜୁ ଜନତା ଦଳ ପକ୍ଷରୁ କୁହାଯାଇତିଲା, ସେମାନେ କଣ ପ୍ରତିଶ୍ରୁତି ଦେଇଛନ୍ତି, କଣ ପୁରଣ କରିଛନ୍ତି । ଅର୍ଥାତ୍ ଦଳ ତାର ପ୍ରତିବଦ୍ଧତାକୁ ସମସ୍ତଙ୍କ ସାମ୍ନାକୁ ଆଣିଥିଲା । କେବଳ ଘୋଷଣା ନୁହେଁ, କାର୍ଯ୍ୟକାରୀତା ଉପରେ ଦଳ ଜୋର ଦେଉଥିବା ସମସ୍ତଙ୍କୁ ଦର୍ଶାଉଥିଲା । ଏହାର ଠିକ ତଳେ ବିଜେଡି ପକ୍ଷରୁ କୁହାଯାଉଥିଲା, ବିଜେପି କଣ କହିଛି ଆଉ କଣ କରିବାରେ ବିଫଳ ହୋଇଛି । ବିଜେପି କେବଳ ଘୋଷଣା କରୁଥିବା ଦଳ ବୋଲି ବାର୍ତ୍ତା ଏଥିରେ ଦିଆଯାଇଥିଲା । ହେଲେ ଏବେ ସମାନ ସ୍ଥିତି ଶାସକ ଦଳ ପାଇଁ ଆସିଯାଇଛି । ଯେତେବେଳେ ବିଜେଡି ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି । ଏନେଇ ଚାଷୀ ସଂଗଠନ ଏବଂ କୃଷକଙ୍କ ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଗୁଡିକ ପ୍ରଶ୍ନ ଉଠାଇବା କଥା । ଆଗକୁ ଆସୁଥିବା ବିଧାନସଭା ଅଧିବେଶନରେ ମଧ୍ୟ ବିରୋଧୀ ଏହାକୁ ମୁଦ୍ଦା କରି ସରକାରଙ୍କ ଉପରେ ଚାପ ତିଆର କରନ୍ତୁ । ଫଳରେ ସରକାର କାଳିଆ କମିଶନ ଗଠନ କରି ଚାଷୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ବାଧ୍ୟ ହେବେ ।

Comments (0)
Add Comment