ପୁଣି ଭୁଶୁଡ଼ିଲା ପୋଲ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ନବରଙ୍ଗପୁର ଜିଲ୍ଳାରେ ପ୍ରବାହିତ ନାଗି ନଦୀ ଉପରେ ତାଲାପଦରଠାରେ ନିର୍ମାଣାଧୀନ ପୋଲ ଭୁଶୁଡି ପଡିଛି । ଆଉ ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଦୋଷୀ କିଏ ? କାହିଁକି ବାରମ୍ବାର ଏମିତି ଦୁର୍ଘଟଣା ଘଟୁଛି ? ଜିଲ୍ଲାସ୍ତରରୁ ଆରମ୍ଭ କରି ତୃତୀୟ ମହଲା ପର୍ଯ୍ୟନ୍ତ ଏହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଯାଇଛି । ବରିଷ୍ଠ ଅଧିକାରୀମାନେ ତଦନ୍ତ ହେବ ଆଉ ପ୍ରକୃତ ଦୋଷୀ ଦଣ୍ଡ ପାଇବ ବୋଲି ଗଣମାଧ୍ୟମ ସମ୍ମୁଖରେ ବାହାସ୍ଫୋଟ ମାରୁଛନ୍ତି । କିନ୍ତୁ ପ୍ରକୃତରେ କଣ ଦୋଷୀ ଦଣ୍ଡ ପାଇବ ନା ଚିରାଚରିତ ଢଙ୍ଗରେ ଠିକାଦାର ଓ କିଛି ତଳତଳିଆ କର୍ମଚାରୀଙ୍କୁ ବଳି ପକାଇ ହାତ ସଫା କରିଦେବେ ବଡବଡିଆ ସ୍ଵଛ ବାବୁ, ତାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି ।
ବ୍ୟାପୀନିକୁ ମିଳିଥିବା ସୂଚନା ଆଧାରରେ କଣ୍ଟ୍ରାକ୍ଟ୍ରି ବା ଠିକା କାମ ଦୁଇ ପ୍ରକାର ବଣ୍ଟନ କରାଯାଇଥାଏ । ଗୋଟିଏ ପ୍ରଣାଳୀରେ କାର୍ଯ୍ୟ କରୁଥିବା ବିଭାଗ ପ୍ଲାନିଂ, ଡ଼ିଜାଇନିଂ ଠିକାଦାରଙ୍କୁ ଦେଇଥାଏ ଓ ନିର୍ମାଣର ସମସ୍ତ ଭାର ଠିକାଦାର ହିଁ ବହନ କରିଥାନ୍ତି । ଯାହାକୁ ଇପିସି କୁହାଯାଇଥାଏ । ସେହିପରି କିଛି ନିର୍ମାଣ କାର୍ଯ୍ୟ ଏଫ-୨ ସର୍ତ୍ତାବଳୀ ଅନୁସାରେ କରାଯାଇଥାଏ । ଅର୍ଥାତ ବିଭାଗୀୟ ଇଞ୍ଜିନିୟର ମାନେ ନିର୍ମାଣାଧୀନ ପ୍ରକଳ୍ପର ସମସ୍ତ କାର୍ଯ୍ୟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରୁହନ୍ତି । କଣ୍ଟ୍ରାକ୍ଟର କେବଳ ଶ୍ରମିକ, ଯନ୍ତ୍ରପାତି ଲଗାଇ କାର୍ଯ୍ୟ କରୁଥିବା ବେଳେ ନିର୍ମାଣର ସମସ୍ତ ଦାୟିତ୍ୱ ବିଭାଗୀୟ ବଡ ବାବୁଙ୍କ ଉପରେ ନ୍ୟସ୍ତ ଥାଏ । ତେଣୁ ନିୟମ ମୁତାବକ, ଇପିସି ଟେଣ୍ଡର ହୋଇଥିଲେ ଯଦି ନିର୍ମାଣ କାର୍ଯ୍ୟରେ କୌଣସି ବିଭ୍ରାଟ ହୁଏ ତେବେ ସମ୍ପୃକ୍ତ କଣ୍ଟ୍ରାକ୍ଟର ଦାୟୀ ହେବା କଥା । କିନ୍ତୁ ଯଦି ଏଫ-୨ ସର୍ତ୍ତରେ କାର୍ଯ୍ୟ ହେଉଥାଏ ତେବେ ପ୍ରକଳ୍ପ ପାଇଁ ନିଯୁକ୍ତ ଅଫିସର ବା ଇଞ୍ଜିନିୟର ସମ୍ପୂର୍ଣ ଭାବେ ଦାୟୀ ।
ଏବେ ପ୍ରଶ୍ନ ଉଠୁଛି ନବରଙ୍ଗପୁର ଜିଲ୍ଲାରେ ଘଟିଥିବା ଏହି ଦୁର୍ଘଟଣା ପାଇଁ ଦାୟୀ କିଏ ? ଇପିସି ନା ଏଫ-୨ ଆଧାରରେ ଚାଲିଥିଲା ଏହି ନିର୍ମାଣ କାର୍ଯ୍ୟ ? ଉପଯୁକ୍ତ ତଦନ୍ତ ହୋଇ ପ୍ରକୃତ ଦୋଷୀ ଦଣ୍ଡ ପାଇବ ନା ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ ପୁଣି ଜଣେ ଠିକାଦାର ଓ କିଛି ତଳତଳିଆ କର୍ମଚାରୀ ଦୋଷୀ ସାବ୍ୟସ୍ତ ହେବେ ?
ଭୁଶୁଡି ପଡିଥିବା ନିର୍ମାଣାଧୀନ ବ୍ରିଜ ପାଖରେ ଲାଗିଥିବା ଫଳକରୁ ସ୍ପଷ୍ଟ ଜଣାପଡୁଛି ଯେ ଏହି କାର୍ଯ୍ୟର ସମସ୍ତ ଭାର ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଉପରେ ନ୍ୟସ୍ତ ଥିଲା । କାରଣ ସେ ହିଁ ଥିଲେ ଏହି ବ୍ରିଜ ନିର୍ମାଣର ନିର୍ବାହୀ ଅଧିକାରୀ । ସମସ୍ତ କାର୍ଯ୍ୟ ତାଙ୍କରି ତତ୍ତ୍ୱାବଧାନରେ ହେଉଥିଲା । ତେଣୁ ସେ ପ୍ରଥମେ ତଦନ୍ତ ପରିସରଭୁକ୍ତ ହେବା କଥା । କଣ୍ଟ୍ରାକ୍ଟରର ଭୁଲ ନା ବ୍ରିଜ କାର୍ଯ୍ୟ ସହ ସମ୍ପୃକ୍ତ ଇଞ୍ଜିନିୟରଙ୍କ ମାନମୁଖୀ କାର୍ଯ୍ୟ ଯୋଗୁ ଗୋଟିଏ ଅମୂଲ୍ୟ ଜୀବନ ଯିବା ସହ ସରକାରଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେଲା ତାହାର ଉପଯୁକ୍ତ ତଦନ୍ତ ନିହାତି ହେବା ଦରକାର ।
ଓଡ଼ିଶାରେ ନିର୍ମାଣାଧୀନ ବ୍ରିଜ ଭୁଶୁଡି ଧନଜୀବନ ନଷ୍ଟ ହେବା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଏମିତି ଘଟଣା ଘଟିଛି । ତଦନ୍ତ ହେଇଛି, କିନ୍ତୁ କିଛି ପିମ୍ପୁଡି ଧରା ପଡିଥିବା ବେଳେ ହାତୀ ତଦନ୍ତ ଜାଲରୁ ଖସି ଯାଇ ପୁଣି ଦୁର୍ନୀତିର ମଙ୍ଗ ଧରିଛନ୍ତି ।
ନବରଙ୍ଗପୁରରେ ଘଟିଥିବା ଏହି ଘଟଣାର କମ୍ପନ ଏବେ ରାଜଧାନୀ ଭୁବନେଶ୍ୱରକୁ ଥରାଇ ଦେଇଛି । ଏହି ପୋଲ ଭୁଶୁଡିବାର କାରଣ ନେଇ ଏବେ ଉନ୍ନୟନ କମିଶନ, ମୁଖ୍ୟ ଶାସନ ସଚିବଙ୍କ ସମେତ ୫-ଟି ସଚିବ ସମୀକ୍ଷା କରିଛନ୍ତି । ତେଣୁ ଅନୁରୋଧ କରାଯାଉଛି ଉପଯୁକ୍ତ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଦଣ୍ଡବିଧାନ କରାଯାଉ । କେବଳ ଠିକାଦାରଙ୍କୁ ଦୋଷୀ ନକରି ବିଭାଗୀୟ ଇଂଜିନୀୟରଙ୍କ କାର୍ଯ୍ୟଦକ୍ଷତାକୁ ମଧ୍ୟ ବିଚାର କରାଯାଉ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ବିଜୁ ସେତୁ ଯୋଜନା ଅଧିନସ୍ଥ ଏହି ଉନ୍ନତିମୂଳକ ପ୍ରକଳ୍ପର ଦୁର୍ନୀତି ଲୋକଲୋଚନକୁ ଆସିଲେ ଓ ପ୍ରକୃତ ଦୋଷୀଙ୍କୁ ଦଣ୍ଡ ମିଳିଲେ ହୁଏତ ବିଜୁ ବାବୁଙ୍କ ସ୍ୱପ୍ନର ଓଡିଶା ଗଠନ ହେବାପାଇଁ ପଥ ଉନ୍ମୁକ୍ତ ହୋଇପାରିବ ।