କାହିଁକି ଚୁପ୍ ଅଛନ୍ତି ଅରୁପ୍ ପଟ୍ଟନାୟକ?

ଏକାମ୍ରକ୍ଷେତ୍ର ବାଇ-ଲକୁ ନେଇ ରାଜନୀତି ତେଜିଛି । କେନ୍ଦ୍ରମନ୍ତ୍ରୀ, ବିଜେପି ସାଂସଦଙ୍କ ମତରେ ଫରକ ଥିବା ଦେଖିବାକୁ ମିଳୁଛି, ବିଜେଡି ପଛରେ ରହି ସେବାୟତଙ୍କୁ ଆଗରେ ରଖି ଗୋଟି ଚଳାଉଛି । ବିଜେଡିର ସ୍ଥାନୀୟ ବିଧାୟକ ଟ୍ୱିଟ କରି ବିବାଦ ଭିତରକୁ ଅସିଥିଲେ, ହେଲେ ଏବେ ପଛଘୁଂଚା ଦେଇଛନ୍ତି । କେନ୍ଦ୍ରାପଡା ସାଂସଦ ଟ୍ୱିଟ ଯୁଦ୍ଧ ଚାଲିଛି ଅପରାଜିତାଙ୍କ ସହ । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ବିଜେଡି ସାଂସଦ ଦାବି ଉପସ୍ଥାପନ କରୁଛନ୍ତି । ହେଲେ ଏତେ ସବୁ ଭିତରେ ଜଣେ ବ୍ୟକ୍ତି କିନ୍ତୁ ଦେଖିବାକୁ ମିଳୁନାହାନ୍ତି । ୨୦୧୯ରେ ବିଜେଡି ଟିକେଟରୁ ଲଢିଥିବା ଅରୁପ ପଟ୍ଟନାୟକ । ଏହି ମାମଲାରେ ନା ସେ ଗଣମାଧ୍ୟମରେ କିଛି ବୟାନ ଦେଉଛନ୍ତି, ନା ପ୍ରସଙ୍ଗ ବାବଦରେ ମୁହଁ ଖୋଲୁଛନ୍ତି । ଏପରିକି ଏତେ ନେତା ମନ୍ତ୍ରୀ, ବିଧାୟକ ସାଂସଦଙ୍କ ବୟାନ ଭିତରେ ସେ କେଉଁଠାରେ ବି ଦେଖିବାକୁ ମିଳୁନାହାନ୍ତି । ପ୍ରଶ୍ନ ଉଠୁଛି ଏଭଳି କାହିଁକି?

ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧୀନରେ ଯଦି ଏକାମ୍ରକ୍ଷେତ୍ର ପ୍ରସଙ୍ଗ ଆସୁଛି ଆଉ ସେଥିପାଇଁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଯାଉଛି, ଠିକ ସେତିକି ବେଳେ ଏହି ଲଢେଇର ନାୟକ ଭାବେ କାହିଁକି ବିଜେଡି ଅରୁପ ପଟ୍ଟନାୟକଙ୍କୁ ସାମ୍ନାକୁ ଆଣୁନାହିଁ । ନିଜ ସଂସଦୀୟ କ୍ଷେତ୍ର ପାଇଁ କାହିଁକି ଅଂଟା ଭିଡୁନାହାନ୍ତି ଆଇପିଏସରୁ ରାଜନେତା ବନିଥିବା ଅରୁପ୍? ଏହି ଆନ୍ଦୋଳନକୁ ସେ ଜନ ଆନ୍ଦୋଳନରେ ପରିଣତ କରିବାକୁ ତାଙ୍କୁ ଦଳ ଭିତରୁ ମନା ହୋଇଛି ନା ସେ ଏଥିପାଇଁ ଆଗଭର ହେଉନାହାନ୍ତି, ତାକୁ ନେଇ ଏବେ ରାଜଧାନୀରେ ଚର୍ଚ୍ଚା । ଅପରାଜିତା ନୀରବ ଥିଲେ ବୋଲି ବିଜେଡି ଅନେକ କଥା କହିଥିଲା, ଏପରିକି ରାଜଧାନୀରେ ନିଖୋଜ ପୋଷ୍ଟର ବି ଲାଗିଲା, ହେଲେ ଅରୁପ ପଟ୍ଟନାୟକଙ୍କର ଏହି ମାମଲାରେ ଦେଖା ଦର୍ଶନ ନମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଅନୁମାନ କରାଯାଉଛି, ବିଜେଡି ଭିତରେ ଆଉ ଅରୁପ ପଟ୍ଟନାୟକଙ୍କର ସେହି କାଟତି ନାହିଁ । ଓଡିଶା ମୋ ପରିବାର ଦାୟିତ୍ୱ ତାଙ୍କୁ ମୁଖିଆ ଦେଇ ରାଜନୀତି ଠାରୁ ଦୁରେଇ ରଖୀବାକୁ ଉଦ୍ୟମ କରିଛନ୍ତି । ବୋଧେ ଦଳ ସଠିକ ଭାବେ ବୁଝିସାରିଛି, ୨୦୨୪ ପାଇଁ ଅରୁପ ପଟ୍ଟନାୟକ ଫିଟ କ୍ୟାଣ୍ଡିଡେଟ ନୁହଁନ୍ତି । ତେଣୁ ସଂସଦୀୟ କ୍ଷେତ୍ରରୁ ତାଙ୍କୁ ଦୁରେଇ ରଖାଯାଉଛି । ନୁଆ ଚେହେରା ଦଳ ସାମ୍ନାକୁ ଆଣିପାରେ, ତେଣୁ ନିଜେ ମୁଖିଆ ସିନା ଟ୍ୱିଟ କରୁଛନ୍ତି, ହେଲେ ଦଳୀୟ ପରାଜିତ ପ୍ରାର୍ଥୀଙ୍କୁ ଏହାର ନେତୃତ୍ୱ ନେବାକୁ ଦେଉନଥିବା ଅନୁମାନ କରାଯାଉଛି । ପ୍ରସନ୍ନ ପାଟ୍ଟଶାଣୀଙ୍କ ସ୍ଥାନରେ ଅରୁପ ପଟ୍ଟନାୟକଙ୍କୁ ୨୦୧୯ରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଟିକେଟ ମିଳିଥିଲା, ହେଲେ ସେ ବିଜେପିର ଅପରାଜିତା ଷଡଙ୍ଗୀଙ୍କ ନିକଟରୁ ପରାସ୍ତ ହୋଇଥିଲେ । ଆଉ ଅପରାଜିତା ଏବେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ତେଣୁ ଅପରାଜିତାଙ୍କ ଲୋକପ୍ରିୟତା ଏବଂ ଗ୍ରହଣୀୟତାକୁ କାଟିବା ପାଇଁ ଏକ ଭଲ ଚେହେରା ଆବଶ୍ୟକ କରୁଛି ବିଜେଡି । ଆଉ ଅପରପକ୍ଷରେ ମନଇଛା ବୟାନକୁ ନେଇ ସବୁବେଳେ ବିବାଦୀୟ ହୋଇ ରହୁଥିବା ଅରୁପ ପଟ୍ଟନାୟକଙ୍କୁ ଦଳ ଆଉ ଭରସା କରିପାରୁନାହିଁ । ତେଣୁ ଲିଙ୍ଗରାଜ ପ୍ରସଙ୍ଗରେ ସେ ସାମ୍ନାକୁ ଆସୁନଥିବା ଅନୁମାନ କରାଯାଉଛି ।

Comments (0)
Add Comment