ସାରଦାଙ୍କ ସୁରକ୍ଷାକବଚ କିଏ?

ଭୁବନେଶ୍ୱରର ଚର୍ଚ୍ଚିତ ନୟାପଲ୍ଲୀ ଭଡାଟିଆଙ୍କୁ ପ୍ରାଣଘାତୀ ଆକ୍ରମଣ ଘଟଣାରେ ମୁଦାଲା ନମ୍ବର ୧୯ । ମାହାଙ୍ଗାର ସାରଦା ପ୍ରଧାନ । ଏହି ଘଟଣାରେ କମିଶନରେଟ ପୋଲିସ ୧୭ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସାରଦା ପ୍ରଧାନ କିନ୍ତୁ ନିଖୋଜ । କେବଳ ସାରଦା ନୁହଁନ୍ତି ଘଟଣାର ମୁଦାଲା ନମ୍ବର ୪ ଉପାସନା ମହାପାତ୍ରଙ୍କ ପାଖରେ ମଧ୍ୟ ଏଯାଏଁ ପହଞ୍ଚିପାରିନି ପୋଲିସର ଲମ୍ବା ହାତ । ତେବେ ଏହି ଦୁଇ ଜଣଙ୍କୁ ଗିରଫ କରିବା ପାଇଁ କମିଶନରେଟ ପୋଲିସ ପ୍ରୟାସ କରୁନି ନା କୌଣସି ଚାପ ପଡୁଛି । ଯଦି ଚାପ ପଡୁଛି ତେବେ କିଏ ପକାଉଛି? ଖାସକରି ଏହି ୨ ଜଣଙ୍କ ଉପରେ କାହିଁକି ଏଯାଏଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି ।

ପୂର୍ବରୁ କମ ସମୟରେ ଅପରାଧୀଙ୍କୁ ଧରିବାର ଟ୍ରାକ ରେକର୍ଡ ଦେଖାଇ କମିଶନରେଟ ପୋଲିସ ଅନେକ ବାହାବା ପାଇଛି । କିନ୍ତୁ ରାଜଧାନୀର ଭଡାଟିଆଙ୍କୁ ଆକ୍ରମଣ ଘଟଣାରେ ଏହାର ବ୍ୟତିକ୍ରମ କାହିଁକି ହେଉଛି? ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ରହିଛି, ଖୋଦ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ଆଉ ତାହା ବି ପୁଣି ପୋଲିସ ଉପସ୍ଥିତିରେ । ଏହାସତ୍ତ୍ୱେ ମଧ୍ୟ ସାରଦା ଓ ଉପାସନାଙ୍କୁ ଗିରଫ କରିବାକୁ କାହିଁକି କଇଁଛ ଭଳି ଆଗକୁ ବଢୁଛି କମିଶନରେଟ ପୋଲିସ । ନା ଏଭଳି କରି ଅଭିଯୁକ୍ତଙ୍କୁ ଖସାଇ ଦେବାକୁ ସୁଯୋଗ ଦିଆଯାଉଛି । ଏକଥା ଏଥିପାଇଁ ଉଠୁଛି କାରଣ ଉଭୟ ଉପାସନା ଓ ସାରଦା ବିଜେପିର ପ୍ରଭାବଶାଳୀ କୋଟରୀର ବଡ ଚେହେରା । ତେଣୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବୋଧହୁଏ ସାହସ ଜୁଟାଇ ପାରୁନି କମିଶନରେଟ ପୋଲିସ ।

ଏଭଳି ଚର୍ଚ୍ଚା ଏଥିପାଇଁ ଆରମ୍ଭ ହୋଇଛି କାରଣ ଆକ୍ରମଣର ଗୋଟିଏ ଦିନ ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବି କରି ସାରଦାଙ୍କ ନେତୃତ୍ୱରେ ଭୁବନେଶ୍ୱର ଅଭିମୁଖେ ମାହାଙ୍ଗାରୁ ଏକ ରାଲି ବାହାରିଥିଲା । ଆଉ ଅଭିଯୋଗ ଆଧାରରେ ସାରଦାଙ୍କୁ ଗିରଫ କରିବାର କମିଶନରେଟ ପୋଲିସ ପାଖରେ ସୁଯୋଗ ମଧ୍ୟ ରହିଥିଲା । କିନ୍ତୁ ଏଫଆଇଆର ଆଧାରରେ ଅନ୍ୟ ୧୭ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସାରଦାଙ୍କୁ ବାନ୍ଧିବାକୁ ସାହସ ଜୁଟାଇ ପାରିନଥିଲା । ଆଉ ଏହାର ସୁଯୋଗ ନେଇ ଗତ କିଛି ଦିନ ହେବ ସାରଦା ଅଣ୍ଡରଗ୍ରାଉଣ୍ଡ ହୋଇଥିବା ଚର୍ଚ୍ଚା ହେଉଛି । ଯାହାର ଝଲକ ଗତକାଲି ମାହାଙ୍ଗା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ ଦାବିରେ ବିଜେପି ପକ୍ଷରୁ ବିଧାନସଭା ଘେରାଉ ରାଲିରେ ଦେଖିବାକୁ ମିଳିଥିଲା । ବିଜେପିର ତୁଙ୍ଗ ନେତା ଏହି ରାଲିରେ ସାମିଲ ହୋଇଥିଲେ ମଧ୍ୟ ମାହାଙ୍ଗାର ବିଜେପି ଚେହେରା କୁହାଯାଉଥିବା ସାରଦା ପ୍ରଧାନଙ୍କୁ ଦେଖିବାକୁ ମିଳିନଥିଲା । ଯାହା ଦର୍ଶାଉଛି, ପୋଲିସ କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ନିଜକୁ ଅଣ୍ଡରଗ୍ରାଉଣ୍ଡ କରାଇ ନେଇଛନ୍ତି ଶାରଦା । ସେହିଭଳି ଏହି ଘଟଣାରେ ଅନ୍ୟତମ ମୁଦାଲା ଉପାସନା ମହାପାତ୍ର ମଧ୍ୟ ପୋଲିସ ଆଖିରେ ଧୂଳି ଦେଇ କେଉଁ ଆଡେ ଗାଏବ ହୋଇଯାଇଛନ୍ତି । ଉଭୟ ସାରଦା ଓ ଉପାସନା ଏହି ଆକ୍ରମଣ ଘଟଣାର ମୁଖ୍ୟ କାର୍ପଟଦାର ହୋଇଥିବା ବେଳେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଯେଉଁଭଳି ଢିଲାପଣ ଦେଖାଇଛି ତାହା ଏବେ କମିଶନରେଟ ପୋଲିସର ଦୋମୁହାଁ କାର୍ଯ୍ୟଶୈଳୀକୁ ପଦାରେ ପକାଇଛି ।

ଯେଉଁଠି ସାଧାରଣ ଲୋକଟିଏ ବିରୋଧରେ ଅଭିଯୋଗ ଆସିଲେ କମିଶନରେଟ ପୋଲିସ ଘରୁ ଉଠାଇ ଆଣୁଛି, ଟ୍ରାଫିକ ଓ କରୋନା ଗାଇଡଲାଇନର ଉଲ୍ଲଂଘନ କଲେ ବର୍ଦ୍ଦିର ବହପ ଦେଖାଉଛି । ସେଭଳି ସ୍ଥଳେ ସାରଦା ଓ ଉପାସନାଙ୍କ କ୍ଷେତ୍ରରେ ପୋଲିସ ଏତେ ଢିଲା ମାରିପାରିଲା କାହିଁକି? ଏହାପଛର ସବୁଠୁ ବଡ କାରଣ ହେଲା ଉଭୟଙ୍କ ପଛରେ ଲାଗିଥିବା ବିଜେପିର ପ୍ରଭାବଶାଳୀ ଟ୍ୟାଗ ବୋଲି ଚର୍ଚ୍ଚା ହେଉଛି । ଯାହା ଏବେ ନୂଆ ପୋଲିସ କମିଶନର ସୌମେନ୍ଦ୍ର ପ୍ର୍ରିୟଦର୍ଶୀଙ୍କ ସୁରକ୍ଷା ପ୍ରତିଶ୍ରୁତି ଉପରେ ଏବେ ପ୍ରଶ୍ନ ଉଠାଇଛି । କାରଣ ନୂଆ ସିପି ଭାବେ ଦାୟିତ୍ୱ ନେବା ବେଳେ ସାଧାରଣ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଓ ଅପରାଧୀଙ୍କୁ ସାବାଡ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ସୌମେନ୍ଦ୍ର । କିନ୍ତୁ ଯେତେବେଳେ ରାଜଧାନୀରେ ଘଣ୍ଟା ଘଣ୍ଟା ଧରି ବିଜେପିର ନେତା ସାରଦା ଓ ଉପାସନାଙ୍କ ଗୁଣ୍ଡାରାଜର କଥା ସାମ୍ନାକୁ ଆସିଛି ସେତେବେଳେ କମିଶନରେଟ ପୋଲିସର କାର୍ଯ୍ୟାନୁଷ୍ଠାନ ନେବାର ଷ୍ଟାଇଲ ଏକପ୍ରକାର ସ୍ଥାଣୁ ପାଲଟିଯାଇଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥଳେ ପ୍ରଶ୍ନ ଉଠୁଛି କ୍ଷମତାଶାଳୀ ତଥା ପ୍ରଭାବଶାଳୀ, ଧନୀ ଲୋକଙ୍କ ପାଇଁ କମିଶନରେଟ ପୋଲିସର ଅଲଗା ଆଇନ ଆଉ ସାଧାରଣ ଲୋକ ଓ ଗରିବ ଲୋକଟିଏ ପାଇଁ କଣ ଅଲଗା ଆଇନ? ନା ରାଜନୈତିକ ଚାପରେ ଚେପା ହୋଇଯାଉଛି କମିଶନରେଟ ପୋଲିସର କାର୍ଯ୍ୟାନୁଷ୍ଠାନ । ଚର୍ଚ୍ଚା ହେଉଛି ଉଭୟ ସାରଦା ଓ ଉପାସନାଙ୍କ ପଛରେ ଜଣେ ପ୍ରଭାବଶାଳୀ ନେତାଙ୍କ ଆର୍ଶୀବାଦ ରହିଛି । ଯେଉଁଥିପାଇଁ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଏମାନେ ପରବାୟ ନକରି ରାଜଧାନୀର ଛାତି ଉପରେ ଜଣେ ଭଡାଟିଆଙ୍କୁ ଆକ୍ରମଣ କରିବାକୁ ଏଭଳି ସାହସ ଜୁଟାଇପାରିଲେ ।

ଏଭଳି ସ୍ଥିିତିରେ କମିଶନରେଟ ପୋଲିସ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ୨୨ ବର୍ଷ ପରେ ପୁନେରୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇ ବାହାବା ନେଉଛି,ସେଭଳିସ୍ଥଳେ ସାରଦା ଓ ଉପାସନାଙ୍କୁ ଗିରଫ କରି ରାଜଧାନୀବାସୀଙ୍କ ବିଶ୍ୱାସ ଜିତିପାରିବ କି କମିଶନରେଟ ପୋଲିସ?

Comments (0)
Add Comment