ବଡ଼ଦେଉଳରେ ବାରମ୍ବାର ବିଭ୍ରାଟ!

ପୁର୍ବରୁ ବହୁଥର ପୁରୀ ଶ୍ରୀମନ୍ଦିରରେ ଅନେକ ବିଭ୍ରାଟ ସାମନାକୁ ଆସିଛି । ସେ ନବକଳେବର ସମୟରେ ବ୍ରହ୍ମବିଭ୍ରାଟ ହେଉ, ରଥଯାତ୍ରା ସମୟରେ ଅଣସେବାୟତଙ୍କୁ ରଥରେ ଚଢାଇବା ହେଉ କିମ୍ବା ପାଉଣୀ ଦାବିରେ ମହାପ୍ରଭୁଙ୍କ ନୀତି ବିଳମ୍ବ । ଏହିଭଳି ଅନେକ ବିଭ୍ରାଟ ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ୨୬ ବର୍ଷ ପରେ ପଡିଥିବା ବଡଠାକୁରଙ୍କ ନାଗାର୍ଜୁନ ବେଶକୁ ନେଇ ମଧ୍ୟ ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି ।

କୋଭିଡ କଟକଣା ଭିତରେ ପୁରୀ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ସମ୍ପର୍ଣ୍ଣ ହୋଇଥିଲା ହେଲେ । ବଡଠାକୁରଙ୍କ ନାଗାର୍ଜୁନ ବେଶର ସୂର୍ଯ୍ୟ, ଚନ୍ଦ୍ର ଜଣେ ସେବାୟତ ନିଜ ଘରକୁ ନେଇ ପହଚାଂଇବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁରୀ ଶ୍ରୀମନ୍ଦିରରେ ପହଚିଂ ଯାଂଚ କରିଛନ୍ତି ମୁଖ୍ୟପ୍ରଶାସକ, ଜିଲ୍ଲାପାଳ ଓ ନୀତି ପ୍ରଶାସକ । ବେଶ ସରିବା ପରେ ସରଜାଂମକୁ କେଉଁଠି ରଖାଯାଇଥିଲା ଓ ଏହା ମନ୍ଦିର ବାହାରକୁ ଯାଇଛି କି ନାହିଁ ସେ ଦିଗରେ ତଦନ୍ତ କରାଯିବ । ଏପରିକି ବେଶ ଯୋଗଇଥିବା ବଳରାମ ଖୁଂଟିଆକୁ ମଧ୍ୟ ପଚାର ଉଚାର କରାଯିବ । କମାଣ୍ଡରଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି ।ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଶ୍ରୀମୁଖ୍ୟପ୍ରଶାସକ ।
ଅଭିଯୋଗ ଅନୁସାରେ ଜଣେ ସେବାୟତଙ୍କ ଘରକୁ ଏହି ସୂର‌୍ୟ୍ୟ, ଚନ୍ଦ୍ରକୁ ନେଇଯାଇଛନ୍ତି ଜଣେ ତଳିଆ କର୍ମଚାରୀ । କାହା ନିର୍ଦ୍ଦେଶରେ ଶ୍ରୀମନ୍ଦିର ଭିତରୁ ବଡଠାକୁରଙ୍କ ବେଶ ବାହାରକୁ ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି । କାରଣ, ଠାକୁରଙ୍କୁ ଲାଗୁ ହୋଇଥିବା ବେଶ ସଂଗ୍ରହାଳୟରେ ରଖାଯିବ ବୋଲି ପୂର୍ବରୁ ନିଷ୍ପତି କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତି ହୋଇଥିବା ବେଳେ କାହା ନିର୍ଦ୍ଦେଶରେ ସେବାୟତଙ୍କ ଘରକୁ ସୂର‌୍ୟ୍ୟ ଚନ୍ଦ୍ର ଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।

Comments (0)
Add Comment