ନାଁ ଥିଲା ‘ସଚିବାଳୟ’ । ଯାହାକୁ ନେଇ ବିବାଦ ଥିଲା । କାହିଁକି ସଚିବଙ୍କ ପଦ ପଦବୀ ଅନୁସାରେ ନାମକରଣ ହୋଇଛି । କାହିଁକି ‘ମନ୍ତ୍ରାଳୟ’ ହେବନାହିଁ? କାରଣ ଗଣତନ୍ତ୍ରରେ ମନ୍ତ୍ରୀ ବା ଜନପ୍ରତିନିଧି ନେଉଥିବା ନିଷ୍ପତ୍ତି ସଚିବ ବା ଅଧିକାରୀ କାର୍ଯ୍ୟକାରୀ କରିଥାନ୍ତି । ଏହି ଚର୍ଚ୍ଚା ଅନେକ ବାର ହେଲା । ଶେଷରେ ‘ସଚିବାଳୟ’ର ନାଁ ବଦଳିଲା । ୨୦୧୯ ଜୁଲାଇରେ ‘ସଚିବାଳୟ’ର ନାଁ ପରିବର୍ତ୍ତନ କରି ‘ଲୋକସେବା ଭବନ’ କରାଗଲା । ନା ମନ୍ତ୍ରୀ ନା ସଚିବ କେହି ଗୁରୁତ୍ୱ ପାଇଲେନି । ଜନତାଙ୍କୁ ପ୍ରାଥମିକତା ଦେଇ ଲୋକଙ୍କ ସେବା ପାଇଁ ଏହାକୁ ‘ଲୋକସେବା ଭବନ’ର ନାଁ ଦିଅଗଲା । ପାଖାପାଖି ଦେଢବର୍ଷ ପରେ ଏହି ନାଁ ବଦଳିବାର ସାର୍ଥକତା ହୋଇଛି କି ନାହିଁ ତାହା କାହାକୁ ଅଛପା ନାହିଁ । କାରଣ ସାଧାରଣ ଲୋକଟିଏ ‘ଲୋକସେବା ଭବନ’ ଭିତରକୁ ପଶିବାକୁ କେତେ କଷ୍ଟ ଆଉ କସରତ କରିବାକୁ ପଡୁଛି ତାକୁ ନଦେଖିଲା ଯାଏଁ କେହି ଜଣେ ବିଶ୍ୱାସ କରିପାରିବେ ନାହିଁ ।
ଲୋକଙ୍କ ପାଇଁ ସରକାର । ଏହି ସ୍ଲୋଗାନ ଶୁଣିବାକୁ ଭଲ ଲାଗେ । ହେଲେ ଏହାକୁ କେତେଦୁର କାର୍ଯ୍ୟକାରୀ କରାଯାଉଛି । କୋଭିଡ ସ୍ଥିତି ରାଜ୍ୟରେ ଯେତେବେଳେ ବିଗିଡିଲା ସେତେବେଳେ ‘ଲୋକସେବା ଭବନ’କୁ ପ୍ରବେଶ ଉପରେ କଟକଣା ଜାରି କରିଦିଆଗଲା । ଏହାପଛରେ ଯୁକ୍ତି ରଖାଗଲା ଯଦି ‘ଲୋକସେବା ଭବନ’ରେ କରୋନା ବ୍ୟାପିଯାଏ ଆଉ ଗାଇଡଲାଇନ ଅଧାରରେ ଏହାକୁ ସଟଡାଉନ କରିବାକୁ ପଡେ ବା କଂଟେନମେଂଟ ଜୋନ ଘୋଷଣା କରାଯାଏ ତେବେ ରାଜ୍ୟରେ କୋଭିଡ ଲଢେଇ ଦିଗହରା ହୋଇଯିବ । ଲୋକ ମଧ୍ୟ ଏହି କଥାକୁ ବିଶ୍ୱାସ କରିଗଲେ । କାରଣ ‘ଲୋକସେବା ଭବନ’ ଯଦି ବନ୍ଦ ହୋଇଯାଏ ତେବେ ରାଜ୍ୟର କୋଭିଡ ଲଢେଇ ପ୍ରଭାବିତ ହୋଇଯିବ । ହେଲେ କୋଭିଡ କଟକଣା ନିୟମ ଦେଶ ତଥା ରାଜ୍ୟର ସମସ୍ତ ଗୁରୁତ୍ୱପୁର୍ଣ୍ଣ ସ୍ଥାନରେ କୋହଳ ହୋଇଥିବା ବେଳେ ରାଜ୍ୟରେ ‘ଲୋକସେବା ଭବନ’ରେ ପ୍ରବେଶ କଟକଣା କିନ୍ତୁ ଏଯାଏଁ ହଟିନାହିଁ । କୁହାଯାଉଛି ବାବୁ ମାନଙ୍କର ମନମାନି ଏବଂ ସେମାନଙ୍କର ମର୍ଜିରେ ‘ଲୋକସେବା ଭବନ’ ଚାଲୁଥିବାରୁ ସାଧାରଣ ଲୋକଙ୍କ ସ୍ୱାର୍ଥ ଅପେକ୍ଷା ନିଜ ସୁରକ୍ଷାକୁ ଏଠି ବିଶେଷ ଗୁରୁତ୍ୱ ଦିଆଯାଉଛି ।
କୋଭିଡ କଟକଣା ପରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଲୋକସେବା ଭବନ’ ଆସିନାହାନ୍ତି, ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ଦିନରେ ଆସି ସାମିଲ ହୋଇଥିଲେ । ହାତଗଣତି କିଛି ମନ୍ତ୍ରୀ ‘ଲୋକସେବା ଭବନ’ ଯାଉଛନ୍ତି । ଯେହେତୁ ରାଜ୍ୟର ସବୁ ନିଷ୍ପତ୍ତି ପଛରେ ସରକାରୀ ଅଧିକାରୀଙ୍କର ଏକ ପ୍ରମୁଖ ଭୁମିକା ରହିଛି ତେଣୁ ସାଧାରଣ ଲୋକର କଥାକୁ ଶୁଣିବାକୁ କେହି ପ୍ରସ୍ତୁତ ନୁହଁନ୍ତି । ଯଦି ଆପଣଙ୍କର କେବେ ‘ଲୋକସେବା ଭବନ’ରେ କାମ ପଡିଲା ତେବେ ଟେମ୍ପରାରୀ ପାସ୍ ବା ଦିନକ ପାଇଁ ଜାରି କରାଯାଉଥିବା ପାସ୍ ଜରିଆରେ ଆପଣ ଭିତରକୁ ଯାଇପାରିବେ । ବିଡମ୍ବନାର କଥା ହେଉଛି ‘ଲୋକସେବା ଭବନ’ରେ ପ୍ରବେଶ କରି ବିଭାଗ ଖୋଜି ଅଧିକାରୀଙ୍କ ପାଇ ନିଜ କାମ କରାଇନେବା ଗୋଟିଏ ଦିନରେ କଦାପି ସମ୍ଭବ ନୁହେଁ । ଆଉ ପରବର୍ତ୍ତୀ ସମୟରେ ପୁଣି ପାସ୍ ଯୋଗାଡ କରି ଭିତରେ ପଶିବା ବହୁ କାଠିକର ପାଠ । ଅର୍ଥାତ୍ ନାଁ ଖାଲି ‘ଲୋକସେବା ଭବନ’ ହେଲେ ଏଠି ସାଧାରଣ ଲୋକଙ୍କ ପାଇଁ କିଛି ସୁବିଧା ସୁଯୋଗ ନଥିବା ସ୍ପଷ୍ଟ ଭାବେ ବାରି ହୋଇପଡୁଛି ।
ଏହାର ଫାଇଦା ଅନେକ ସମୟରେ କିଛି ଅସାମାଜିକ ବ୍ୟକ୍ତି ନେଉଥିବା ଦେଖିବାକୁ ମିଳୁଛି । ଯାହାଙ୍କୁ ମଧ୍ୟସ୍ଥି ବା ଦଲାଲ ବୋଲି ମଧ୍ୟ କୁହାଯାଏ । ସାଧାରଣ ଲୋକଟିଏର କାମ ପଡିବା କ୍ଷଣି ଏମାନେ ସକ୍ରିୟ ହୋଇଯାଆନ୍ତି । କେଉଁ ବିଭାଗକୁ ନେଇ କିଭଳି କାମ କରାଇ ଆଣିବେ ତାହା ଏହି ଗୋଷ୍ଠୀଙ୍କୁ ବେଶ୍ ଜଣା । ଏହା ବଦଳରେ ମୋଟା ଅଙ୍କର ଅର୍ଥ ନେଉଥିବାର ମଧ୍ୟ ନଜିର ରହିଛି । ଏହା କହିବାର ଅର୍ଥ ହେଲା, ସାଧାରଣ ଲୋକଟିଏ ଯିଏ ସମସ୍ୟାରେ ଅଛି ସେ ଜଣେ ବାବୁଙ୍କୁ ଦେଖା କରିବାକୁ ହେଲେ ତାକୁ ଏକ ମଧ୍ୟସ୍ଥିର ଆବଶ୍ୟକତା ରହୁଛି । ନଚେତ ତାର କାମ ସେମିତି ଗଡିଚାଲିଥିବ ।
‘ସଚିବାଳୟ’ର ନାଁ ପରିବର୍ତ୍ତନ କରି ‘ଲୋକସେବା ଭବନ’ ରଖିବା ସହଜ ହେଲେ ନିଜ ମନୋବୃତ୍ତିକୁ ପରିବର୍ତ୍ତନ କରି ଲୋକଙ୍କ ପାଇଁ କାମ କରିବାର ଆଭିମୁଖ୍ୟ ଦେଖାଇବା କଷ୍ଟ । କେତେଜଣ ସରକାରୀ ଅଧିକାରୀ ସାଧାରଣ ଲୋକଟିଏର କଷ୍ଟ ବୁଝିପାରନ୍ତି ତାହା ସମସ୍ତେ ଜାଣିଛନ୍ତି । ତେଣୁ କରୋନା କଟକଣା ଆଳରେ ‘ଲୋକସେବା ଭବନ’ରେ ଥିବା କଟକଣାକୁ ହଟାଇବାର ଆବଶ୍ୟକତା ରହୁଛି । ‘ଲୋକସେବା ଭବନ’କୁ କାହିଁକି ଜଣେ ସାଧାରଣ ଲୋକ ପଶିପାରିବନି ସେନେଇ ସାରା ରାଜ୍ୟରୁ ପ୍ରତିବାଦ ଉଠିବା ଦରକାର । ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଆପଣାଇ ଜଣେ ଲୋକଙ୍କୁ ‘ଲୋକସେବା ଭବନ’ ଭିତରକୁ ଯିବାକୁ ଅନୁମତି ମିଳିବା ଦରକାର । ନଚେତ ସରକାର ଆଉ ଜନତା ଭିତରେ ତିଆରି ହେଉଥିବା ଏହି ବାବୁମୟ ପାଚେରୀ ବଡ ଅଡୁଆ ସ୍ଥିତି ତିଆରି କରିବ ।