ମାଗଣା ଟିକା ଦେବେ କି ମୁଖ୍ୟମନ୍ତ୍ରୀ?

ଆଗକୁ ବିପତ୍ତି ଆସୁଛି, ସତର୍କ ରୁହ । ମହାମାରୀ କରୋନାକୁ ନେଇ କିଛି ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ କରିଛନ୍ତି । ଏହାଛଡା ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେପରି ଭୁଷୁଡି ନପଡେ ସେଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବାଧିକ ବେଡକୁ ଅକ୍ସିଜେନ ବ୍ୟବସ୍ଥା ସାଙ୍ଗକୁ ଆବଶ୍ୟକୀୟ ଔଷଧର ଯେପରି ଅଭାବ ନ ଦେଖାଦିଏ ସେଥିପାଇଁ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ତେବେ ମହାମାରୀ ବିରୋଧ ଲଢେଇରେ ଏବେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ମାଗଣା ଟିକାକରଣର ଘୋଷଣା କରି ମହାମାରୀ ମହାଲଢେଇରେ ଆଉ ଗୋଟିଏ ପାଦ ଆଗକୁ ବଢାଇବେ କି?

ଏ ପ୍ରସଙ୍ଗ ଏଥିପାଇଁ ଉଠୁଛି କାରଣ ନିଜ ରାଜ୍ୟରେ ମାଗଣା ଟିକାକରଣ ନେଇ ଘୋଷଣା କରିସାରିଲେଣି ଉତ୍ତରପ୍ରଦେଶ, କେରଳ, ପଶ୍ଚିମବଙ୍ଗ ଭଳି ଅନେକ ରାଜ୍ୟ । ଉତ୍ତରପ୍ରଦେଶ ଭଳି ଏତେ ବଡ ରାଜ୍ୟରେ ଯେଉଁଠି ମାଗଣା ଟିକାକରଣ ପାଇଁ ଯୋଗୀ ସରକାର ନିଷ୍ପତି ନେଉଛନ୍ତି ସେଠାରେ ଓଡ଼ିଶା ସରକାର ମଧ୍ୟ ଏ ଦିଗରେ ଆଗକୁ ଆସିବା ଉଚିତ୍ । ଖାସକରି ମେ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବାକୁ ଥିବା ଟିକାକରଣ ପାଇଁ ଏଭଳି ପଦକ୍ଷେପ ନେବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ଯେଉଁଭଳି ମାଗଣା ଟିକାକରଣର ବ୍ୟବସ୍ଥା କରିଛନ୍ତି ଠିକ୍ ସେହିଭଳି ରାଜ୍ୟ ସରକାର ମଧ୍ୟ ନିଜ ପକ୍ଷରୁ ମାଗଣା ଟିକାକରଣ ପାଇଁ ପଦକ୍ଷେପ ନିଅନ୍ତୁ । କାରଣ ରାଜ୍ୟ ଗୁଡିକ ଏବେ ଉତ୍ପାଦନକାରୀ ସଂସ୍ଥା ଠାରୁ ସିଧାସଳଖ ଟିକା କିଣିପାରିବେ ବୋଲି ଗ୍ରୀନ୍ ସିଗନାଲ ଦେଇଛନ୍ତି ମୋଦି ସରକାର । ତେଣୁ ପୂର୍ବଭଳି କେନ୍ଦ୍ର ସରକାରଙ୍କ ଉପରେ ଆଉ ନିର୍ଭରଶୀଳ ହେବାକୁ ପଡିବ ନାହିଁ । ଅଥାର୍ତ ଯେତେ ଟଙ୍କା ଖର୍ଚ୍ଚ କରିବେ ସେତେ ଅଧିକ ଟିକା ପହଞ୍ଚିବ । ରାଜ୍ୟ ଗୁଡିକୁ ଉତ୍ପାଦନକାରୀ ସଂସ୍ଥା ସିଧାସଳଖ ଟୀକା ଯୋଗାଇ ଦିଅନ୍ତୁ ମୋଦିଙ୍କୁ ଚିଠି ଲେଖି ନବୀନ ହିଁ ଏଭଳି ପ୍ରସ୍ତାବ ଦେଇଥିଲେ ।

ରାଜ୍ୟରେ ମାଗଣା ଟିକାକରଣର ଘୋଷଣା ସହ ନବୀନ ବିରୋଧୀଙ୍କୁ ମଧ୍ୟ ବଡ ବାର୍ତ୍ତା ଦେଇପାରିବେ । ଟିକାକରଣକୁ ନେଇ ରାଜନୀତି ହେଉଥିବା ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ସେହି ଶିକୁଳିରୁ ମଧ୍ୟ ମୁକୁଳିପାରିବେ ନବୀନ । ଏହାବାଦ୍ କେବଳ ଭୋଟବ୍ୟାଙ୍କ ବଢାଇବା ପାଇଁ ମାଗଣା ଯୋଜନା ନୁହେଁ ବରଂ ସଙ୍କଟ ସମୟରେ ମାଗଣା ଟିକାକରଣ ଦ୍ୱାରା ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ନବୀନ ଗୁରୁତ୍ୱ ଦେଉଥିବା ନେଇ ଏକ ବଡ ବାର୍ତ୍ତା ଯିବ । ଏହାପୂର୍ବରୁ କୋଭିଡ ରୋଗୀଙ୍କର ମାଗଣା ଚିକିତ୍ସାର ଘୋଷଣା କରି ନବୀନ ରାଜ୍ୟବାସୀଙ୍କ ମୁଣ୍ଡ ଉପରୁ ବଡ ବୋଝ ହଟାଇ ଦେଇଥିଲେ । ଆଉ ଏବେ ମାଗଣା ଟିକାକରଣର ଘୋଷଣା କରି ମହାମାରୀ ଭଳି ସଙ୍କଟ ସମୟରେ ରାଜ୍ୟବାସୀଙ୍କର ସଙ୍କଟମୋଚକ ସାଜି ଉଭା ହେବାର ଆବଶ୍ୟକତା ରହିଛି । କାରଣ ଆଗକୁ ଖୋଲା ବଜାରରେ କରୋନା ଟିକା ମିଳିବ । କେନ୍ଦ୍ର ସରକାର ମଧ୍ୟ ଆଉ ପୂର୍ବଭଳି ଟିକାକରଣକୁ ନେଇ ଏତେଟା ଆକ୍ଟିଭ ରହିବେନି । ତେଣୁ ଏଭଳିସ୍ଥଳେ ବଜାରରେ ଟିକାର କଳାବଜାରୀ ସହ ଦର ମଧ୍ୟ ବଢିପାରେ । ଯାହା ଦ୍ୱାରା ଆର୍ଥିକ ଦୁର୍ବଳ ଓ ଗରିବ ଶ୍ରେଣୀର ଲୋକେ ଟିକାକରଣରୁ ବଞ୍ଚିତ ହେବାର ସମ୍ଭାବନା ରହିଛି । ତେଣୁ ଏଭଳି ଏକ ସମ୍ଭାବନାକୁ ଏଡାଇବାକୁ ନବୀନ ରାଜ୍ୟରେ ମାଗଣା ଟିକାକରଣ ପାଇଁ ଘୋଷଣା କରିବେ କି?

Comments (0)
Add Comment