ଆଇନ ମନ୍ତ୍ରୀଙ୍କୁ ଆଉଟ କରିବେ କି ନବୀନ?


ପଦ୍ମ ଦଳର ଟାର୍ଗେଟରେ ମନ୍ତ୍ରୀ ପ୍ରତାପ ଜେନା । ଧାନ କିଣା ପ୍ରସଙ୍ଗରେ ତାତି ଥମିନଥିବା ବେଳେ ଏବେ ପୁଣିଥରେ ପ୍ରତାପଙ୍କୁ ନେଇ ଉଷ୍ମ ହୋଇଛି ରାଜ୍ୟ ପଲିଟିକ୍ସ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରିଛି ବିରୋଧୀ ବିଜେପି । ଯେଉଁଥିପାଇଁ ଆଜି ଦିନ ତମାମ ଗୃହକୁ ଚଳାଇ ଦେଇନାହାନ୍ତି ବିଜେପି ବିଧାୟକ । ଏଫଆଇଆରରେ ପ୍ରତାପଙ୍କ ନାଁ ଉଲ୍ଳେଖ ଥିଲେ ମଧ୍ୟ କାହିଁକି ଏଯାଏଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ତାକୁ ନେଇ ବିଧାନସଭାରେ ହୋ ହାଲ୍ଲା ସହ ହଟ୍ଟଗୋଳ କରିଛି ବିଜେପି । ଏପରିକି ଏତେ ସଙ୍ଗୀନ ଦଫା ଲାଗିଥିଲେ ମଧ୍ୟ ପ୍ରତାପଙ୍କୁ କିଏ ଘଣ୍ଟା ଘୋଡାଉଛି ବୋଲି ବିଧାନସଭାରେ ଉଠିଛି ପ୍ରଶ୍ନ । ଆଉ ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରସଙ୍ଗରେ ମୁହଁ ଖୋଲନ୍ତୁ ବୋଲି ଦାବି କରିଛି ବିଜେପି ।
ପୂର୍ବରୁ ଦୁନୀର୍ତି କିମ୍ବା ଅପରାଧ ପୃଷ୍ଠଭୂମି ଥିଲେ ମୁଖ୍ୟମନ୍ତ୍ରୀ ନେତାଙ୍କ ବିରୋଧରେ ଯେଉଁଭଳି ଆକ୍ସନ ନେଉଥିଲେ ତାହା ଓଡ଼ିଶା ରାଜନୀତିରେ ଉଦାହରଣ ସୃଷ୍ଟି କରୁଥିଲା । ଏପରିକି ଗତ କିଛି ଦିନ ପୂର୍ବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧରେ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ନିଆଗଲା ତାହା ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ଆଉ ଟିକିଏ ସଫେଦ କରି ଦେଇଥିଲା । ଏସବୁ ଭିତରେ ପ୍ରତାପଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରଶ୍ନ ଉଠାଇଛନ୍ତି । କେବଳ ଡବଲ ମର୍ଡର ଘଟଣା ନୁହେଁ ଗତ ୫ରୁ ୬ ବର୍ଷ ମଧ୍ୟରେ ମାହାଙ୍ଗାରେ ଯୋଜନାବଦ୍ଧ ଭାବେ ୫ରୁ ୬ ଜଣଙ୍କୁ ହତ୍ୟା କରାଗଲାଣି ତାହା ଏବେ ଅନେକ ପ୍ରଶ୍ନ ଉଠାଉଛି । ଏହାଛଡା ଯଦି ସେ ନିର୍ଦ୍ଦୋଷ ତେବେ ସରକାର ତାଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପରେ ସେ ଗୃହକୁ ଆସିବା ଉଚିତ୍ । ଯାହା ନାଁରେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ରହିଛି ସେ ବ୍ୟକ୍ତି ବିଧାନସଭାରେ ବସିପାରିବେ କିପରି? ୩୦୨ ଭଳି ସଙ୍ଗୀନ ଦଫା ଥିଲେ ମଧ୍ୟ ଯେଉଁମାନେ ବିଜୁ ଜନତା ଦଳରେ ଅଛନ୍ତି ସେମାନଙ୍କୁ ଗିରଫ କରାଯିବନି, ବୋଧହୁଏ ନବୀନ ବାବୁ ଏହା ପ୍ରମାଣିତ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ପ୍ରଦୀପ୍ତ । ଆଉ ଏହି ପ୍ରସଙ୍ଗରେ ଗୃହରେ ଲଗାତାର ନାରାବାଜି କରିବା ଦ୍ୱାରା ଗୃହକୁ ବାରମ୍ବାର ମୁଲତବୀ କରିଛନ୍ତି ବାଚସ୍ପତି ।
ପୂର୍ବରୁ ଧାନ କିଣା ପ୍ରସଙ୍ଗରେ ଗୃହ ଚାଲି ନପାରିବାରୁ ଶେଷରେ ମୁଣ୍ଡ ପୂରାଇଥିଲେ ନବୀନ । ବିରୋଧୀଙ୍କ ସହ ଆଲୋଚନା ପରେ ୬ ଦିନ ଅଚଳ ହେଉଥିବା ଗୃହ ସ୍ୱାଭାବିକ ହୋଇଥିଲା । ଏବେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନେଇ ଯେତେବେଳେ ବିରୋଧୀ ପୁଣିଥରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛନ୍ତି, ଗୃହ ଚଲାଇ ଦେଉନାହାନ୍ତି । ଏଭଳି ସ୍ଥଳେ ବିରୋଧୀଙ୍କ ଦାବି ଅନୁସାରେ ମନ୍ତ୍ରୀମଣ୍ଡଳରୁ ଆଇନମନ୍ତ୍ରୀଙ୍କୁ ଆଉଟ କରି ପୁଣିଥରେ ଗୃହକୁ ସ୍ୱାଭାବିକ କରିବେନି ତ ମୁଖ୍ୟମନ୍ତ୍ରୀ ।

Comments (0)
Add Comment