ପିଙ୍କିଙ୍କ ପ୍ରଚାର : ବିଜେପି ପାଇଁ ବୁମେରାଂ ହେବନି ତ?


ରାଜ୍ୟରେ ଖରାର ତାତି ଯେତିକି ନୁହେଁ, ପିପିଲିରେ ପ୍ରଚାର ତାତି ତାହା ଠାରୁ ଅଧିକ ଦେଖିବାକୁ ମିଳୁଛି । ପିପିଲିର ଗଳିକନ୍ଦିରେ ଏବେ ଗେରୁଆ ଓ ସବୁଜ ଶିବିରର ସିପାହୀ । ଯାହା ସଂକେତ ଦେଉଛି ପିପିଲି ବ୍ୟାଟଲଗ୍ରାଉଣ୍ଡରେ ହେବାକୁ ଯାଉଛି ବିଗ୍ ଫାଇଟ । କିନ୍ତୁ ପ୍ରଚାର ମୈଦାନକୁ ଓହ୍ଲାଇଥିବା ଅନେକ ନେତାଙ୍କ ମଧ୍ୟରୁ ବିଜେପିର ଜଣେ ନେତ୍ରୀଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏହି ନେତ୍ରୀ ଜଣଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବା ବିଜେପି ପାଇଁ ବୁମେରାଂ ହୋଇପାରେ ବୋଲି ସ୍ଥାନୀୟ ଲୋକଙ୍କ ଭିତରେ ଆଲୋଚନା ଚାଲିଛି । ଆଉ ଏହି ନେତ୍ରୀ ଜଣକ ହେଉଛନ୍ତି ପଦ୍ମ ଦଳର ଅଭିନେତ୍ରୀରୁ ନେତ୍ରୀ ବନିଥିବା ପିଙ୍କି ପ୍ରଧାନ । ପିଙ୍କିଙ୍କ ପ୍ରଚାର ଷ୍ଟାଇଲ ବିଜେପିକୁ ବ୍ୟାକଫୁଟକୁ ଠେଲୁଥିବା ନେଇ ନାମ ପ୍ରକାଶ ନ କରିବା ସର୍ତ୍ତରେ କିଛି ସ୍ଥାନୀୟ କର୍ମୀ କହିଛନ୍ତି । ତେବେ ପ୍ରଚାର ମୈଦାନରେ ପିଙ୍କି ଏମିତି କଣ କରୁଛନ୍ତି ଯେ, ସ୍ଥାନୀୟ ବିଜେପି କର୍ମୀ ଏବେଠୁ ତାଙ୍କ ଉପରେ ଖପ୍ପା ହେଲେଣି ।

ପିଙ୍କି ପ୍ରଧାନ । ଅଭିନେତ୍ରୀରୁ ନେତ୍ରୀ । ଗତ ୨୦୧୯ ନିର୍ବାଚନରେ ପଦ୍ମ ଦଳର ଟିକେଟରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ଏବେ ଆଶ୍ରିତଙ୍କ ପାଇଁ ପ୍ରଚାର କରିବାକୁ ପିପିଲି ମୈଦାନରେ । ସିନେ ଅଭିନେତ୍ରୀ ଭାବେ ପିଙ୍କି ଯୁଆଡେ ଯାଉଛନ୍ତି କିଛି ଲୋକ ହେଉଛନ୍ତି ସତ କିନ୍ତୁ ତାଙ୍କର ପ୍ରଚାର ଷ୍ଟାଇଲ ଦଳକୁ ଏବେ ଅଡୁଆରେ ପକାଉଛି ବୋଲି ଚର୍ଚ୍ଚା ହେଉଛି । ବିକାଶର ଗାଥା ବଖାଣିବା ବଦଳରେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ପିଙ୍କି ଯେଉଁ ଷ୍ଟ୍ରାଟେଜି ଆପଣାଇଛନ୍ତି ତାହା ପଦ୍ମ ଦଳର ଭୋଟବ୍ୟାଙ୍କକୁ ପ୍ରଭାବିତ କରୁଥିବା କହିଛନ୍ତି କିଛି ସ୍ଥାନୀୟ ଲୋକେ । ପିଙ୍କିଙ୍କର ଭୋଟ ମାଗିବା ଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଲୋକେ । ପିପିଲିବାସୀଙ୍କୁ ଭବିଷ୍ୟତର ସ୍ୱପ୍ନ ନ ଦେଖାଇ ଏବେ ଶାସକ ଦଳ ଶାସନର ହିସାବ ମାଗୁଛନ୍ତି ପିଙ୍କି । ଏପରିକି ବିକାଶ ପାଇଁ ବାର୍ତ୍ତା ଦେବା ବଦଳରେ ପ୍ରତିଦ୍ୱନ୍ଦ୍ୱୀ ଦଳକୁ ଚୋର ବୋଲି କହିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଭୋଟର । କାରଣ ଯେଉଁ ପ୍ରତିଦ୍ୱନ୍ଦ୍ୱୀ ଦଳକୁ ଚୋର ବୋଲି ପିଙ୍କି ପ୍ରଧାନ କହୁଛନ୍ତି ସେହି ଦଳ ସହ ଦୀର୍ଘ ୯ ବର୍ଷ ମେଣ୍ଟ ସରକାରରେ ରହିଛି ଖୋଦ୍ ବିଜେପି । ତେଣୁ ମହାରଥୀଙ୍କ ପରିବାରକୁ ୩୫ ବର୍ଷର ହିସାବ ମାଗୁଥିବା ପିଙ୍କି ମେଣ୍ଟ ସରକାରର ୯ ବର୍ଷର ହିସାବ ମଧ୍ୟ ଲୋକଙ୍କ ସାମ୍ନାକୁ ଆଣିବା ଉଚିତ୍ ବୋଲି କହିଛନ୍ତି କିଛି ଭୋଟର । ଆଉ ପିଙ୍କିଙ୍କ ଏଭଳି ଆଭିମୁଖ୍ୟ ଏବେ ଦଳ ଖାସକରି ଆଶ୍ରିତଙ୍କ ପାଇଁ ଧୀରେ ଧୀରେ ଅଡୁଆ ସ୍ଥିତି ସୃ୍‌ଷ୍ଟି କରୁଛି ।

ଚଳିତ ଉପ-ନିର୍ବାଚନରେ ବିଜେପି ବିଜୟ ସମ୍ଭାବନା ନେଇ ମୈଦାନକୁ ଓହ୍ଲାଇଥିବା ବେଳେ ପିଙ୍କିଙ୍କ ପ୍ରଚାର ପଦ୍ମ ଦଳକୁ ପରାଜୟ ଆଡକୁ ଠେଲିଦେବ ବୋଲି ଚର୍ଚ୍ଚା ହେଉଛି । ପିଙ୍କିଙ୍କ ପ୍ରଚାରରେ ଲୋକ ହେଉଛନ୍ତି ସତ କିନ୍ତୁ ଭୋଟରେ ଏହା କେତେ ରୂପାନ୍ତରିତ ହେବ ତାହାକୁ ନେଇ ପ୍ରଶ୍ନ ଉଠୁଛି । କାରଣ ପ୍ରଚାରରେ ବୁଲି ଆସିବା ପରେ ପିଙ୍କିଙ୍କ ଉପରେ ଭୋଟର ଖପ୍ପା ହେଉଥିବା ନେଇ ଚର୍ଚ୍ଚା ହେଉଛି । ଭୋଟ ମାଗିବା ଆଳରେ ଅନ୍ୟ ଦଳକୁ ଚୋର ବୋଲି କହିବା ଜଣେ ନେତ୍ରୀଙ୍କ କ୍ଷେତ୍ରରେ କେତେ ଶୋଭନୀୟ ତାହାକୁ ନେଇ ପ୍ରଶ୍ନ ଉଠିଛି । ତେଣୁ ପିଙ୍କିଙ୍କ ପ୍ରଚାର ଏବେ ଆଶ୍ରିତଙ୍କ ପାଇଁ ଆର୍ଶୀବାଦ ବଦଳରେ ଅଭିଶାପ ପାଲଟିପାରେ ବୋଲି କୁହାଯାଉଛି ।

ଏହାପୂର୍ବରୁ ମଧ୍ୟ ଆମେ କହିଥିଲୁ, ପିପିଲି ପ୍ରଚାର ମୈଦାନରେ ନିର୍ବାଚନମଣ୍ଡଳୀ ବାହାର ନେତାଙ୍କୁ ପସନ୍ଦ କରୁନାହାନ୍ତି ପଦ୍ମ ଦଳର ସ୍ଥାନୀୟ ନେତା । ପିପିଲି ଆସ, ଆତିଥେୟତା ନିଅ କିନ୍ତୁ ଆଶ୍ରିତଙ୍କ ପାଇଁ ପ୍ରଚାର ମୈଦାନକୁ ଆସନି । ବିଜେପିର ରାଜ୍ୟସ୍ତରୀୟ ନେତାଙ୍କ ପ୍ରତି କିଛି ଏଭଳି ଆଭିମୁଖ୍ୟ ରଖି ସାଇଡଲାଇନ କରି ଆଗକୁ ବଢୁଥିଲେ ସ୍ଥାନୀୟ ନେତା । କିନ୍ତୁ ଏବେ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଆଶ୍ରିତଙ୍କ ପାଇଁ ଭୋଟ ମାଗୁଛନ୍ତି ମାଳ ମାଳ ନିର୍ବାଚନମଣ୍ଡଳୀ ବାହାର ନେତା । ଯାହାଙ୍କ କଥାକୁ ବିଶ୍ୱାସକୁ ନେଇପାରୁନାହାଁନ୍ତି ପିପିଲିବାସୀ । ଆଉ ଏଭଳି ସମୟରେ ପିଙ୍କିଙ୍କ ପ୍ରଚାର ଷ୍ଟାଇଲ ପଦ୍ମ ଶିବିରର ଚିନ୍ତା ବଢାଇବ ବୋଲି କୁହାଯାଉଛି । ଏପରିକି ବିଜୟ ସମ୍ଭାବନାର ଗ୍ରାଫ୍ ଏବେ ପରାଜୟ ଆଡକୁ ମୁହାଁଇବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ପିଙ୍କିଙ୍କ ପ୍ରଚାର ଆଶ୍ରିତଙ୍କ ପାଇଁ ଘାତକ ହୋଇପାରେ ବୋଲି କୁହାଯାଉଛି । ଏଭଳି ସ୍ଥଳେ ନିର୍ବାଚନମଣ୍ଡଳୀ ବାହାର ନେତାଙ୍କୁ ପ୍ରଚାର ମୈଦାନରୁ ଆଉଟ କରିବାକୁ କିଛି ସ୍ଥାନୀୟ କର୍ମୀ ଓ ନେତା ବ୍ୟାକ କ୍ୟାମେରାରେ କହୁଥିବା ଶୁଣିବାକୁ ମିଳୁଛି ।

Comments (0)
Add Comment