ପିପିଲି ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ପୁଣିଥରେ ନୂଆ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ବିଜେଡି ଦଳରେ ନବୀନଙ୍କ ପରେ ନମ୍ବର ଦୁଇ କିଏ, ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଥିବା ବେଳେ ଧୀରେ ଧୀରେ ଏହା ଉପରୁ ପରଦା ଉଠିବାରେ ଲାଗିଛି । ଷ୍ଟାର ପ୍ରଚାରକ ତାଲିକାରେ ଥିବା ନାଁକୁ ନେଇ ଏବେ ବିଜେଡି ରାଜନୀତି ଉଷ୍ମ ହୋଇଛି । ନବୀନଙ୍କ ପରେ ନମ୍ବର ଦୁଇ ସ୍ଥାନରେ ରହିଛି ଦଳର ସାଧାରଣ ସମ୍ପାଦକ ବବି ଦାସଙ୍କ ନାଁ । ଯାହା ଦଳରେ ପ୍ରଣବ ପ୍ରକାଶ ଦାସଙ୍କ ଗୁରୁତ୍ୱ କଣ ତାହା ସ୍ପଷ୍ଟ ଦର୍ଶାଉଛି । ତାଲିକାରେ ଅନେକ ମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ନାଁ ଥିଲେ ମଧ୍ୟ ବବିଙ୍କ ନାଁ ନମ୍ବର ୨ରେ ରହିବା ଅନେକ କିଛି ସଂକେତ ଦେଉଛି । କେବଳ ତାଲିକାରେ ନୁହେଁ ଦଳରେ ମଧ୍ୟ ଏବେ ନବୀନଙ୍କ ପରେ ବବି ନମ୍ବର ଦୁଇ ନେତା ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ସଫଳତା ପାଇବାକୁ ବବିଙ୍କୁ ଅନେକ କିଛି ତ୍ୟାଗ କରିବାକୁ ପଡିଛି । ଯେଉଁଠି ମନ୍ତ୍ରୀପଦ ପାଇଁ ନେତା ଲଢେଇ କରିଛନ୍ତି ସେଠାରେ ଦଳର ଭବିଷ୍ୟତକୁ ଦୃଷ୍ଟିରେ ରଖି ମନ୍ତ୍ରୀପଦକୁ ବାଏ ବାଏ କରିଛନ୍ତି ବବି । ଯେଉଁଥିପାଇଁ ନବୀନଙ୍କ ଭରସାଯୋଗ୍ୟ ସିପାହୀ ଭାବେ ଏବେ ସାମ୍ନାକୁ ଆସିଛନ୍ତି ବବି ।
ବିଜେଡି ଗଠନ ପରଠାରୁ ଦଳ ପାଇଁ ନବୀନ ଥିଲେ ୱାନ ମ୍ୟାନ୍ ଆର୍ମି । ସଙ୍ଗଠନ ହେଉ ବା ସରକାର ନବୀନଙ୍କ ଇସାରାରେ ଆଗକୁ ବଢୁଥିଲା । ଶାସନକାଳ ଭିତରେ ନବୀନଙ୍କ ସଂସ୍ପର୍ଶରେ ଅନେକ ନେତା ଆସିଛନ୍ତି ଯେଉଁମାନେ ସଙ୍ଗଠନ ଓ ସରକାରକୁ ହାଇଜାକ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ନବୀନଙ୍କ ରାଜନୈତିକ ବିଚକ୍ଷଣତା ଆଗରେ ସବୁ ଫେଲ୍ ମାରିଛି । ତେଣୁ ଦୀର୍ଘବର୍ଷ ଶାସନ କାଳ ଭିତରେ ଦଳ ପାଇଁ ଭରସାଯୋଗ୍ୟ ଯୋଦ୍ଧା ଖୋଜି ପାଇନଥିଲେ ନବୀନ । ବିଜେଡି ଗଠନ ପରଠାରୁ ଅନେକ ନେତାଙ୍କୁ ଅତି ପାଖରୁ ପରଖିଛନ୍ତି ନବୀନ । । ସେମାନଙ୍କ ଦକ୍ଷତାକୁ ମାପିଛନ୍ତି ଆଉ ଆନୁଗତ୍ୟକୁ ପରଖି ଦେଖିଛନ୍ତି । ହେଲେ ଏହି କଠୋର ପରୀକ୍ଷାରେ ସଫଳତା କେହି ଜଣେ ବି ପାଇନଥିଲେ । ଅନେକ ନେତା ବିଭିନ୍ନ ପର୍ଯ୍ୟାୟରେ ନବୀନଙ୍କ ନିକଟତର ହୋଇଥିଲେ, ମାତ୍ର ନିଜ ସ୍ୱାର୍ଥକୁ ଯେତେବେଳେ ପ୍ରାଥମିକତା ଦେବା ଆରମ୍ଭ କଲେ ନବୀନ ନିଜକୁ ସେମାନଙ୍କ ଠାରୁ ଦୁରେଇ ଯାଇଥିଲେ । ଆଉ ଏସବୁ ଭିତରେ ନବୀନ ଏମିତି ଜଣେ ନେତାଙ୍କୁ ଖୋଜୁଥିଲେ ଯିଏ ଦଳକୁ ପ୍ରାଥମିକତା ଦେବ ଓ ବିଜେଡି ପାଇଁ ପ୍ରତି ମୁହୂର୍ତ୍ତକୁ ଉତ୍ସର୍ଗ କରିବ । ଆଉ ଶ୍ରେଷ୍ଠ ଓଡ଼ିଶା ଗଠନ ପାଇଁ ଦିନ ରାତି ଏକ କରିଦେବ । ଆଉ ସେହଭିଳି ଏକ ଚେହେରା ଭାବେ ଉଭା ହୋଇଥିଲେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ।
୨୦୧୪ ପରଠାରୁ ନବୀନଙ୍କ ଗୁଡବୁକରେ ରହି ଆସିଥିଲେ ପ୍ରଣବ । ରାଜନୀତିର ଦ୍ୱିତୀୟ ପାଳିରେ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ । କିନ୍ତୁ ମନ୍ତ୍ରୀ ଭାବେ କିଛିଦିନ କାମ କରିବା ପରେ ଦଳର ସଙ୍ଗଠନକୁ ତାଙ୍କ ଭଳି ଯୁବ ନେତୃତ୍ୱଙ୍କର ଆବଶ୍ୟକତା ରହିଥିବା ଅନୁଭବ କରି ମନ୍ତ୍ରୀପଦକୁ ସ୍ୱଇଚ୍ଛାରେ ବାଏ ବାଏ କରିଥିଲେ ପ୍ରଣବ । ଆଉ ଏଭଳି ପଦକ୍ଷେପ ନେଇ ନବୀନଙ୍କ ବିଶ୍ୱାସ ଜିଣିଥିଲେ ପ୍ରଣବ । ପ୍ରଥମଥର ପାଇଁ ମନ୍ତ୍ରୀପଦକୁ ଆଡେଇ ଦେଇ ସଙ୍ଗଠନକୁ ଆଦରି ନେଉଥିବା ନେତାଙ୍କୁ ଦେଖିଥିଲେ ନବୀନ । ଆଉ ଏହାସହ ଦଳ ପାଇଁ ଚାହୁଁଥିବା ଭରସାଯୋଗ୍ୟ ଯୋଦ୍ଧା ପାଇ ସାରିଥିଲେ ନବୀନ । ୨୦୧୯ ନିର୍ବାଚନରେ ଦେଶରେ ଗେରୁଆ ବାନା ଉଡିଥିବା ବେଳେ ରାଜ୍ୟରେ ଉଡିଥିଲା ସବୁଜ ବାନା । ବିଜୟ ରଥରେ ପୁଣି ବସିଥିଲେ ନବୀନ । ଆଉ ସେତେବେଳେ ପ୍ରଚ୍ଛଦପଟରେ ରହି ସାରଥୀ ସାଜିଥିଲେ ବବି ଦାସ ।
ନିର୍ବାଚନ ସରିଲା, ଦଳକୁ ସଫଳତା ମିଳିଲା । ପଞ୍ଚମ ଥର ପାଇଁ ଶାସନ ଗାଦିରେ ବସିଲେ ନବୀନ । ନିର୍ବାଚନର ବର୍ଷେ ପରେ ଦଳର ପ୍ରତିଷ୍ଠା ଦିବସରେ ବବିଙ୍କୁ ବଡ ପୁରସ୍କାର ଦେଲେ ନବୀନ । ବିଜେଡି ଇତିହାସରେ ଯେଉଁ ପଦବୀ କେବେ ସୃଷ୍ଟି ହୋଇନଥିଲା ସେହିଭଳି ଏକ ପଦବୀ ବବିଙ୍କ ପାଇଁ ସୃଷ୍ଟି କରିଥିଲେ ନବୀନ । ସଙ୍ଗଠନର ସମ୍ପାଦକ ଭାବେ ବବିଙ୍କୁ ଗୁରୁଦାୟିତ୍ୱ ଦେଇଥିଲେ ବିଜେଡି ସୁପ୍ରିମୋ । ଯାହା ଦର୍ଶାଉଥିଲା ଯେ, ସଙ୍ଗଠନ ସମ୍ଭାଳିବା ପାଇଁ ବର୍ଷ ବର୍ଷ ଧରି ନବୀନ ଯେଉଁ ବିଶ୍ୱାସଯୋଗ୍ୟ ସିପାହୀ ଖୋଜୁଥିଲେ ତାହା ବବିଙ୍କ ରୂପେ ତାଙ୍କୁ ମିଳି ସାରିଛି । ଆଉ ଏହି ପଦବୀ ବବିଙ୍କୁ ଦଳର ନମ୍ବର ୨ ନେତା ଭାବେ ପରିଚୟ ଦେଲା ।
ବିଜେଡିର ନମ୍ବର ୨ ନେତା ଭାବେ ପରିଚିତ ହେବା ପରେ ବବିଙ୍କର ପୂର୍ବପେକ୍ଷା ଦାୟିତ୍ୱ ବଢିଥିଲା । ଦଳର ସଙ୍କଟ ସମୟରେ ସଙ୍କଟମୋଚକ ସାଜି ଉଭା ହେଲେ ବବି । ସଙ୍ଗଠନକୁ ସଜାଡିବା ସହ ଯୁବ ନେତୃତ୍ୱଙ୍କୁ ସୁଯୋଗ ଦେଲେ । ବରିଷ୍ଠଙ୍କ ପରାମର୍ଶ ନେଇ ଯୁବଙ୍କୁ ସାଥୀରେ ଧରି ଦଳକୁ ଆଗେଇ ନେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କଲେ ବବି । ସଙ୍ଗଠନକୁ ସଜାଡୁ ସଜାଡୁ ଉପ-ନିର୍ବାଚନର ପରୀକ୍ଷା ଦେଲେ ବବି । ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନରେ ଦଳକୁ ବିଜୟୀ ମୁକୁଟ ପିନ୍ଧାଇ ବବି ନିଜର ରାଜନୈତିକ ଦକ୍ଷତାର ପରିଚୟ ଦେଲେ । ଆଉ ଯେତେବେଳେ ପିପିଲି ଉପ-ନିର୍ବାଚନ ଆସିଲା ସେତେବେଳେ ବିଜେଡିରେ ଥିବା ଅସନ୍ତୋଷ ଦାଣ୍ଡରେ ପଡି ହାଟରେ ଗଡିଲା । ପ୍ରାର୍ଥୀ କିଏ ହେବ ତାକୁ ନେଇ ପିପିଲି ବିଜେଡିରେ ଫାଟ ଜଳ ଜଳ ଦିଶିଲା । ଏପରିକି ମହାରଥୀଙ୍କ ପରିବାରରୁ କାହାକୁ ପ୍ରାଥୀ କରାଯିବ ସେନେଇ ଯେତେବେଳେ ଦ୍ୱନ୍ଦ୍ୱ ଉପୁଜିଲା ସେତେବେଳେ କ୍ରାଇସିସ୍ ମ୍ୟାନେଜର ଭାବେ ଛିଡା ହେଲେ ବବି । ମହାରଥୀଙ୍କ ପୁଅ ରୁଦ୍ରଙ୍କ ନାଁରେ ନବୀନ ମୋହର ମାରିସାରିଥିବା ବେଳେ ପତ୍ନୀ ପ୍ରତିଭା ମହାରଥୀଙ୍କୁ ବୁଝାଇବାକୁ ପହଞ୍ଚିଥିଲେ ବବି । ମାତ୍ର କିଛି ମିନିଟର ଆଲୋଚନା ଭିତରେ ପ୍ରତିଭାଙ୍କୁ ମନାଇବାରେ ସଫଳ ହୋଇଥିଲେ ବବି । ଯାହା ତାଙ୍କର ରାଜନୈତିକ ଦକ୍ଷତାକୁ ସାମ୍ନାକୁ ଆଣିଥିଲା । ଆଉ ଏବେ ନବୀନଙ୍କ ସହ ନମ୍ବର ଦୁଇ ନେତା ଭାବେ ପିପିଲି ପ୍ରଚାରର ମଙ୍ଗ ଧରିଛନ୍ତି ବବି । ନବୀନ ପ୍ରଚାର ମୈଦାନରେ ପାଦ ଦେବା ପୂର୍ବରୁ ପିପିଲିରେ କ୍ୟାମ୍ପ ପକାଇ ସାରିଲେଣି ବବି । ପିପିଲି ବିଜୟ ପାଇଁ ଏବେଠୁ ବବିଙ୍କ ତତ୍ୱାବଧାନରେ ରୋଡମ୍ୟାପ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଚାର ମୈଦାନକୁ ଓହ୍ଲାଇ ଏଥିରେ ଶେଷ ସ୍ପର୍ଶ ଦେବେ ନବୀନ ।