ଜୁନିୟର ମହାରଥୀଙ୍କ ପାଇଁ ମାନିଗଲେ କି ମା’ ?

ମାନିଗଲେ କି ପ୍ରତିଭା ମହାରଥୀ? ଦୂର ହୋଇଯିବ କି ଅଭିମାନ, ପୁଅ ପାଇଁ ପିପିଲି ପଡିଆକୁ ଓହ୍ଲାଇବେ କି ମା? ଏଭଳି ଅନେକ ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ପିପିଲି ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଦଳ ପିପିଲି ମୈଦାନକୁ ଓହ୍ଲାଇଛି । କିନ୍ତୁ ରୁଦ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ପିପିଲି ପଲିଟକ୍ସକୁ ନେଇ ନାନାଦି କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ହଁ, ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ପରିବାରରୁ କାହାକୁ ଟିକେଟ ଦିଆଯାଉ ବୋଲି ପୂର୍ବରୁ ନିର୍ବାଚନମଣ୍ଡଳୀରେ ଦାବି ଜୋର ଧରିଥିଲା । ମହରଥୀଙ୍କ ପିପିଲି ଗଡ ସମ୍ଭାଳିବାକୁ ପତ୍ନୀ ପ୍ରତିଭା ଓ ପୁଅ ରୁଦ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଟିକେଟ ରେସରେ ମା ପ୍ରତିଭା ମହାରଥୀଙ୍କ ପଲଟା ବେଶ ଭାରି ରହିଥିବା ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ମହାରଥୀଙ୍କ ଦେହାନ୍ତ ପରେ ପ୍ରତିଭାଙ୍କ ହାତରେ ଦଳ ପିପିଲି ଦାୟିତ୍ୱ ଦେବ ବୋଲି ଆକଳନ କରାଯାଉଥିଲା । ସୁପ୍ରିମୋଙ୍କ ପକ୍ଷରୁ ସବୁଜ ସଂକେତ ମିଳିନଥିଲେ ମଧ୍ୟ ପୁଅକୁ ଧରି ବିଭିନ୍ନ ପଞ୍ଚାୟତ ବୁଲି ସଙ୍ଗଠନର ଛାମୁଆ ନେତାଙ୍କୁ ଭେଟିଥିଲେ ପ୍ରତିଭା । ତେବେ ଏହାର କିଛି ଦିନ ମଧ୍ୟରେ ପିପିଲି ପଲିଟିକ୍ସ କଡ ଲେଉଟାଇବା ଆରମ୍ଭ କରିଥିଲେ । ଉଭୟ ମା ଓ ପୁଅଙ୍କ ପାଇଁ ସଙ୍ଗଠନ ଦୁଇଫାଳ ହୋଇଯାଇଥିଲା । କିଛି ନେତା ପ୍ରତିଭାଙ୍କ ପାଇଁ ଲବି କରିବା ଆରମ୍ଭ କରିଥିବା ବେଳେ ଆଉ କିଛି ମହାରଥୀଙ୍କ ଗଡ ସମ୍ଭାଳିବାକୁ ପୁଅ ରୁଦ୍ରଙ୍କୁ ଟିକେଟ ଦିଆଯାଉ ବୋଲି ବିଭିନ୍ନ ଫୋରମରେ ଦଳୀୟ ନେତାଙ୍କ ନିକଟରେ ଦାବି ରଖିଥିଲେ । ଆଉ ଶେଷରେ ଅନେକ ଆଲୋଚନା, କାଣ୍ଟଛାଣ୍ଟ ପରେ ରୁଦ୍ରଙ୍କ ନାଁରେ ମୋହର ମାରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ଆଉ ନବୀନଙ୍କ ଘୋଷଣା ସହ ପୁଣିଥରେ ସରଗରମ ହୋଇଛି ପିପିଲି ପଲିଟିକ୍ସ । କାରଣ ପୁଅ ରୁଦ୍ରଙ୍କୁ ଟିକେଟ ଦିଆଯିବା ପରେ ମା ପ୍ରତିଭାଙ୍କୁ ବୁଝାଇବାକୁ ବିଜେଡିର ବରିଷ୍ଠ ବ୍ରିଗେଡ ଯାଇଥିଲେ ମଧ୍ୟ ଫେଲ ମାରିଥିବା ନେଇ ଗଣମାଧ୍ୟମରେ ଖବର ବାଜିଲା । ଏପରିକି ରୁଦ୍ରଙ୍କୁ ନେଇ ମଧ୍ୟାହ୍ନରେ ମାଆ ପ୍ରତିଭା ପ୍ରେସମିଟରେ ପୂରା ପ୍ରତିକ୍ରିୟା ରଖିବେ ବୋଲି ଖବର ବିଜୁଳି ବେଗରେ ବ୍ୟାପିଲା । ତେଣୁ ରାଜନୀତିକୁ ଅତି ପାଖରୁ ଦେଖୁଥିବା ଲୋକେ ପ୍ରତିଭାଙ୍କ ମୁହଁରୁ ଜୁନିୟର ମହାରଥୀଙ୍କ ବାବଦରେ ଶୁଣିବାକୁ ଚାହିଁ ବସିଥିଲେ । ଏପରିକି ବିରୋଧୀ ଶିବିର ମଧ୍ୟ ପ୍ରତିଭାଙ୍କ ପଦିଏ କଥା ପାଇଁ ଅପେକ୍ଷାରତ ଥିଲେ । କାରଣ ପ୍ରେସମିଟରେ ପ୍ରତିଭାଙ୍କ ପ୍ରତିକ୍ରିୟା ପିପିଲି ଉପ-ନିର୍ବାଚନରେ ବଡ ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଥିଲା ।

ସମୟ ବିତିଲା, ମଧ୍ୟାହ୍ନରୁ ଅପରାହ୍ନ ହେଲା । କିନ୍ତୁ ପ୍ରେସମିଟରେ ପଡିଲାନି ପ୍ରତିଭାଙ୍କ ପାଦ । ବରଂ ଯାହା କହିବାର ଅଛି ସିଧାସଳଖ ସନ୍ଧ୍ୟାରେ ପିପିଲିରେ କହିବି ବୋଲି କହିଥିଲେ ପ୍ରତିଭା । ଏପରିକି ପୁଅ କହିବା ବଦଳରେ ରୁଦ୍ର ମହାରଥୀଙ୍କ ପାଇଁ ଯାହା କହିବା କଥା ଫାର୍ମ ହାଉସରେ କହିବି ବୋଲି ମା ପ୍ରତିଭା କହିଥିଲେ । ଆଉ ଜଣେ ମାଙ୍କ ମୁହଁରୁ ଏଭଳି କଥାକୁ ନେଇ ଚର୍ଚ୍ଚା ହେଲା ଯେ, ରୁଦ୍ରଙ୍କୁ ଟିକେଟ ଦିଆଯିବା ନେଇ ଖୁସି ନାହାନ୍ତି ମା ପ୍ରତିଭା । କିନ୍ତୁ ସନ୍ଧ୍ୟାରେ ସବୁ ସ୍ପଷ୍ଟ କରିବାର ପ୍ରତିଶ୍ରୁତି ଦେଇ ମଧ୍ୟ ପ୍ରେସମିଟରେ ପହଞ୍ଚିନଥିଲେ ପ୍ରତିଭା । ଏପରିକି ଆମ ବ୍ୟାପିନି ପ୍ରତିନିଧି ପ୍ରତିଭାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇନଥିଲା । ତେବେ ଏଭଳି ଘଟଣାବଳୀ ଏବେ ଦର୍ଶାଉଛି ଯେ, ପ୍ରେସମିଟରେ ଯାହା କହିଥାନ୍ତେ ତାହା ବୋଧହୁଏ ମନ ଭିତରେ ଚାପିଦେଲେ ପ୍ରତିଭା । ପୁଅର ରାଜନୈତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରତିଭା ସାମ୍ପ୍ରତିକ ସମୟରେ ମୁହଁ ଖୋଲିବାକୁ ଶ୍ରେୟସ୍କର ବୋଲି ଭାବିଲେନି କି? ନା ପୁଅର ସୁରକ୍ଷିତ ଭବିଷ୍ୟତ ପାଇଁ ମାନିଗଲେ ମା । ତେବେ ଏହି ବାବଦରେ ସ୍ପଷ୍ଟ ଚିତ୍ର ମାର୍ଚ୍ଚ ୩୦ରେ ସାମ୍ନାକୁ ଆସିବ । କାରଣ ଉକ୍ତ ଦିନ ନାମାଙ୍କନ ଦାଖଲ କରିବେ ରୁଦ୍ର । ତେଣୁ ନାମାଙ୍କନ ଦାଖଲ ଦିନ ପୁଅ ରୁଦ୍ର ସହ ମା ଉପସ୍ଥିତ ରହୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା ।

Comments (0)
Add Comment