ସବୁଜ ଶିବିରରେ ଏଣ୍ଟ୍ରି ମାରିବେ କି ସବ୍ୟସାଚୀ? ଏ ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ସବ୍ୟସାଚୀଙ୍କୁ ନେଇ ଏକ ବିଜ୍ଞାପନଭିତ୍ତିକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯେଉଁଥିରେ ସବ୍ୟସାଚୀ ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ ପଢୁଥିବାର ଦେଖିବାକୁ ମିଳିଛି । ଏହି ବିଜ୍ଞାପନଭିତ୍ତିକ ପୋଷ୍ଟରେ ସବ୍ୟସାଚୀଙ୍କୁ ପୋଷ୍ଟରବୟ ଭାବେ ସାମ୍ନାକୁ ଆଣିବା ସହ କ୍ୟାପସନରେ ଲେଖାଯାଇଛି, ଗୁଜବରୁ ଦୂରେଇ ରୁହନ୍ତୁ । ନିଜକୁ ଅପଡେଟ ରଖିବାକୁ ସକାଳ ପଢନ୍ତୁ । ଯାହା ଦର୍ଶାଉଛି ଲୋକଙ୍କୁ ଏହି ମହାମାରୀ ସମୟରେ ଅପଡେଟ ରହିବାକୁ ସବ୍ୟସାଚୀଙ୍କ ମାଧ୍ୟମରେ ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଛି । ତେବେ ଆପଣଙ୍କ ମନରେ ବି ପ୍ରଶ୍ନ ଉଠୁଥିବ ସବ୍ୟସାଚୀ ସକାଳ ଖବରକାଗଜ ପଢିବାରେ ଅସୁବିଧା କେଉଁଠି ଏବଂ ଏହାକୁ ବିଜେଡିରେ ଯୋଗଦେବା ସହ କିଭଳି ତୁଳନା କରାଯାଇପାରିବ । ତେବେ ସକାଳ ଖବରକାଗଜ ଓ ବିଜେଡିର ସମ୍ପର୍କକୁ ନେଇ ବିଭିନ୍ନ ଖଟିରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଏଭଳି ପରିକଳ୍ପନା କରାଯାଇଛି ।
ସକାଳ ଖବରକାଗଜ । ଓଡ଼ିଶାରେ ନୂଆ କରି ଜନ୍ମ ନେଇଥିବା ଏକ ଦୈନିକ ଖବରକାଗଜ । ଖୁବ୍ କମ ଦିନରେ ପାଠକଙ୍କ ଆଦୃତି ହାସଲ କରିବାରେ ସଫଳ ହୋଇଛି । କାରଣ ରାଜ୍ୟର ପ୍ରତିଟି ଘରେ ଏବେ ଏହି ଖବରକାଗଜ ପହଞ୍ଚିପାରୁଛି । ଦୀର୍ଘ ବର୍ଷ ଧରି ଓଡ଼ିଶାରେ ଗଣମାଧ୍ୟମ ଦୁନିଆରେ ରାଜୁତି କରି ଆସୁଥିବା ଖବରକାଗଜ ଗୁଡିକ ସହ ପ୍ରତିଯୋଗିତା ଆରମ୍ଭ କରିଛି ସକାଳ । ତେବେ ଏହି ସକାଳ ପଛରେ କେଉଁ ବ୍ୟକ୍ତିବିଶେଷଙ୍କର ଅବଦାନ ରହିଛି ତାହା ଜଣାପଡୁନଥିଲେ ମଧ୍ୟ ହେଉଥିବା ଚର୍ଚ୍ଚା ଅନୁଯାୟୀ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀର ଯୋଗଦାନ ଏହି ଖବରକାଗଜ ସହ ରହିଛି । ଯେଉଁ ଗୋଷ୍ଠୀ ହାତରେ ରହିଛି ବିଜେଡିକୁ ଆଗକୁ ବଢାଇବାର ଦାୟିତ୍ୱ । ଆଉ ଯେତେବେଳେ ସବ୍ୟସାଚୀ ସକାଳ ଖବରକାଗଜ ପଢୁଥିବା ନେଇ ବିଜ୍ଞାପନଭିତ୍ତିକ ପୋଷ୍ଟ ଛଡାଯାଉଛି ସେତେବେଳେ ଏହା କିଛି ଭିନ୍ନ ସଂକେତ ଦେଉଛି । କାରଣ କୌଣସି ଖବରକାଗଜର ବ୍ରାଣ୍ଡିଂ କରୁଥିବାର ସବ୍ୟସାଚୀଙ୍କୁ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ତେବେ ସକାଳ ଖବରକାଗଜର ବ୍ରାଣ୍ଡିଂ କରିବା ବଦଳରେ ସବ୍ୟସାଚୀଙ୍କୁ ସବୁଜ ଶିବିରରୁ କିଛି ସିଗନାଲ ମିଳିଛି କି? ଏହି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସବ୍ୟସାଚୀଙ୍କ ବିଜେଡିରେ ସାମିଲ ହେବା ଚର୍ଚ୍ଚାକୁ ଖୋରାକ ଯୋଗାଉଛି କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ ପ୍ରତି ଦଳର ଆଭିମୁଖ୍ୟ । ବର୍ଷାଙ୍କ ସହ ପାରିବାରିକ ବିବାଦ ପରେ ଅନୁଭବଙ୍କୁ ଦଳରେ ଏକପ୍ରକାର କୋଣଠେସା କରି ରଖାଯାଇଛି । ପୂର୍ବରୁ ଷ୍ଟାର ପ୍ରଚାରକ ଭାବେ ଅନୁଭବଙ୍କୁ ଖୋଜା ପଡୁଥିବା ବେଳେ ଏବେ ଅନୁଭବଙ୍କୁ କୌଣସି ନିର୍ବାଚନ ପ୍ରଚାର କିମ୍ବା ରାଲିରେ ସାମିଲ କରୁନାହିଁ ଦଳ । ଅନ୍ୟପଟେ ପୂର୍ବତନ ସାଂସଦ ତଥା ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କର ମଧ୍ୟ ଦଳରେ ସମାନ ଅବସ୍ଥା । ଉଭୟ ଅନୁଭବ ଓ ସିଦ୍ଧାନ୍ତ ପୂର୍ବରୁ ଦଳ ପାଇଁ କ୍ରାଉଡ ପୁଲର ସାଜିଥିଲେ । କିନ୍ତୁ ଏବେ ନବୀନଙ୍କୁ ଛାଡିଦେଲେ ଦଳରେ ସେଭଳି କ୍ରାଉଡ ପୁଲର ଚେହେରା କେହି ନାହାନ୍ତି । ପୂର୍ବଭଳି ନବୀନ ଆଉ ବିଶେଷ ପ୍ରଚାର କିମ୍ବା ରାଲି କରୁନଥିବାରୁ ଦଳ ଏବେ ଜଣେ କ୍ରାଉଡ ପୁଲର ଚେହେରା ଖୋଜୁଛି ବିଜେଡି । ତେଣୁ ସବ୍ୟଙ୍କ ଉପରେ ଏବେ ବିଜେଡିର ନଜର ପଡିଥିବା ଚର୍ଚ୍ଚା ହେଉଛି । ଆଉ ଏହା ପଛର ସବୁଠୁ ବଡ କାରଣ ହେଲା ସବ୍ୟଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା ।
ମହାମାରୀ ଆରମ୍ଭରୁ ଅନ୍ୟରାଜ୍ୟରେ ଫଶି ରହିଥିବା ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ କରି ରାଜ୍ୟବାସୀଙ୍କ ନଜରରେ ରାତାରାତି ହିରୋ ପାଲଟିଯାଇଥିଲେ ସବ୍ୟସାଚୀ । କାହାକୁ ଅନ୍ୟ ରାଜ୍ୟରୁ ଆଣିବା ହେଉ କିମ୍ବା କାହାକୁ ସ୍ୱାବଲମ୍ବୀ କରିବାକୁ ଆର୍ଥିକ ସହାୟତା, ଏପରିକି ମହାମାରୀ ସମୟରେ ଯେତେବେଳେ ପରିବାର ପାଖରେ ଲୋକେ ପହଞ୍ଚି ପାରୁନଥିଲେ ସେତେବେଳେ କିଛି ବ୍ୟକ୍ତିଙ୍କୁ ମେଡିକାଲ ସେବା ଓ ଔଷଧ ଯୋଗାଇଦେଇ ସବ୍ୟସାଚୀ ଓଡ଼ିଶାବାସୀଙ୍କ ହୃଦୟରେ ଘର କରିଥିଲେ । ଯେଉଁଥିପାଇଁ ରାଜ୍ୟରେ ସବ୍ୟଙ୍କର ଲୋକପ୍ରିୟତା ସହ ଗ୍ରହଣୀୟତା ମଧ୍ୟ ବଢିଛି । ଏପରିକି ଫ୍ୟାନ୍ ଫଲୋଅର୍ସଙ୍କ ସଂଖ୍ୟା ମଧ୍ୟ ପୂର୍ବ ଅପେକ୍ଷା ଢେର ଅଧିକ ବଢିଛି । ତେଣୁ ଏଭଳି ଜଣେ ବ୍ୟକ୍ତିତ୍ୱକୁ ଦଳରେ ସାମିଲ କରିବାରେ ଦ୍ୱିଧା ନ କରିପାରେ ବିଜେଡି । ଏପରିକି ଅନୁଭବଙ୍କ ବିକଳ୍ପ ଭାବେ ସବ୍ୟଙ୍କୁ ସାମ୍ନାକୁ ଆଣିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥାଇପାରେ ବିଜେଡି । କାରଣ ଗୋଟିଏ ପଟେ ଅନୁଭବଙ୍କ ଭଳି ବିବାଦୀୟ ବ୍ୟକ୍ତିତ୍ୱଙ୍କୁ ନେଇ ଆଗକୁ ବଢିବାକୁ ଚାହୁଁନାହିଁ ଦଳ । ପୂର୍ବରୁ ଏହାର ସଂକେତ ମଧ୍ୟ ମିଳିସାରିଛି । ଆଉ ଅନ୍ୟପଟେ ସବ୍ୟଙ୍କ ଭଳି ର୍ନିବିବାଦୀୟ ଓ ଲୋକପ୍ରିୟ ଚେହେରାକୁ ଦଳରେ ସାମିଲ କରି ଅନୁଭବଙ୍କ ପାଇଁ ଦଳକୁ ଯେଉଁ କ୍ଷତି ପହଞ୍ଚିଛି ତାହାର ଭରଣା କରିବାକୁ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀ ଯୋଜନା କରୁଥାଇପାରନ୍ତି । ତେବେ ସବ୍ୟସାଚୀ ରାଜନୀତିକୁ ଆସିବେ କି ନାହିଁ ତାହା ସମ୍ପୂର୍ଣ୍ଣ ତାଙ୍କର ବ୍ୟକ୍ତିଗତ ଇଚ୍ଛା କିନ୍ତୁ ସକାଳ ଖବରକାଗଜ ପଢୁଥିବାର ଫଟୋକୁ ନେଇ ସବ୍ୟ ଖୁବଶୀଘ୍ର ବିଜେଡି ଶିବିରରେ ଯୋଗଦେଇ ପାରନ୍ତି ବୋଲି ସୋସିଆଲ ମିଡ଼ିଆରେ କିଛି ଏଭଳି ଆକଳନ କରାଯାଉଛି ।