ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କୁ କୋଷ୍ଟାଲ ହାଇୱେ ଝଟକା । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା ପରେ ଏହି ପ୍ରକଳ୍ପ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଓ ଅନୁମତି ଦେବାକୁ ନବୀନ ପ୍ରତିଶ୍ରୁତି ଦେବା ଦଳୀୟ ନେତା ସଞ୍ଜୟଙ୍କୁ ଅକଳରେ ପକାଇଛି । ଏହି ପ୍ରକଳ୍ପକୁ ନେଇ ସଞ୍ଜୟ ଓଡ଼ିଶାବାସୀଙ୍କୁ ଭମ୍ରିତ କରୁଛନ୍ତି ବୋଲି ଏକ ବାର୍ତ୍ତା ଯାଇଛି । ଦୀର୍ଘ ୬ବର୍ଷ ହେବ ଏହି ପ୍ରକଳ୍ପକୁ ନେଇ ଓଡ଼ିଶାବାସୀ ସ୍ୱପ୍ନ ଦେଖି ଆସୁଥିବା ବେଳେ ହଠାତ୍ ଦିଲ୍ଲୀ ଦରବାରରେ କାହିଁକି ଏହି ପ୍ରକଳ୍ପ କଥା ଉଠିଲା ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏ ବାବଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ନବୀନଙ୍କୁ ଧନ୍ୟବାଦ ଜଣାଇବା ଘଟଣାକୁ ଆହୁରି ରୋଚକ କରିଛି ।
ଏହି ପ୍ରକଳ୍ପ ବାବଦରେ କେନ୍ଦ୍ରମନ୍ତ୍ରୀ ନୀତିନଙ୍କ ସହ ନବୀନଙ୍କ ଆଲୋଚନା ସଞ୍ଜୟଙ୍କୁ ୪୪୦ ଭୋଲ୍ଟର ଝଟକା ଦେଇଛି । କାରଣ ଗତ କିଛି ଦିନ ପୂର୍ବରୁ ସଞ୍ଜୟ ଏହି ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ଏପରିକି ୬ ବର୍ଷ ପୂର୍ବରୁ ଯେଉଁ କୋଷ୍ଟାଲ ହାଇୱେ ପ୍ରକଳ୍ପ ବାବଦରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଆଜିର ଦିନରେ ତାହାର ରୂପରେଖ ବଦଳିଯାଇଥିବା ନେଇ ଗଣମାଧ୍ୟମରେ ମୁହଁ ଖୋଲିଥିଲେ ସଞ୍ଜୟ । ୬ ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ୪୪୦ କିଲୋମିଟର ହାଇୱେ ପ୍ରସ୍ତାବ ୨୦୨୧ରେ ୧୭୦ କିଲୋମିଟରକୁ କମି ଆସିଥିବା ନେଇ ବିଜେପି ସରକାରକୁ ଦୋଷ ଦେଇଥିଲେ ସଞ୍ଜୟ । ଏଭଳି କହି ହୁଏତ ଦଳୀୟ ସୁପ୍ରିମୋଙ୍କୁ ଖୁସ୍ କରିବାକୁ ଚାହୁଁଥିଲେ ସଞ୍ଜୟ । କିନ୍ତୁ ସଞ୍ଜୟଙ୍କ ଏହି ବୟାନକୁ କାଗଜପତ୍ର ଦେଖାଇ କାଉଁଣ୍ଟର କରିଥିଲା ବିଜେପି । ୧୭୦ ନୁହେଁ ୩୮୨ କିଲୋମିଟର ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ରହିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାବାସୀଙ୍କ ସାମ୍ନାରେ ତଥ୍ୟ ରଖିଥିଲା ବିଜେପି ।
କିନ୍ତୁ ଏହାର ଦିନ କେଇଟା ଯାଇନି କେନ୍ଦ୍ରମନ୍ତ୍ରୀ ନୀତିନଙ୍କ ସହ ନବୀନଙ୍କ ଆଲୋଚନା ଓ କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଓ ଅନୁମତି ଦେବା ପାଇଁ ପ୍ରତିଶ୍ରୁତି ଦେବା ଭିନ୍ନ ଦିଗ ଆଡକୁ ଇଙ୍ଗିତ କରୁଛି । କୋଷ୍ଟାଲ ହାଇୱେକୁ ନେଇ ସଞ୍ଜୟଙ୍କ ମିଛ ଦଳକୁ ବ୍ୟାକଫୁଟକୁ ଠେଲୁଥିବାରୁ ଏଭଳି ପଦକ୍ଷେପ ନେଲେ କି ନବୀନ? ଯାହା ଦଳର ଭାବମୂର୍ତ୍ତିକୁ ମଳିନ ହେବାରୁ ବଞ୍ଚାଇବ । ନା ସଞ୍ଜୟଙ୍କ ମିଛକୁ ଗ୍ରହଣ କରିପାରିଲେନି ନବୀନ? ଯେଉଁଥିପାଇଁ ନୀତିନଙ୍କ ସହ ଆଲୋଚନା କରି ଏ ବାବଦରେ ସ୍ପଷ୍ଟ ବାର୍ତ୍ତା ଦେବାକୁ ଶ୍ରେୟସ୍କର ମଣିଲେ ବିଜେଡି ସୁପ୍ରିମୋ ।
ଯେହେତୁ ଆଗକୁ ପିପିଲି ଉପ-ନିର୍ବାଚନ ସହ ପୌର ଓ ପଞ୍ଚାୟତ ନିର୍ବାଚନ ରହିଛି ତେଣୁ ସାଧାରଣ ଲୋକଙ୍କ ସାମ୍ନାରେ ଦଳର ଭାବମୂର୍ତ୍ତି ଯେପରି ଖରାପ ନହେଉ ସେଥିପ୍ରତି ଯଥେଷ୍ଟ ଯତ୍ନବାନ ଅଛନ୍ତି ନବୀନ । ଯେଉଁଥିପାଇଁ ସଞ୍ଜୟଙ୍କ ବିଭ୍ରାନ୍ତିକର ବୟାନର ଦିନ କେଇଟା ବିତିନି ଗଡକରୀଙ୍କ ସହ ଆଲୋଚନା ଏହି ପ୍ରକଳ୍ପ ବାବଦରେ ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିଛନ୍ତି ନବୀନ ।
— Wednesday, February 3, 2021 —