ନବୀନଙ୍କୁ ଜିତାଇ ପାରିବ କି ପୁରୀ ଆଉ ଏସସିବି?

ପଂଚମ ପାଳିରେ କ୍ଷମତାକୁ ଆସିବା ପରେ ସମସ୍ତ ଘୋଷଣା ଆଉ କାର୍ଯ୍ୟକ୍ରମ ଭିତରେ ଦୁଇଟି ଦିଗକୁ ସମସ୍ତଙ୍କ ନଜର ଯାଇଛି । ଗୋଟିଏ ହେଲା ପୁରୀକୁ ଐତିହ୍ୟ ନଗରୀରେ ପରିଣତ କରିବା ଏବଂ ଦ୍ୱିତୀୟଟି ହେଲା ଏସସିବିକୁ ଏମସ ପ୍ଲସରେ ପରିଣତ କରି ବିଶ୍ୱସ୍ତରର ଚିକିତ୍ସା ସୁବିଧା ଉପଲବ୍ଧ କରାଇବା । ଆପଣ ଭାବୁଥିବେ ଚାରିପାଳି ପରେ ଏହି ଦୁଇ ଦିଗ ପ୍ରତି କାହିଁକି ନବୀନ ବାବୁଙ୍କର ନଜର ଗଲା । ଆଗରୁ ଏସସିବି ଏବଂ ପୁରୀର ଉନ୍ନତି କଥା କାହିଁକି ଚିନ୍ତା କରୁନଥିଲେ ରାଜ୍ୟ ସରକାର? ସେତେବେଳେ କଣ ଏସସିବିରେ ଲୋକଙ୍କ ଦୁର୍ଦ୍ଦଶା ଏବଂ ପୁରୀର ସଂକୁଚିତ ରାସ୍ତା ଏବଂ ଚାରିକଡର ଜବରଦଖଲ ସରକାରଙ୍କ ନଜରକୁ ଆସୁନଥିଲା? ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାପଛରେ ରାଜ୍ୟ ସରକାରଙ୍କର ଏକ ସୁଚିନ୍ତିତ ରଣନୀତି ରହିଛି । ଏହି ଦୁଇ ଜାଗାର ବିକାଶର ବିଜ୍ଞାପନ ଧରି ସରକାର ୨୦୨୪ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ପ୍ରଥମେ ଆସିବା ପୁରୀକୁ । ଶ୍ରୀକ୍ଷେତ୍ର ଐତିହ୍ୟ ନଗରୀରେ ପରିଣତ ହେବ । ଖୁବ ଭଲ କଥା ଏବଂ ରାଜ୍ୟ ସରକାରଙ୍କର ପଦକ୍ଷେପକୁ ସମସ୍ତେ ସ୍ୱାଗତ ମଧ୍ୟ କରୁଛନ୍ତି । ମଠ, ମନ୍ଦିର, କୋଠା ବାଡିକୁ ଭାଙ୍ଗି ସରକାର ଉନ୍ନତି ପାଇଁ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ଶ୍ରୀମନ୍ଦିର ଚାରିପାଖ ହେଉ ଅବା ସିଂହଦ୍ୱାର ସାମ୍ନାରେ ସବୁକିଛି ବ୍ୟାପକ ଆଉ ବିରାଟ ଆକାରର କରାଯାଉଛି । ଲୋକ ବସିବା ଠାରୁ ଆରମ୍ଭ କରି ଭଜନ କୀର୍ତ୍ତନ ପର୍ଯ୍ୟନ୍ତ ଯେମିତି ସବୁକିଛି ସୁରୁଖୁରୁରେ ହୋଇପାରିବ ସେଥିପାଇଁ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ସେହିଭଳି ସ୍ୱର୍ଗଦ୍ୱାରର ବିକାଶ କାର୍ଯ୍ୟକୁ ମଧ୍ୟ ହାତକୁ ନିଆଯାଇଛି ।

ଆପଣ ଭାବୁଥିବେ ଏହି ବିକାଶମୁଳକ କାମ ସହ ସରକାରୀ ଦଳର ଭୋଟବ୍ୟାଙ୍କ ସହ କଣ ସଂପର୍କ ରହିଛି? ଥରେ ଚିନ୍ତା କରନ୍ତୁ, ରାଜ୍ୟବାସୀ ରାଜ୍ୟର କେଉଁସ୍ଥାନକୁ ସବୁଠାରୁ ଅଧିକ ଯାଇଥାନ୍ତି । ଜଗନ୍ନାଥ ଦର୍ଶନ କରିବା ପାଇଁ ପୁରୀରେ ପ୍ରତିଟି ଓଡିଆ ଲୋକଙ୍କର ପାଦ ପଡିଥାଏ । ମନ୍ଦିର ଆସିବା ସହ ବେଳାଭୁମୀକୁ ଯାଇ କିଛି ସମୟ ଲୋକ କାଟିଥାନ୍ତି । ସେହିଭଳି କାହାର ଦେହାନ୍ତ ହୋଇଗଲେ ଶେଷକୃତ୍ୟ ସଂପନ୍ନ ପାଇଁ ପ୍ରାୟତଃ ଲୋକ ସ୍ୱର୍ଗଦ୍ୱାରକୁ ମରଶରୀରକୁ ଆଣିବାକୁ ଚାହିଁଥାନ୍ତି । ଆଉ ସୁଚିନ୍ତିତ ରଣନୀତି ଆଧାରରେ ଏହି ତିନି ସ୍ଥାନର ବିକାଶ ପ୍ରକ୍ରିୟା ସରକାର ଆଗକୁ ବଢାଇଛନ୍ତି । ପୁରୀ ମନ୍ଦିର, ବ୍ଲୂ-ଫ୍ଲାଗ ବିଚ୍ ଏବଂ ସ୍ୱର୍ଗଦ୍ୱାରର ବିକାଶ କରି ଲୋକଙ୍କ ମନରେ ଉନ୍ନତିକରଣର ଏକ ଛାପ ଛାଡିବାକୁ ଏହା ରଣନୀତିର ଅଂଶବିଶେଷ ବୋଲି ଚର୍ଚ୍ଚା ହେଉଛି ।

ଏବେ ଆସିବା ଏସସିବି କଥାକୁ । ସାଧାରଣ ଗରୀବ ପରିବାରର ଲୋକ ଯେତେବେଳେ କୈାଣସି ଚିକିତ୍ସା ସୁବିଧାର ଆବଶ୍ୟକତା ଅନୁଭବ କରିଥାନ୍ତି, ସେମାନେ ପ୍ରଥମେ କଟକ ବଡ ଡାକ୍ତରଖାନା କଥା ଭାବିଥାନ୍ତି । ସେମାନଙ୍କ ମନରେ ଧାରଣା ତିଆରି ହୋଇଥାଏ ବଡ ଡାକ୍ତରଖାନା ଗଲେ ସେଠାରେ ଚିକିତ୍ସା ସୁବିଧା ମିଳିଯିବ । ହେଲେ ଏସସିବିର ବାସ୍ତବ ସ୍ଥିତିକୁ ସେମାନେ ଖୁବ କମ ଜାଣିଥାନ୍ତି । ଡାକ୍ତର ସଂଖ୍ୟ ଅଭାବ, ବେଡ ନମିଳିବାର କଷ୍ଟ ସେମାନେ ଏସସିବିକୁ ପହଁଚିଲା ପରେ ହିଁ ଜାଣିଥାନ୍ତି । ଆଉ ଏବେ ୩୫୦୦ କୋଟି ଖର୍ଚ୍ଚରେ ପ୍ରଥମ ପର୍ଯ୍ୟାୟରେ ୩୫୦୦ ବେଡର ଯେଉଁ ବ୍ୟବସ୍ଥା କରାଯାଉଛି, ତାହା ନିହାତି ଭାବରେ ଜଣେ ସାଧାରଣ ଲୋକର ମନରେ ଆଶା ତିଆରି କରିବ, ସାଧାରଣ ଲୋକ ପାଇଁ ସରକାର କେତେ ଚିନ୍ତା କରୁଛନ୍ତି । ଆଉ ଯେ ତେବେଳେ ଏହା ୫୦୦୦ ବେଡ୍ ବିଶିଷ୍ଟ ହୋଇଯିବ ସେତେବେଳେ ସାଧାରଣ ଲୋକ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ପାଇପାରିବ ।

ବଡଦାଣ୍ଡରୁ ଆରମ୍ଭ କରି ବଡ ମେଡିକାଲ ଯାଏଁ ଯେତେ ସବୁ ବିକାଶମୁଳକ କାମ ହାତକୁ ନିଆଯାଇଛି, ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାଫଳରେ ଦେଶରେ ତଥା ବିଶ୍ୱରେ ଓଡିଶାର ପରିଚୟ ବଦଳିବ । ହେଲେ ଏହାପଛରେ ଥିବା ଭୋଟବ୍ୟାଙ୍କ ପଲିଟିକ୍ସକୁ ମଧ୍ୟ ବୁଝିବାର ଆବଶ୍ୟକତା ରହିଛି । କାରଣ ବିଜେପିର ଚାରିଧାମ ପଲିଟିକ୍ସକୁ ସମସ୍ତେ ବେଶ ଭଲଭାବେ ଜାଣିଛନ୍ତି । ପୁରୀ ବିଜେପିର ଫୋକସ ଏରିଆ ମଧ୍ୟରେ ରହିଛି । ତେଣୁ ରାଜ୍ୟ ସରକାର ଏବେଠାରୁ ସଜବାଜ ଆରମ୍ଭ କରିସାରିଲେଣି । ଅନ୍ତର୍ଜାତୀୟ ବିମାନ ବନ୍ଦର ପୁରୀରେ କରିବା ପାଇଁ ପ୍ରସ୍ତାବ ଦେବା ଏହାର ଅଂଶବିଶେଷ ।

ସେହିଭଳି ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ଆଉ ଏକ ସ୍ଥାନ ହେଉଛି ବରମୁଣ୍ଡା ବସଷ୍ଟାଣ୍ଡ । ଏଠାରୁ ପ୍ରତିଦିନ ରାଜ୍ୟର କୋଣ ଅଣୁକୋଣକୁ ଲୋକଯାତାୟତ କରିଥାନ୍ତି । ଯଦି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବରମୁଣ୍ଡା ବସଷ୍ଟାଣ୍ଡର କାମ ସରିଯାଏ, ତେବେ ଲୋକ ଏକ ଅନ୍ତର୍ଜାତୀୟ ମାନର ବସଷ୍ଟାଣ୍ଡ ଦେଖିବାକୁ ପାଇବେ । ଯାହା ସେମାନଙ୍କ ମନରେ ବିଶ୍ୱାସ ତିଆରି କରିବା ରାଜ୍ୟ ସରକାରଙ୍କର ପ୍ରତି ।

ଯେଉଁ ତିନୋଟି ସ୍ଥାନର ଉଦାହରଣ ଆମେ ଆପଣଙ୍କ ସାମ୍ନାରେ ରଖିଲୁ ସେଠାରୁ ପ୍ରତିଟି ଓଡିଆ ଭୋଟର କେବେ ନା କେବେ ଯାଇଥାନ୍ତି । ଆଉ ଯଦି ଆଗାମୀ ୩ ବର୍ଷ ମଧ୍ୟରେ ଏହି ସମସ୍ତ ଯାଗାର ବିକାଶ ପ୍ରକ୍ରିୟା ସାରି ରାଜ୍ୟ ସରକାର ଲୋକଙ୍କୁ ଉତ୍ତମ ସୁବିଧା ଯୋଗାଇ ଦେବାରେ ସଫଳ ହେଉଛନ୍ତି, ତେବେ ଏହାର ପ୍ରଭାବ ୨୦୨୪ ନିର୍ବାଚନରେ ପଡିପାରେ । ଖାସ କରି ଶାସକ ବିଜୁ ଜନତା ଦଳ ବିରୋଧୀଙ୍କ ଠାରୁ ଗୋଟିଏ ପାଦ ଆଗରେ ରହିବ ବୋଲି ସ୍ପଷ୍ଟ ଭାବେ କୁହାଯାଇପାରେ ।

Comments (0)
Add Comment