‘ସସପେଣ୍ଡ’ ସଲ୍ୟୁସନ ନୁହେଁ !

ସସପେଣ୍ଡ ସଲ୍ୟୁସନ ନୁହେଁ । ଏକଥା ଏଥିପାଇଁ ଉଠୁଛି କାରଣ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଯାଇଛି ଆଉ ତାହା ବି ପୁଣି ବିଧାନସଭାର ପବିତ୍ର ଗୃହରେ । ଯେଉଁ ବିଧାନସଭାକୁ ଗଣତନ୍ତ୍ରର ମନ୍ଦିର କହି ନେତା ମୁଣ୍ଡିଆ ମାରନ୍ତି ସେଠାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗାଯିବା ଆଦୌ ଗ୍ରହଣୀୟ ନୁହେଁ । ହଁ ପୂର୍ବରୁ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରାଯାଇଛି, କାଗଜ ଫିଙ୍ଗାଯାଇଛି କିନ୍ତୁ ଆଜି ଯେଉଁ ଘଟଣା ଘଟିଲା ତାହା ଗୃହର ଗାରିବାକୁ ନଷ୍ଟ କରିଛି ଓ ବାଚସ୍ପତି ପଦର ମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛି । ଦାବି ନ ମାନିବାରୁ ପ୍ରଥମ ଥର ପାଇଁ ଗୃହ ଭିତରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଛନ୍ତି । ତେବେ ଏହା ଉପରକୁ ଯେତିକି ସାଧାରଣ ଦିଶୁଥିଲେ ମଧ୍ୟ ଏହାର ଗୁରୁତ୍ୱ ବୁଝିବାର ଯଥେଷ୍ଟ ଆବଶ୍ୟକତା ରହିଛି । କାରଣ ବିଜେପି ବିଧାୟକ ଯେଉଁ କଳୁଷିତ ପରମ୍ପରା ସୃ୍‌ଷ୍ଟି କରିବାକୁ ପ୍ରୟାସ କରିଛନ୍ତି ତାହା ଯେପରି ଆଗକୁ ନଘଟୁ ସେଥିପାଇଁ ଏବେଠୁ କଠୋର ହେବାର ଆବଶ୍ୟକତା ରହିଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରକୁ ବିଜେପି ବିଧାୟକଙ୍କ ଚପଲ ଫିଙ୍ଗା ଘଟଣା ରାଜ୍ୟ ରାଜନୀତିରେ ଏକ ଖରାପ ପରମ୍ପରା ସୃ୍‌ଷ୍ଟି କରିଛି । ଏଠି ବାଚସ୍ପତିଙ୍କ ନାଁ ନେବା ପଛର ମଧ୍ୟ କାରଣ ରହିଛି । ସେ ବାବଦରେ ମଧ୍ୟ ଆମେ ବୁଝାଇବାକୁ ଚେଷ୍ଟା କରିବୁ । ହଁ, ଚପଲ ଫିଙ୍ଗା ଘଟଣାରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ମୋହନ ମାଝୀ ଓ ବିଷ୍ଣୁ ସେଠୀଙ୍କୁ ଚଳିତ ଅଧିବେଶନରୁ ସସପେଣ୍ଡ କରାଯାଇଛି । କିନ୍ତୁ ଏହି କାର୍ଯ୍ୟାନୁଷ୍ଠାନ କଣ ଯଥେଷ୍ଟ କି? ଏଭଳି କାର୍ଯ୍ୟାନୁଷ୍ଠାନ ପରେ ପୁଣିଥରେ ଯେ, ଏଭଳି ସ୍ଥିତି ଉପୁଜିବନି ବୋଲି କଣ କିଛି ଗ୍ୟାରେଣ୍ଟି ଅଛି? ଏଭଳି କାର୍ଯ୍ୟାନୁଷ୍ଠାନ ଆଗାମୀ ପିଢୀକୁ କଣ ବାର୍ତ୍ତା ଦେବ । ବାଚସ୍ପତିଙ୍କୁ ଚପଲ ଫିଙ୍ଗ, ବିଧାନସଭା ଅଧିବେଶନରୁ ସସପେଣ୍ଡ ହୁଅ । ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ବାଚସ୍ପତିଙ୍କ ଗାରିମା ଓ ପଦମର୍ଯ୍ୟାଦକୁ କେତେଦିନ ବା ସୁରକ୍ଷିତ ରଖାଯାଇପାରିବ? ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଟିର ମନରେ ଉଠୁଛି । ଆଉ ଏହାର ଉତ୍ତରରେ ଯେଉଁ କଥାଟି ସାମ୍ନାକୁ ଆସୁଛି ତାହା ହେଲା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ।

କଠୋର କାର୍ଯ୍ୟାନୁଷ୍ଠାନର କଥା ଏଥିପାଇଁ କୁହାଯାଉଛି, ଗୃହ ଭିତରେ ଚପଲ ଫିଙ୍ଗି ଗୃହ ବାହାରେ ଠିକ୍ କରିଛୁ ବୋଲି କହିବା କେତେଦୂର ଗ୍ରହଣୀୟ । ଏପରିକି ଏଭଳି ବାଚସ୍ପତିଙ୍କୁ ଏମିତି ଦରକାର ବୋଲି କହି ଆଗାମୀ ପିଢୀର ନେତାଙ୍କ ମନରେ ବାଚସ୍ପତିଙ୍କ ପ୍ରତି ଥିବା ସେହି ସମ୍ମାନକୁ ହାନି କରିବାକୁ ଚାହୁଁନାହାନ୍ତି କି ବିଜେପି ଦଳର ସଦସ୍ୟ । ଏହାକଣ ପରବର୍ତ୍ତୀ ପିଢୀର ନେତାଙ୍କୁ ସାହାସ ଯୋଗାଇବନି ବାଚସ୍ପତିଙ୍କୁ ଖରାପ ବ୍ୟବହାର କରିବା ପାଇଁ । ହଁ ବ୍ୟକ୍ତି ହିସାବରେ ସୂର୍ଯ୍ୟ ନାରାୟଣ ପାତ୍ର ପୂରା ଘଟଣାକୁ ଭୁଲି ଯାଇ ବିଜେପି ବିଧାୟକଙ୍କୁ ଆଦରି ନେବେ । ଯେହେତୁ ପ୍ରତିଦିନ ଦେଖା ସାକ୍ଷାତ ହେଉଛି ତେଣୁ ଏଭଳି ମନୋମାଳିନ୍ୟ ନ ରହିବା ମଧ୍ୟ ଭଲ । କିନ୍ତୁ ଚପଲ ଫିଙ୍ଗି ବାଚସ୍ପତି ପଦର ଯେଉଁ ମର୍ଯ୍ୟାଦା କ୍ଷୂର୍ଣ୍ଣ ହୋଇଛି ତାହା କଣ ପୁଣି ଥରେ ଫେରି ଆସିବ କି? ତେଣୁ ସସପେଣ୍ଡ କରିବା ବଦଳରେ ଏମିତି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉ ଯାହା ବାଚସ୍ପତି ପଦର ଗାରିମା ଓ ମର୍ଯ୍ୟାଦାକୁ ସବୁବେଳେ ସୁରକ୍ଷିତ ରଖିବ ଏବଂ ବାଚସ୍ପତିଙ୍କୁ ନେଇ ଥିବା ସେହି ସମ୍ମାନ ନେତାଙ୍କ ମନରେ ସବୁବେଳେ ବଜାୟ ରହିବ । ତେଣୁ ଅଧିବେଶନରୁ ସସପେଣ୍ଡ ସଲ୍ୟୁସନ ନୁହେଁ ବୋଲି କୁହାଯାଉଛି ।

Comments (0)
Add Comment