ଧନ ନିଅଣ୍ଟ ଥିବ ଆଉ ଘରେ ଉତ୍ସବ ପାଳନ ହେଉଥିବ କେବେ ଶୁଣିଛନ୍ତି । କିନ୍ତୁ ଏହାର ଝଲକ ଓଡ଼ିଶାରେ ଦେଖିବାକୁ ମିଳୁଛି । ପୂରା ଦେଶ ଏବେ କରୋନା ମହାମାରୀରେ କବଳିତ ହୋଇଥିବା ବେଳେ କେବଳ ଟିକା ହିଁ ଏକମାତ୍ର ସୁରକ୍ଷାକବଚ ବୋଲି କୁହାଯାଉଛି । ପ୍ରଥମରୁ ଟିକାକରଣକୁ ନେଇ ଏତେଟା ସକ୍ରିୟତା ଦେଖିବାକୁ ମିଳୁନଥିବା ବେଳେ କରୋନାର ଦ୍ୱିତୀୟ ଲହର ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଆଉ ଏଭଳି ସ୍ଥଳେ ପୂରା ଦେଶରେ ଆଜି ଟିକାକରଣ ଉତ୍ ସବ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ମୋଦି । ଆଉ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡ଼ିଶାରେ ମଧ୍ୟ ପାଳନ ହେଉଛି ଟିକା ଉତ୍ସବ । କିନ୍ତୁ ଏହି ଉତ୍ସବ ରାଜ୍ୟରେ ନିଅଣ୍ଟିଆ ସ୍ଥିତି ଭିତରେ ପାଳିତ ହେଉଛି । ଅଥାର୍ତ ଓଡ଼ିଶା ପାଖରେ ଟିକା ନିଅଣ୍ଟର ସ୍ଥିତି ଥିବା ବେଳେ ପାଳନ ହେଉଛି ଟିକା ଉତ୍ସବ । ଏବେ ଓଡ଼ିଶା ପାଖରେ ରହିଛି ମାତ୍ର ୩ ଲକ୍ଷ ୩୦ ହଜାର ଟିକା । ତେବେ ଓଡ଼ିଶା ପ୍ରତିଦିନ ୩ ଲକ୍ଷ ଟିକା ଦିଆଯାଉଛି । ତେଣୁ ଆଜି ଗୋଟିଏ ଦିନ ଟିକା ଦିଆଯିବା ପରେ ଓଡ଼ିଶାରେ ଟିକାର ଅଭାବ ଦେଖିବାକୁ ମିଳିବ । ପୂର୍ବଭଳି ଅନେକ ଟିକାକରଣ କେନ୍ଦ୍ରରେ ପୁଣି ତାଲା ଝୁଲିବ ।
ପ୍ରଧାନମନ୍ତ୍ରୀଙ୍କ ଟିକା ଉତ୍ ସବର ଘୋଷଣା ପୂର୍ବରୁ କେନ୍ଦ୍ରକୁ ୨୫ ଲକ୍ଷ ଟିକା ଦେବା ପାଇଁ ଅନୁରୋଧ କରିଥିଲା ରାଜ୍ୟ । ହେଲେ ମାତ୍ର ୨ ଲକ୍ଷ ୫୦ ହଜାର ଟିକା ପଠାଇଛି କେନ୍ଦ୍ର । ତେଣୁ ଏଠି ପ୍ରଶ୍ନ ଉଠୁଛି ଟିକାକରଣ ଉତ୍ସବ କଣ ରାଜ୍ୟରେ ଗୋଟିଏ ଦିନ ପାଳନ ହେବ? କାରଣ ଆସନ୍ତାକାଲିକୁ ଟିକା ଉତ୍ସବ ପାଳନ ପାଇଁ ରାଜ୍ୟ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଟିକା ନଥିବ, ତେଣୁ ନିଅଣ୍ଟ ଭିତରେ ଉତ୍ସବ କେମିତି ପାଳନ ହେବ ତାହାକୁ ନେଇ ଉଠିଛି ପ୍ରଶ୍ନ ।
ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଟିକା ଯୋଗାଣ ଉପରେ ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ବିଜେପି ଶାସିତ ରାଜ୍ୟକୁ ଅଧିକ ଟିକା ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ସୁଶାନ୍ତ । କେନ୍ଦ୍ର ସରକାର ରାଜଧର୍ମ ପାଳନ କରିବା ପରିବର୍ତ୍ତେ ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି ବୋଲି କହିଛନ୍ତି ସୁଶାନ୍ତ । କେନ୍ଦ୍ର ସରକାର ସବକା ସାଥ୍ ସବକା ବିକାଶ କଥା କହୁଥିବା ବେଳେ ଏହା କାର୍ଯ୍ୟରେ ଦେଖିବାକୁ ମିଳୁନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।