ପ୍ରଚଣ୍ଡ ଜାଡରେ ଥରୁଛି ସାରା ଓଡିଶା । କନ୍ଧମାଳର ଦାରିଙ୍ଗବାଡି ଏବେ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଦାରିଙ୍ଗବାଡିର ତାପମାତ୍ରା ୪ ଡିଗ୍ରୀ ତଳକୁ ଖସିବା ସହ ଏଠାରେ ପ୍ରଥମ ତୁଷାରପାତ ହୋଇଛି । ସପ୍ତାହେ ହେଲାଣି ଜିଲ୍ଲାରେ ଶୀତ ଯୋଗୁଁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇଯାଇଛି । ସଂଧ୍ୟା ୬/୭ଟା ପରଠାରୁ ଶୀତ ଆରମ୍ଭ ହୋଇଯାଉଛି । କୁହୁଡି ସକାଳ ପ୍ରାୟ ୯ଟା ପର୍ୟ୍ୟନ୍ତ ଲାଗି ରହୁଛି । ତେଣୁ ଜାଡ ମାଡରେ ହାତ ଗୋଡ କାଲୁଆ ହୋଇଯାଉଛି । ସେହିପରି ସୁନ୍ଦରଗଡ କୋଇଡାରେ ବି ଶୀତ ପ୍ରକୋପ ଜାରି ରହିଛି ।
ପ୍ରବଳ ଶୀତ ଯୋଗୁଁ କୋଇଡ଼ା ଅଞ୍ଚଳ ଥରୁଥିବା ବେଳେ ଏବେ ଅଞ୍ଚଳରେ ତୁଷାରପାତ ଯେମିତି ବୋଝ ଉପରେ ଲଳିତା ବିଡ଼ା ସାଜିଛି । କୋଇଡ଼ା ବ୍ଲକର କୋଇଡ଼ା , ଟେନସା , କାଲଟା , ପାଟମୁଣ୍ଡା , ସାନଇନ୍ଦିପୁର , ମାଲଦା , ଜାମୁଢି , ରକ୍ସି ଭଳି ପ୍ରମୁଖ ସ୍ଥାନ ମାନଙ୍କରେ ସୋମବାର ସକାଳ ସମୟରେ ତୁଷାରପାତ ଦେଖିବାକୁ ମିଳିଛି । ଆହୁରି ବଢିବ ଶୀତ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଉପାନ୍ତରେ ଅଧିକ ଜାଡ ଅନୁଭୁତ ହେବ ।
ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୧୨ଡିଗ୍ରୀ ତଳେ ରହିଛି । ୮.୫ ଡିଗ୍ରୀ ତାପମାତ୍ରା ସହ ଦାରିଙ୍ଗବାଡି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରିଥିବା ବେଳେ ବଲାଙ୍ଗୀର ୯ ଡିଗ୍ରୀ, କୋରାପୁଟ ଏବଂ ଫୁଲବାଣୀରେ ୯.୫ ଡିଗ୍ରୀ, ସୁନ୍ଦରଗଡରେ ୧୦ ଡିଗ୍ରୀ, ଟିଟିଲାଗଡ ଏବଂ ସୋନପୁରରେ ୧୦.୮ ଡିଗ୍ରୀ, ଝାରସୁଗୁଡାରେ ୧୧.୨, ଭବାନୀପାଟଣାରେ ୧୧.୬ ଏବଂ ନୟାଗଡରେ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।