ଆଉ ଚୁପ୍ ରହିବନି: ଅନୁଭବ
ଓଲିଉଡ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ପ୍ରଥମ ଥର ପାଇଁ ଫେସୁବକରେ ପୋଷ୍ଟ କରି ମୁହଁଖୋଲିଥିଲେ ଜାଗ୍ରତୀ ଶୁକ୍ଲା । ଏହାର ଠିକ ୨୪ ଘଂଟା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ହେଲେ ସେ ସିଧାସଳଖ କାହାର ନାଁ ନେଇନଥିଲେ ମଧ୍ୟ ପରୋକ୍ଷରେ ବର୍ଷାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବହୁତ ହୋଇଗଲା,ଆଉ ସେ ଚୁପ ରହିବେନି । ଯଦି ଲଢେଇ କରିବାର ଅଛି ତାଙ୍କ ସହ ଲଢେଇ କର ବୋଲି ସେ ଭିଡିଓ ଜାରି କରି ଚେତାବନୀ ଦେଇଛନ୍ତି ।
ଅନୁଭବ ମହାନ୍ତି ନିଜର ଫେସବୁକ ପେଜରେ ଏକ ଭିଡିଓ ଜାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଅନୁଭବ ହାତଯୋଡି ଅନୁରୋଧ କରୁଛନ୍ତି । ଯେଉଁମାନଙ୍କର ଲଢିବାକୁ ଅଛି ତାଙ୍କ ସହ ଲଢ ଏଥିପାଇଁ ସେ ପ୍ରସ୍ତୁତ ଅଛନ୍ତି । ତାଙ୍କ ଦମ ଅଛି ଲଢିବାକୁ । କିନ୍ତୁ ତାଙ୍କ ପରିବାରକୁ ମଝିରେ ଟାଣ ନାହିଁ ବୋଲି ସେ ହାତଯୋଡି ଅନୁରୋଓ କରିଛନ୍ତି । ଏହା ସହ ଅନୁଭବ କହିଛନ୍ତି, ଏବେ ଆଉ ସେ ଚୁପ ରହିବେନି । ବହୁତ ହୋଇଗଲା ଚୁପ ରହିବା । ତାଙ୍କ ଫ୍ୟାନ , ସମର୍ଥକ ହେଉଛନ୍ତି ତାଙ୍କ ପରିବାର । ଆଉ ତାଙ୍କ ପରିବାର ଉପରେ ଆଙ୍ଗୁଳି ଉଠାଇଲେ ସେ ବରଦାସ୍ତ କରିବେନି ବୋଲି ଚେତାବନୀ ଦେଇଛନ୍ତି । ଅନୁଭବ କହିଛନ୍ତି, ତାଙ୍କ ବାପା ତାଙ୍କୁ ସବୁବେଳେ ଗୋଟିଏ କଥା କହିଛନ୍ତି, ଭଲପାଇବା ଓ ସ୍ନେହ ଯାହାଙ୍କଠୁ ପାଇଥିବୁ ତାଙ୍କୁ କେବେ ବି ଅସମ୍ମାନ କରିବାକୁ ଦେବୁନି । ଆଉ ତାଙ୍କର କେବେ ବିପତି ଆସିଲେ କେବେ ହାତ ଛାଡିବୁନି ।ତେଣୁ ସମର୍ଥକ ମାନଙ୍କୁ ଅଯଥା ହଇରାଣ ନକରିବାକୁ ସେ ହାତ ଯୋଡି ଅନୁରୋଧ କରିଛନ୍ତି ।
ଏହା ପୂର୍ବରୁ ଜାଗ୍ରତି ଶୁକ୍ଲା ଏକ ପୋଷ୍ଟକରି ବର୍ଷା ପ୍ରିୟଦର୍ଶୀନିଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ବର୍ଷାଙ୍କ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି । ଏହା ଦ୍ୱାରା ସେ ଓ ତାଙ୍କ ପରିବାର ଅଯଥାରେ ହଇରାଣ ହେଉଛନ୍ତି । ସେ ଏନେଇ ପୁଲିସରେ ଅଭିଯୋଗ କରିବେ ବୋଲି କହିଥିଲେ । ଦୁଇ, ତିନି ଦିନ ତଳେ ଓକିଲ ଅଶ୍ୱିନୀ ଦୁବେ, ଜାଗ୍ରତି ଶୁକ୍ଲା ଓ ଅନୁଭବ ମହାନ୍ତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ତେବେ ଏଯାଏ ବର୍ଷାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।