ଅନୁଭବଙ୍କୁ ମହିଳା କମିଶନଙ୍କ ନୋଟିସ୍
ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି ବର୍ଷା-ଅନୁଭବ ବିବାଦ । କେତେବେଳେ ଅନୁଭବ ତ କେତେବେଳେ ବର୍ଷା । ଗଣାମଧ୍ୟମ ସାମନାକୁ ଆସୁଛି ସେମାନଙ୍କ ଭିନ୍ନ ଭିନ୍ନ ବୟାନ କି ଭିଡିଓ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ସେମାନଙ୍କ ଦାମ୍ପତ୍ୟ କଳି । ସେପଟେ ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିସନଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ଅନୁଭବ ଏବଂ ତାଙ୍କ ବାପା ଓ ମାଆଙ୍କୁ କମିସନରେ ହାଜର ପାଇଁ ନୋଟିସ ଜାରି ହୋଇଛି । ଆସନ୍ତା ୨୯ ତାରିଖରେ ଏହି ୩ ଜଣ ହାଜର ହୋଇ ନିଜ ପକ୍ଷ ରଖିବେ । ଗତ ୧୫ ତାରିଖରେ ବର୍ଷା ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗକୁ ଭିିତିକରି ଅନୁଭବଙ୍କୁ ନୋଟିସ ପଠାଯାଇଛି ।
ଗତ ସପ୍ତାହରେ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତିଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ପରସ୍ପରକୁ ଦୋଷ ଦେବା ସହ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓ ଭାଇରାଲ କରି ତାଙ୍କ ବଦନାମ କରାଯାଉଥିବା ବର୍ଷା ପୁରୀ ଘାଟ ଥାନରେ ଅଭିଯାଗ କରିଥିଲେ । ବର୍ଷାଙ୍କ ଅଭିଯୋଗ ଆଧାରେ ପୁରୀ ଘାଟ ଥାନା ପକ୍ଷରୁ ଅନୁଭବ ଓ ତାଙ୍କ ୨ ସହଯୋଗୀଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ଅନ୍ୟପଟେ ଡିଜିପିଙ୍କ ନିକଟରେ ପାଲଟା ଅଭିଯୋଗ କରିଥିଲେ ଅନୁଭବ । ତାଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି । କିଛି ଦିନ ତଳର ଏକ ଅଡିଓକୁ ଯାଂଚ କରିବାକୁ ସେ ଡିଜିପିଙ୍କୁ ଅନୁରୋଧ କରିବା ସହ ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ କହିଥିଲେ ।
ସାଂସଦ ଅନୁଭବ ମହାନ୍ତିଙ୍କ ଓ ଜାଗ୍ରତି ଶୁକ୍ଲାଙ୍କ ସଂପର୍କକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ଏନେଇ ଜାଗ୍ରତି ସ୍ପଷ୍ଟୀକରଣ ମଧ୍ୟ ରଖିଥିଲେ । ଅନୁଭବ ତାଙ୍କର ଜଣେ ଭଲ ବନ୍ଧୁ ।ଅନୁଭବ ଓ ତାଙ୍କ ମଧ୍ୟରେ ବୃତ୍ତିଗତ ସଂପର୍କ ରହିଛି । ବର୍ଷା ଓ ଅନୁଭବ ମଝିକୁ ତାଙ୍କୁ ଅଯଥାରେ ଟଣାଯାଉଥିବା ସେ ଫେସବୁକରେ ପୋଷ୍ଟ କରିଥିଲେ ।