ମିଡିଆକୁ ନୁହେଁ, ଦେବାଶିଷ ବାବୁଙ୍କୁ ପ୍ରଶ୍ନ କରିପାରିବେ କି ଅନୁଭବ?
କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ କିମ୍ବା ରାଜ୍ୟ ପରିଷଦ ବୈଠକକୁ ଆସିନଥିଲେ । ମିଡିଆ ପ୍ରଶ୍ନ କଲା, କାହିଁକି ଅନୁଭବ ବୈଠକରୁ ନିଜକୁ ଦୁରେଇ ରଖିଲେ? ବୈଠକକୁ ଆସିବାକୁ ଦଳ ତରଫରୁ ତାଙ୍କୁ ମନା କରାଯାଇଥିଲା କି? ପାରିବାରିକ କଳହକୁ ନେଇ କାଳେ ମିଡିଆ ପ୍ରଶ୍ନ କରିବ ସେଥିପାଇଁ ଆସିଲେନି କି ଅନୁଭବ? ଦଳ ଭିତରେ ଅନୁଭବ ଅଲୋଡା ହୋଇଗଲେ କି? ଏମିତି ଅନେକ ପ୍ରଶ୍ନ ଗଣମାଧ୍ୟମ ପଚାରିଥିଲା ଆଉ ଏହାର ଉତ୍ତର ଖୋଜିବାକୁ ଦଳୀୟ ନେତାଙ୍କ ଠାରି ଉତ୍ତର ଲୋଡିଥିଲା । ଆଶ୍ଚର୍ଯ୍ୟକର କଥା ଥିଲା, କେହି ଜଣେ ବି ନେତା ସିଧା ସିଧା ଉତ୍ତର ଦେଇପାରିନଥିେଲେ । ବରଂ ବଙ୍କେଇ ତେଢେଇ ଅନୁଭବଙ୍କୁ ସମାଲୋଚନା କରିଥିଲେ ।
କଟକ ବାରବାଟୀ ବିଧାୟକ ଦୁଇ ପାଦ ଆଗକୁ ଯାଇ ଅନୁଭବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ କିଛି ଶିକ୍ଷା ଲାଭ କରିପାରିଲେନି ବୋଲି ସଫା ସଫା ଶୁଣାଇ ଦେଲେ । ଯାହା ସ୍ପଷ୍ଟ ଭାବେ ପ୍ରମାଣିତ କରୁଥିଲା, ଦଳ ଭିତରେ ଅନୁଭବ ମହାନ୍ତିଙ୍କ ସ୍ଥିତି ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଲାଣି । ହେଲେ ଏତେ ସବୁ ପରେ ଅନୁଭବ ଏବେ ସବୁ ଦୋଷ ମିଡିଆ ଉପରକୁ ଠେଲିଛନ୍ତି । ଗଣମାଧ୍ୟମ କୁଆଡେ ରୋଚକ ଖବର ତିଆରି କରିବାକୁ ତାଙ୍କ ନାଁକୁ ବ୍ୟବହାର କରୁଥିବା ସେ ଉଲ୍ଲେଖ କରୁଛନ୍ତି । ହେଲେ ବଡ କଥା ହେଉଛି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ଯେବେଠାରୁ ଆରମ୍ଭ ହେଲାଣି, ଆଉ ଉଭୟେ ସୋସିଆଲ ମିଡିଆରେ ହେଉ ଅବା କୋର୍ଟରେ ଦାଖଲ କରିଥିବା ପିଟିସନ କିମ୍ବା ପୁରୁଣା ଫେସବୁକ ଚାଟରୁ ଯେଉଁ ସବୁ ଦିଗ ଗୁଡିକ ସାମ୍ନାକୁ ଆସୁଛି, ତାହା ଆହୁରି ରୋଚକ ଖବର ତିଆର କରୁଛି ।
ଫେସବୁକରେ ପୋଷ୍ଟ କରି ଅନୁଭବ ମହାନ୍ତି ଲେଖିଛନ୍ତି,
ମୁଁ ମୋ ନିଜର ସ୍ୱାସ୍ଥ୍ୟାବସ୍ଥା କଥା ଚିନ୍ତା କରି ନିଜକୁ ଆଇସୋଲେଟ କରି ରଖିଲି ଏବଂ ଦଳୀୟ ବୈଠକରେ ସାମିଲ ହୋଇନଥିଲି । ହେଲେ ଗଣମାଧ୍ୟମ ଏଥିରୁ ବହୁତ କିଛି ରୋଚକ ଖବର ତିଆରି କରିଦେଲା । ମୁଁ ମୋ ଦଳ ଏବଂ ଓଡିଶାବସୀଙ୍କ ଠାରୁ ବହୁତ ଭଲପାଇବା ଏବଂ ସମର୍ଥନ ପାଇଛି । ମୁଁ ଦଳର ଜଣେ ବିଶ୍ୱସ୍ତ ସୈନିକ ଏବଂ ନବୀନବାଦର ବିଶ୍ୱାସୀ । ମୋ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ଏବଂ ମୁଁ ତାଙ୍କ ଚଲାପଥକୁ ଅନୁସରଣ କରିବା ଚେଷ୍ଟିତ । ଏଭଳି କଷ୍ଟକର ସମୟରେ ତାଙ୍କର ମୋ ଉପରେ ଥିବା ବିଶ୍ୱାସ ମତେ ଶକ୍ତ କରି ରଖିଛି ।
ଅନୁଭବଙ୍କ ଏହି ଫେସବୁକ ପୋଷ୍ଟ ମିଡିଆର ସମସ୍ତ ରିପୋର୍ଟକୁ ଆଖିଆଗରେ ରଖୀ କରାଯାଇଛି । ହେଲେ ବଡ କଥା ହେଉଛି, ମିଡିଆକୁ ଦୋଷ ଦେବା ଆଗରୁ ନିଜର ଦଳର ନେତାଙ୍କୁ ଶକ୍ତ ବାର୍ତ୍ତା ଦେବାକୁ ସତସାହାସ ରଖନ୍ତୁ ଅନୁଭବ । ସତ କଥା ହେଲା, ଦଳ ଭିତରେ ଅନୁଭବଙ୍କର ଆଉ ସେଭଳି କାଟତି ନାହିଁ । ଚର୍ଚ୍ଚା ହେଉଛି, ପାୱାର ସେଂଟରର ପାଖ ମାଡିପାରୁନାହାନ୍ତି ଅନୁଭବ । ସେ ନିଜେ ବି ଜାଣିସାରିଲେଣି, ଦଳ ଭିତରେ ତାଙ୍କ ସ୍ଥିତି କଣ ରହିଛି । ହେଲେ ମିଡିଆକୁ ଦୋଷ ଦେବା ବଦଳରେ ନିଜ ଦଳର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ସହାସ ଦେଖାଇ ପ୍ରଶ୍ନ କରିପାରିବେ କି ଅନୁଭବ । କାହିଁକି ଦେବାଶିଷ ବାବୁ କହିଥିଲେ, ନବୀନଙ୍କ ଠାରୁ କିଛି ଶିଖିପାରିଲେନି ଅନୁଭବ? ଯେଉଁଦିନ କେନ୍ଦ୍ରାପଡା ସାଂସଦ ସେଭଳି ସାହାସ ଦେଖାଇବେ, ସେହିଦିନ ଗଣମାଧ୍ୟମର ଭୂମିକାକୁ ନେଇ ପ୍ରଶ୍ନ କରିବା ଶୋଭନୀୟ ଲାଗିବ ।